କରୋନା ସତର୍କତା ଜାରିରେ ବିଳମ୍ବ କରିଥିଲା ‘ହୁ’

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ତ୍ରୁଟି ଯ଼ୋଗୁଁ ବିଶ୍ବ କରୋନା ପରି ଏକ ମହାମାରୀର ସମ୍ମୁଖୀନ ହେଉଛି। ହୁ’ ଯଦି ଠିକ ସମୟରେ ସତର୍କ ସୂଚନା ଦେଇପାରିଥାନ୍ତା ତେବେ ବିଶ୍ବ ଏହି ମହାମାରୀକୁ ଏଡାଇ ପାରିଥାନ୍ତା ବୋଲି ଏକ ଅନ୍ତର୍ଜାତୀୟ ତଦନ୍ତରୁ ଜଣାପଡ଼ିଛି। ଜେନେଭାସ୍ଥିତ ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କିତ ସ୍ବାଧୀନ ସଂଗଠନ ପକ୍ଷରୁ କରାଯାଇଥିବା ତଦନ୍ତରେ କୁହାଯାଇଛି ଯେ ୨୦୧୯ରେ କେନ୍ଦ୍ରୀୟ ଚୀନରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାବେଳେ ହୁ’ ଏକମାସ ବିଳମ୍ବରେ ଅର୍ଥାତ୍‌ ୨୦୨୦ ଜାନୁଆରୀରେ ଏ ନେଇ ସତର୍କତା ଜାରି କରିଥିଲା।

କରୋନା ସଂକ୍ରମଣକୁ ନେଇ ୨୨ ଜାନୁଆରୀ ୨୦୨୦ରେ ହୁ’ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିଥିଲା। ମାତ୍ର ଏହି ପ୍ରଥମ ବୈଠକ ପରେ ସ୍ବାସ୍ଥ୍ୟ ସତର୍କତା ଜାରି କରାଯାଇ ନଥିଲା। ଫେବୃଆରୀ ୨୦୨୦ରେ ହୁ’ ସ୍ବାସ୍ଥ୍ୟ ସତର୍କତା ଜାରି କରିଥିଲା। ହୁ’ର ଭୁଲ ନିଷ୍ପତ୍ତି ଯ଼ୋଗୁଁ ସମଗ୍ର ବିଶ୍ବର ପ୍ରାୟ ୩୩ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଓ ବିଶ୍ବ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡୁଛି। ଡବ୍ଲୁଏଚଓକୁ କଠୋର ସମାଲୋଚନା କରି ଏହି ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଏହି ସଂସ୍ଥା ଲୋକମାନଙ୍କ ସୁରକ୍ଷା କରିବାରେ ବିଫଳ ହେଲା। ତେଣୁ ଏହାର ଏକ ବିକଳ୍ପ ସଂସ୍ଥା ଗଠନ କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି।

Comments are closed.