ଭାରତ ସପକ୍ଷରେ ଆମେରିକା-ଅଷ୍ଟ୍ରେଲିଆ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ମିଳିପାରେ ବଡ଼ ପଦ

ଜେନେଭା: ବିଶ୍ବବ୍ୟାପୀ କରୋନା ମହାମାରୀ ପରେ ଚୀନ ଏକପ୍ରକାର ଏକଘରକିଆ ।  ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି । ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍ ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆମେରିକା ପାଣ୍ଠି ଯୋଗାଣ ବନ୍ଦ କରିଛି । ଏହି ସ୍ଥିତିରେ ଚୀନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଅଧିକ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିବା ପରେ ଆମେରିକା ଉଭୟ ଚୀନ୍ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ନିଶାଣ କରିଛି । ଏହି ସ୍ଥିତିରେ ଭାରତ ବିଶ୍ବର ବିଭିନ୍ନ ଦେଶକୁ ହାଇଡ଼୍ରୋକ୍ସେିକ୍ଲେରୋକ୍ବିନ ଓ ପାରାସିଟାମଲ ପଠାଇ ନିଜର ସ୍ଥିତିକୁ ଆହୁରି ଦୃଢ଼ କରି ପାରିଛି । ତେଣୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନରେ ଚୀନ୍ ପ୍ରଭାବକୁ ହ୍ରାସ ପାଇଁ ଭାରତକୁ ସମର୍ଥନ କରିଛନ୍ତି ଆମେରିକା ଓ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ସଦସ୍ୟ । ପୂର୍ବରୁ ଚୀନ୍ ଦଖଲରେ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟ ନିର୍ବାହୀ ବୋର୍ଡ଼ ଅଧ୍ୟକ୍ଷ ପଦ ଭାରତକୁ ମିଳିବାର ସମ୍ଭାବନା ଦେଖା ଦେଇଛି । ଏହି ପଦ ମିଳିଲେ ଭାରତ ଏହି ସଙ୍ଗଠନରେ ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ର ଭାବରେ ପରିଗଣିତ ହେବ । ଏପରିକି ନୀତି ନିର୍ଧାରଣରେ ମଧ୍ୟ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

 

Comments are closed.