ୟେମେନ୍‌ରେ ଆମେରିକାର ଡ୍ରୋନ୍‌ ଆକ୍ରମଣ, ଅଲ୍‌ କାଏଦା ଆତଙ୍କବାଦୀ ରିମି ଓ ସହଯୋଗୀ ମୃତ

ୱାଶିଂଟନ୍‌ : ଆମେରିକାର ଡ୍ରୋନ୍‌ ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ଆଲ୍‌-କାଏଦାର ଅନ୍ୟତମ ମୁଖ୍ୟ କାସିମ୍‌ ଅଲ୍‌-ରିମିର ମୃତ୍ୟୁ ଘଟିଛି। ୟେମେନ୍‌ରେ ରହି ‘ଅଲ୍‌ କାଏଦା ଇନ୍‌ ଆରବିଆନ୍‌ ପେନିନ୍‌ସୁଲା’ ବା ଏକ୍ୟୁଏପି ସଂଗଠନ ନାମରେ ରିମି ଓସାମା ବିନ୍‌ ଲାଡେନ୍‌ ଦ୍ବାରା ପ୍ରତିଷ୍ଠିତ ଅଲ୍‌-କାଏଦାକୁ ପରିଚାଳନା କରୁଥିଲା। ତାର ମୃତ୍ୟୁ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରିମିର ମୁଣ୍ଡ ପାଇଁ ଆମେରିକା ସରକାର ୧୦ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲେ। ୨୦୧୭ରେ ତାକୁ ମାରିବା ପାଇଁ ଆମେରିକା ସେନା ପଦକ୍ଷେପ ନେଇଥିଲେ ମଧ୍ୟ ସେ ବର୍ତ୍ତିଯାଇଥିଲା। ଆମେରିକା ସେନା ୟେମେନ୍‌ରେ ଆତଙ୍କବାଦୀ ଦମନ ଅଭିଯାନ ଚଳାଇଥିବାବେଳେ ମାରିବଠାରେ ରିମିର ମୃତ୍ୟୁ ହୋଇଥିବା ଟ୍ରମ୍ପ କହିଛନ୍ତି। ରିମିର ପ୍ରମୁଖ ସହଯୋଗୀ ଐମାନ୍‌ ଅଲ୍‌-ଜୱାହିରିର ମଧ୍ୟ ମୃତ୍ୟୁ ଘଟିଥିବା ଟ୍ରମ୍ପ କହିଛନ୍ତି। ଏହି ଦୁଇ ଜଣଙ୍କ ନେତୃତ୍ବରେ ଏକ୍ୟୁଏପି ୟେମେନ୍‌ରେ ଆମେରିକୀୟ ଓ ଅନ୍ୟ ସୈନ୍ୟ ଉପରେ ଆକ୍ରମଣ ସହ ଆତଙ୍କରାଜ ଚଳାଇଥିଲା​‌। ଏମାନଙ୍କ ମୃତ୍ୟୁରେ ଅଲ୍‌ କାଏଦାକୁ ବଡ଼ ଧକ୍କା ଲାଗିଛି ବୋଲି ହ୍ବାଇଟ ହାଉସ୍‌ ସୂତ୍ରରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ଅପରପକ୍ଷରେ ୟେମେନ୍‌ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାରିବଠାରେ ଡ୍ରୋନ୍‌ ଆକ୍ରମଣର ଖବର ସତ୍ୟ; କିନ୍ତୁ ରିମିର ମୃତ୍ୟୁ ନିଶ୍ଚିତ ହୋଇ ନାହିଁ।

Comments are closed.