କୁଆଡେ ଗଲା ସରକାରଙ୍କ କୃଷି ଏବଂ କୃଷକ ପ୍ରୀତି – ଜନତାଙ୍କ ପ୍ରଶ୍ନ

ଟାର୍ଗେଟ୍ ସମସ୍ୟା ଯୋଗୁଁ ମଣ୍ଡି ରୁ ଫେରିଗଲା ଚାଷୀ ଙ୍କ ଧାନବୋଝେଇ ଗାଡି ; ଅର୍ଥହାନି ପ୍ରାଣପୀଡା ସ୍ଥିତି ରେ ଚାଷୀ

ରେଙ୍ଗାଲି : କୃଷି ଏବଂ କୃଷକମାନଙ୍କ ସ୍ୱାର୍ଥ ସର୍ବାଗ୍ରେ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ପ୍ରକୃତ କ୍ଷେତ୍ରରେ ଚାଷୀ ସବୁଠାରୁ ବେଶୀ ଶୋଷିତ ଏବଂ ନିର୍ଯାତିତ ହେବା ସହିତ ହଇରାଣ ହରକତ ହେଉଛି। ଏହାର ଏକ ଜ୍ୱଳନ୍ତ ନିଦର୍ଶନ ଗତକାଲି ଗୁରୁବାର ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣରେ ଦେଖିବାକୁ ମିଳିଛି। ଲପଙ୍ଗା ସେବା-ସମବାୟ ସମିତି ଜରିଆରେ ଘିଚାମୁରା, ଲପଙ୍ଗା, ବମାଲୋଇ ଆଦି ପଞ୍ଚାୟତର ଚାଷୀମାନେ ଟ୍ରାକ୍ଟର, ମିନିଟ୍ରକ୍, ଟ୍ରକ୍ ଆଦି ୧୮ଟି ବିଭିନ୍ନ ଯାନରେ ଧାନ ବସ୍ତା ବୋଝେଇ କରି ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣକୁ ଧାନ ବିକ୍ରି କରିବାକୁ ଆଣିଥିଲେ। ବଜାର ଉପ-ପ୍ରାଙ୍ଗଣକୁ ଧାନ ବୋଝେଇ ଗାଡି ଆସିଲା ପରେ ସେଥିମଧ୍ୟରୁ ମାତ୍ର ୪ଟି ଗାଡିର ଧାନ କିଣାଗଲା ଏବଂ ବାକି ଗାଡିରେ ଫେରିଗଲା। ଟାର୍ଗେଟ୍ ନାହିଁ ଧାନ କିଣାଯାଇ ପାରିବ ନାହିଁ ବୋଲି କହିବାରୁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ଦୂରଦୁରାନ୍ତ ରୁ ଗାଡି ଭଡା କରି ଗାଡି ରେ ମଜୁରିଆ ଲଗାଇ ଧାନ ବସ୍ତା ବୋଝେଇ କରି ବଜାର ଉପ-ପ୍ରାଙ୍ଗଣ କୁ ଆସିଲା ବେଳକୁ ଧାନ କିଣିବାକୁ  ଟାର୍ଗେଟ୍ ନାହିଁ । ଏକି ପ୍ରକାର ନୀତି ବୋଲି ଅସନ୍ତୁଷ୍ଟ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର କୃଷି ଏବଂ କୃଷକମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଥିବା ବେଳେ ଆମେ ଏତେ ହଇରାଣ ହରକତ ଏବଂ ଖର୍ଚ୍ଚାନ୍ତ ହୋଇ ବଜାର ଉପ-ପ୍ରାଙ୍ଗଣକୁ ଧାନ ବିକିବାକୁ ଆଣିଲେ କାହିଁକି ଧାନ କିଣା ଯାଉନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଧାନ ବୋଝେଇ ଗାଡି ଘରକୁ ଫେରାଇ ନେବା ଆମ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି। ଏହାଦ୍ୱାରା ଆମେ ଅର୍ଥ ହାନି ପ୍ରାଣ ପୀଡା କଷ୍ଟ ଭୋଗ କରୁଛୁ। ସରକାର ତଥା ଜିଲ୍ଲା ପ୍ରଶାସନ ଏଭଲି ଘଟଣାର ଯେଭଲି ପୁନରାବୃତ୍ତି ନଘଟେ ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି। ଟାର୍ଗେଟ୍ ର ଆଳ ଦେଖାଇ ଆମକୁ ଅଭାବୀ ବିକ୍ରି ଆଡକୁ ଠେଲିବାପାଇଁ ଚକ୍ରାନ୍ତ କରାଯାଇଛି ବୋଲି ସଚେତନ ଚାଷୀ ଅଭିଯୋଗ କରିଛନ୍ତି।

Comments are closed.