ଜାଣନ୍ତୁ, କେତେବେଳେ ସରକାର ବନ୍ଦ କରନ୍ତି ଇଣ୍ଟରନେଟ୍‌ ସେବା ଓ କ’ଣ ହୁଏ କ୍ଷତି ?

ନୂଆଦିଲ୍ଲୀ: କୌଣସି ଅଞ୍ଚଳରେ ଆଇନଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ଦେଖାଦେଲେ ସରକାର ଇଣ୍ଟରନେଟ ସେବା ବନ୍ଦ କରିଦେଇଥାନ୍ତି। ଦେଶରେ କୌଣସି ସ୍ଥାନରେ ହିଂସା କିମ୍ବା ଦଙ୍ଗା ସୃଷ୍ଟି ହେଲେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରି ଦେଇଥାନ୍ତି। ଚଳିତବର୍ଷ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ସମୟରେ ଅଯୋଧ୍ୟାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିବାବେଳେ ସିଏଏ ବିରୋଧୀ ହିଂସାକୁ ନେଇ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ବନ୍ଦ କରାଯାଉଛି। କିନ୍ତୁ ଇଣ୍ଟରନେଟ୍‌ ସେବା ବନ୍ଦ ଯୋଗୁ ବହୁ ପରିମାଣରେ ଆର୍ଥିକ କ୍ଷତି ହୋଇଥାଏ ବୋଲି ଜଣାପଡ଼ିଛି।

ଭାରତ ବିଶ୍ଵର ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଇଣ୍ଟରନେଟ୍‌ ବଜାର। କିନ୍ତୁ ଏହା ସହିତ ଏକ ନକାରାତ୍ମକ ତଥ୍ୟ ବି ଯୋଡ଼ିହୋଇ ରହିଛି। ତାହା ହେଉଛି ଭାରତ ବିଶ୍ଵରେ ସବୁଠାରୁ ଅଧିକ ଥର ଇଣ୍ଟରନେଟ୍‌ ବନ୍ଦ କରୁଥିବା ରାଷ୍ଟ୍ର ମଧ୍ୟ। ଇଣ୍ଡିଆନ କାଉନ୍‌ସିଲ୍‌ ଫର ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାଶନାଲ ଇକୋନୋମିକ୍‌ ରିଲେଶନ୍ସ ତଥ୍ୟ ଅନୁସାରେ, ୨୦୧୨ରୁ ୨୦୧୯ ଜାନୁୟାରୀ ସୁଦ୍ଧା କିଛି ନା କଛି କାରଣରୁ ଭାରତରେ କେନ୍ଦ୍ର ଅଥବା ରାଜ୍ୟ ସରକାରମାନେ ୩୬୭ ଥର ଇଣ୍ଟରନେଟ୍‌ ବନ୍ଦ କରିଥିଲେ। ୨୦୧୯ରେ ଡିସେମ୍ବର ୨୦ ସୁଦ୍ଧା ବିଭିନ୍ନ କାରଣରୁ ୯୫ ଥର ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ୨୦୧୨ରୁ ୨୦୧୭ ମଧ୍ୟରେ ମୋଟ ୧୬ ହଜାର ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ବିଭିନ୍ନ ରାଜ୍ୟର ତଥ୍ୟ ଅନୁସାରେ ୨୦୧୯ ଅଗଷ୍ଟ ୫ ପୂର୍ବରୁ ସବୁଠାରୁ ଅଧିକ ୧୮୦ ଥର ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଛି।  ୨୦୧୯ ଅଗଷ୍ଟ ୫ରୁ ୨୦୧୯ ଡିସେମ୍ବର ୨୬ ପର୍ଯ୍ୟନ୍ତ କାଶ୍ମୀରରେ ଇଣ୍ଟରନେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଡିସେମ୍ବର ୨୭ରେ କାରଗିଲରେ ଇଣ୍ଟରନେଟ୍‌ ସେବା ଚାଲୁ ରହିଥିବା ଜଣାପଡ଼ିଛି। ୨୦୧୬ରେ ଚରମପନ୍ଥୀ ବୁରହାନ ୱାନୀଙ୍କ ହତ୍ୟା ପରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ୪ମାସ ଇଣ୍ଟରନେଟ୍‌ ବନ୍ଦ ରହିଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ହେବାରୁ ୩୦୦ କୋଟି ଡଲାର କ୍ଷତି ହୋଇଥିଲା। ଏହା ସହିତ ଅନଲାଇନ୍‌ ବ୍ୟବସାୟ କରିବା ଏବଂ ଅନଲାଇନ ସେବାର ଲାଭ ଉଠାଉଥିବା ଉପଭୋକ୍ତାଙ୍କୁ ବି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Comments are closed.