ବିଜୟ ମାଲ୍ୟା ମାମଲାର ଫାଇଲ୍ ଗାଏବ; ରାହୁଳଙ୍କ ନିଶାଣରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କେସ ଫାଇଲ ହଜି  ଯାଇଛି । ଏହି ଫାଇଲ୍ କେମିତି ହଜିଲା ତାହା ତ ତଦନ୍ତାଧୀନ । ତଥାପି ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏହି ଫାଇଲ୍ ହଜିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି । ଟ୍ବିଟରରେ ରାହୁଳ ଏଥିନିମନ୍ତେ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଦେଶରେ ଭାବପ୍ରବଣତାପୂର୍ଣ୍ଣ ସମୟ ଓ ପରିସ୍ଥିତି ଉତ୍ପନ୍ନ ହୋଇଛି, ସେତେବେଳେ ଫାଇଲ ହଜିଛି ।

ଶନିବାର ରାହୁଳ ଟ୍ବିଟ୍ କରିଥିଲେ ଯେ ତେତେବେଳେ ଦେଶ ଭାବପ୍ରବଣ ହୋଇଛି ସେତେବେଳେ ଫାଇଲ ହଜିଛି । ମାଲ୍ୟା ହୁଅନ୍ତୁ ବା ରାଫେଲ, ମୋଦି ବା ଚୋକସି… ହଜିବା ତାଲିକାରେ ଶେଷରେ ଚୀନ ଅତିକ୍ରମଣ ସଂକ୍ରାନ୍ତ ଦସ୍ତାବିଜ କେବଳ ସଂଯୋଗ ନୁହେଁ । ଏହା ମୋଦୀ ସରକାରର ଲୋକତନ୍ତ୍ର ବିରୋଧୀ ପ୍ରୟୋଗ ।

 

ସୂଚନାଯୋଗ୍ୟ ଯେ ଦେଶରୁ ଫେରାର ବିଜୟ ମାଳ୍ୟାଙ୍କ ଫାଇଲରୁ କିଛି ଜରୁରୀ ଦସ୍ତାବିଜ ହଜି ଯାଇଥିବା ଖବର ଏବେ ଚର୍ଚାରେ ରହିଛି । ଏହି କାରଣରୁ ମାମଲାର ପୁନର୍ବିଚାର ଆବେଦନ ଉପରେ ଶୁଣାଣି ୨୦ ଅଗଷ୍ଟକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେଇଛନ୍ତି । ବିଜୟ ମାଲ୍ୟା ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅମାନ୍ୟ କରି ନିଜ ପରିବାର ନାମରେ ୪ କୋଟି ଡ଼ଲାର ଟ୍ରାନ୍ସଫର କରିଦେଇଥିଲେ । ଏହାପରେ ଅଦାଲତ ଆଦେଶ ଉଲ୍ଲଙ୍ଘନ ଅଭିଯୋଗରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ମାଲ୍ୟା ଏହି ମାମଲାର ପୁନର୍ବିଚାର ନିମନ୍ତେ ଏକ ଆବେଦନ ଦାଖଲ କରିଥିଲେ । ଯାହା ୩ ବର୍ଷ ପରେ ଅଗଷ୍ଟ ୬ ତାରିଖରେ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହି ଫାଇଲରୁ କିଛି ଦସ୍ତାବିଜ ହଜି ଯାଇଥିବା ସୂଚନା ମିଳିବା ପରେ ଏହାକୁ ୧୪ ଦିନ ପାଇଁ ବିଳମ୍ବିତ କରାଯାଇ ୨୦ ଅଗଷ୍ଟରେ ଶୁଣାଣି ନିମନ୍ତେ ଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟ ଯେ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ଦେଶର ପ୍ରାୟ ୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଥିଲେ ।

Comments are closed.