ହ୍ବାଟସ୍‌ ଆପରେ ମାତ୍ର କାମ କରୁଛନ୍ତି ୫୦ଜଣ ଇଂଜିନିୟର

ମୁମ୍ବଇ : ବିଶ୍ବସ୍ତରରେ ଅନ୍ୟତମ ଲୋକପ୍ରିୟ ତଥା ଚର୍ଚ୍ଚିତ ସୋସିଆଲ ସାଇଟ୍ ଭାବେ ‘ହ୍ବାଟସ୍‌ ଆପ୍‌’ର ସ୍ଥାନ ସ୍ବତନ୍ତ୍ର। ଯୁବପିଢ଼ି ଠାରୁ ବୟସ୍କ ସମସ୍ତ ବର୍ଗର ଲୋକ ଘଣ୍ଟାଘଣ୍ଟା ଏଇ ସୋସିଆଲ ସାଇଟ୍‌ରେ ସମୟ ଅତିବାହିତ କରିଥାନ୍ତି। ଜାନ୍ କୋଉମ୍ ଓ ବ୍ରିଆନ୍ ଆକ୍ଟନ୍‌‌, ଦୁଇ ଇଂଜିନିୟର ଫେବୃଆରୀ ୨୪, ୨୦୦୯ରେ ହ୍ବାଟସ୍‌ ଆପ୍‌ର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ୟ୍ୟାୟରେ ଏଇ ଦୁଇ ବନ୍ଧୁ ‘ୟାହୁ’ର କର୍ମଚାରୀ ଥିଲେ। ପରେ ୨୦୦୭ରେ ଦୁହେଁ ଚାକିରି ପ୍ରତି ବୀତସ୍ପୃହ ହୋଇ ଦକ୍ଷିଣ ଆମେରିକାରେ କିଛି ସମୟ ଅତିବାହିତ କଲେ। ସେଠାରୁ ଫେରି ‘ଫେସବୁକ୍‌’ରେ କାମ କରିବା ନିମନ୍ତେ ଆବେଦନ କଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ବିଚାରକ ମଣ୍ଡଳୀ ସେମାନଙ୍କୁ ମନୋନୀତ କଲାନାହିଁ।

୨୦୦୯ରେ ଆଇଫୋନ୍ ବ୍ୟବହାର କରୁଥିବା ସମୟରେ କୋଉମ୍ ପ୍ରଥମେ ‘ଆପ୍ ଷ୍ଟୋର୍’ ଦେଖି ଏକ ସ୍ବତନ୍ତ୍ର ଆପ୍ଲିକେସନ୍ ପ୍ରସ୍ତୁତିର ଯୋଜନା କଲେ। ବନ୍ଧୁ ଆକ୍ଟନ୍ ଓ ତାଙ୍କାର ମିଳିତଚେଷ୍ଟାରେ ‘ହ୍ବାଟସ୍‌ ଆପ୍’ର ଜନ୍ମ ହେଲା। ୨୦୧୨ର ଗଣନା ଅନୁସାରେ, ପ୍ରତିଦିନ ୨ବିଲିୟନ୍ ମେସେଜ୍‌ ହ୍ବାଟସ୍‌ ଆପ୍ ଜରିଆରେ ପ୍ରେରଣ ହୋଇଥାଏ। ୨୦୧୭ଶେଷ ସୁଦ୍ଧା ୧.୫ ବିଲିୟନ୍‌‌ ଲୋକ ହ୍ବାଟସ୍‌ ଆପ୍ ବ୍ୟବହାର କରୁଥିବାର ପ୍ରକାଶ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ ସଂଖ୍ୟକ ଗ୍ରାହକଙ୍କ ନିମନ୍ତେ ହ୍ବାଟସ୍‌ ଆପରେ ମାତ୍ର ୫୦ଜଣ ଇଂଜିନିୟର କାମ କରୁଛନ୍ତି। ଏ ବାବଦରେ ପ୍ରତିଷ୍ଠାତା କୋଉମ୍ ଓ ଆକ୍ଟନ୍‌ଙ୍କ ମତ ହେଉଛି, ସେମାନଙ୍କ କର୍ମଚାରୀ ବେଶ୍ ଦାୟିତ୍ବବାନ୍ ଭାବେ କାର୍ଯ୍ୟ ତୁଲାଉଥିବାବେଳେ ଦିନକୁଦିନ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହା ସହ ସେମାନଙ୍କ ଅନ୍ୟତମ ଯୋଜନା ହେଉଛି କମ୍ କର୍ମଚାରୀଙ୍କୁ ମୋଟା ଅଙ୍କର ବେତନ ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା। ଯେପରିକି ହ୍ବାଟସ୍‌ ଆପ୍‌ର କର୍ମଚାରୀମାନେ ପ୍ରତିଦିନ କାର୍ଯ୍ୟାଳୟ ଆସିବା ବାଧ୍ୟତାମୂଳକ ନୁହେଁ। ବରଂ ଯେଉଁଠାରେ ଥିଲେ ମଧ୍ୟ କାମ ସୁଚାରୁ ରୂପେ ହେବା କମ୍ପାନୀର ପ୍ରଥମ ଓ ପ୍ରମୁଖ ନିୟମ ଅଟେ।

Comments are closed.