କଙ୍ଗନାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଆପତ୍ତି; ଜାଣନ୍ତୁ ୱାଇ ପ୍ଲସ ସୁରକ୍ଷା କ’ଣ

ମୁମ୍ବାଇ: କେନ୍ଦ୍ର ସରକାର ଅଭିନେତ୍ରୀ କଙ୍ଗନା ରଣାୱାତଙ୍କୁ ଯୋଗାଇ ଦେଇଛନ୍ତି ୱାଇ ପ୍ଲସ ସୁରକ୍ଷା । ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ମୁମ୍ବାଇ ଓ ମହାରାଷ୍ଟ୍ରର ଯିଏ ଅପମାନ କରିଛି ତାକୁ କେନ୍ଦ୍ର ସରକାର ୱାଇ ପ୍ଲସ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦାୟକ । ମହାରାଷ୍ଟ୍ର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଶିବସେନା ବା କଂଗ୍ରେସର ନୁହେଁ, ଏହା ବିଜେପିର ମଧ୍ୟ ଓ ପୁରା ଲୋକଙ୍କର ମଧ୍ୟ ବୋଲି ଶ୍ରୀ ଦେଶମୁଖ କହିଛନ୍ତି ।


ଅନ୍ୟପକ୍ଷରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥିବାରୁ କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀ ଅମିତ୍ ଶାହା୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିଜ ଟ୍ବିଟରେ ସେ କହିଛନ୍ତି ଯେ କୌଣସି ଦେଶଭକ୍ତ ସ୍ବରକୁ କୌଣସି ଫାସୀବାଦୀ ଶକ୍ତି ନଷ୍ଟ କରିପାରିବ ନାହିଁ ଏହା ପ୍ରମାଣିତ ହୋଇଛି । ମୁଁ ଅମିତ ଶାହାଙ୍କ ନିକଟରେ ଋଣୀ । ସେ ଚାହିଁଥିଲେ ମୋତେ ବର୍ତମାନର ସ୍ଥିତିକୁ ଦେଖି ମୁମ୍ବାଇ ନ ଯିବାକୁ ପରାମର୍ଶ ଦେଇ ପାରିଥାଆନ୍ତେ । ମାତ୍ର ସେ ମୋର ସ୍ବାଭିମାନ ଓ ଆତ୍ମସମ୍ମାନର ମାନ ରଖିଛନ୍ତି । ଜୟହିନ୍ଦ ।

ୱାଇ ପ୍ଲସ ସୁରକ୍ଷା କ’ଣ? କେତେ ରହିଥାଆନ୍ତି ସୁରକ୍ଷା କର୍ମୀ??

ଦେଶର ବଡ଼ବଡ଼ ନେତାମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଇଥାଆନ୍ତି । ଏଥିରେ ଜେଡ଼୍ ପ୍ଲସ, ଜେଡ଼୍, ୱାଇ ପ୍ଲସ ଓ ଏକ୍ସ ଆଦି ଶ୍ରେଣୀର ସୁରକ୍ଷା ଦିଆଯାଇଥାଏ । କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି, ବଡ଼ ନେତା ଓ ବରିଷ୍ଠ ଅଧିକାରୀଙ୍କୁ ଏହି ସୁରକ୍ଷା ପଦ ଅନୁସାରେ ମିଳିଥାଏ ।

ଜେଡ଼୍ ପ୍ଲସ ସୁରକ୍ଷାରେ ୩୬ ଜଣ ସୁରକ୍ଷା କର୍ମୀ ନିଯୁକ୍ତି ହୋଇଥାଆନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରି ବଡ଼ ନେତାଙ୍କୁ ଏହି ସୁରକ୍ଷା ମିଳିଥାଏ । ଏଥିରେ ଏସପିଜି, ଏନ୍ଏସଜି ସୁରକ୍ଷା କର୍ମୀ ସାମିଲ ରହିଥାଆନ୍ତି। ଏହା ଦେଶର ସବୁଠାରୁ ବଡ଼ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଏ ।   ସେହିପରି ଜେଡ଼୍ ଶ୍ରେଣୀରେ ୨୨ ଜଣ ସୁରକ୍ଷା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ । ଆଇଟିବିପି ଓ ସିଆରପିଏଫ୍ ଜବାନ ଏଥିରେ ନିଯୁକ୍ତ ହୋଇଥାଆନ୍ତି । ଏହି ଶ୍ରେଣୀର ସୁରକ୍ଷାରେ ପାଇଲଟ୍ ଭ୍ୟାନ ମଧ୍ୟ ଯୋଗାଇ ଦିଆଯାଇଥାଏ ।

ୱାଇ ଶ୍ରେଣୀରେ ୧୧ ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥାଏ । ଏମାନଙ୍କ ମଧ୍ୟରେ ୨ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ମଧ୍ୟ ଅନ୍ତର୍ଭୁକ୍ତ । ୱାଇ ପ୍ଲସ ଶ୍ରେଣୀରେ ଏସକର୍ଟ ବାହନ ସହ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏବଂ ବାସଗୃହରେ ଗାର୍ଡ଼ କମାଣ୍ଡର ଓ ୪ ସୁରକ୍ଷା କର୍ମଚାରୀ ନିଯୁକ୍ତି ପାଇଥାଆନ୍ତି । ଏହି ଗାର୍ଡ଼ଙ୍କ ମଧ୍ୟରୁ ଜଣେ ସବ୍ ଇନିସପେକ୍ଟର ପାହ୍ୟାର ଅଧିକାରୀ ଥାଆନ୍ତି । ଅନ୍ୟ ୩ ସୁରକ୍ଷା କର୍ମୀ ସଶସ୍ତ୍ର ହୋଇଥାଆନ୍ତି । ଏକ୍ସ ବର୍ଗ ସୁରକ୍ଷାରେ ମାତ୍ର ୨ ଜଣ ସୁରକ୍ଷା କର୍ମୀ ମିଳିଥାଆନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବା ପିଏସଓ ଥାଆନ୍ତି ।

Comments are closed.