ଧାରା ୧୪୪ କ’ଣ ଓ ଉଲ୍ଲଂଘନ କଲେ କ’ଣ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସମାଜ ପୋର୍ଟାଲ ଡେସ୍କ: ଗତ କିଛି ଦିନ ଧରି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ‌‌ନେଇ ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଉଛି। ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ଏହି ଧାରା ଲାଗୁ କରାଯାଇଛି। ତେବେ ବାସ୍ତବରେ କ’ଣ ଏହି ଧାରା ୧୪୪ ଓ କାହିଁକି ଏହାକୁ ଲାଗୁ କରାଯାଏ ବା କିଏ ଲାଗୁ କରନ୍ତି ଏନେଇ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବ। ଆଜି ଆମେ ଧାରା ୧୪୪ ସମ୍ବନ୍ଧିତ ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଆପଣଙ୍କୁ ଜଣାଇବୁ।
ଭାରତରେ ସାଧାରଣତଃ ଆଇନ ବ୍ୟବସ୍ଥାର ସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖାଦେଲେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଥାଏ। ଏହି ଧାରା ଲାଗୁ ହେବା ପରେ ପୁଲିସ ୪ କିମ୍ବା ତା’ଠାରୁ ଅଧିକ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ରୀତ ହେବାକୁ ଦିଏନାହିଁ। ଏହାର ଉଲ୍ଲଂଘନ କଲେ ପୁଲିସ ଦୃଢ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥାଏ।

ଧାରା ୧୪୪ କ’ଣ ?

ଭାରତୀୟ ଦଣ୍ଡ ସଂହିତା(ସିଆରପିସି)ରେ ଥିବା ଧାରା ୧୪୪ ଶାନ୍ତି ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଲାଗୁ କରାଯାଇଥାଏ। ଏହି ଧାରାକୁ ବିଶେଷ ପରିସ୍ଥିତି ଯେପରିକି, ଦଙ୍ଗା, ଲୁଟ୍‌ପାଟ୍‌, ହିଂସା, ମାଡ଼ଗୋଳ ଆଦିକୁ ରୋକି ପୁନଃ ଶାନ୍ତି ଫେରାଇ ଆଣିବାକୁ ଲାଗୁ କରାଯାଇଥାଏ।

କିଏ ଲାଗୁ କରନ୍ତି ଧାରା ୧୪୪ ?

କୌଣସି ସ୍ଥାନ ବା ଜିଲାରେ ଧାରା ୧୪୪ ଲାଗୁ କରିବା ପାଇଁ ଜିଲାପାଳଙ୍କ ଦ୍ବାରା ଏକ ନିର୍ଦେଶନାମ ଜାରି କରାଯାଇଥାଏ। ଏହାପରେ ହିଁ ଉକ୍ତ ଅଶାନ୍ତ ଅଞ୍ଚଳରେ ଏହାକୁ ଲାଗୁ କରାଯାଏ।

ଧାରା ୧୪୪ ଲାଗୁ ହେଲେ କ’ଣ ହୋଇଥାଏ ?

ଯେଉଁ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଏ, ସେଠାରେ ୪ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ପାରିବେ ନାହିଁ। ସେହି ସ୍ଥାନରେ ପୁଲିସ ଓ ସୁରକ୍ଷାବଳଙ୍କ ବ୍ୟତୀତ ଆଉ କାହାକୁ ଅସ୍ତ୍ରଶସ୍ତ୍ର ରଖିବା ବା ନେବା ପାଇଁ ଅନୁମତି ଦିଆଯାଏ ନାହିଁ। ଲୋକମାନେ ଘର ବାହାରେ ବୁଲିବା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ ଓ ଯାତାୟତରେ ମଧ୍ୟ କଟକଣ ଲଗାଯାଇଥାଏ।

କେତେଦିନ ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ ରହିପାରିବ?

ନିୟମ ଅନୁସାରେ, କୌଣସି ଅଞ୍ଚଳରେ ଧାରା ୧୪୪ ଥରକରେ ଅଧିକରୁ ଅଧିକ ୨ ମାସ ପର୍ୟ୍ୟନ୍ତ ଲାଗୁ କରାଯାଇ ପାରିବ। ମାତ୍ର ଆବଶ୍ୟକ ପଡ଼ିଲେ ଏହି ସମୟସୀମାକୁ ସର୍ବାଧିକ ୬ ମାସ ପର୍ୟ୍ୟନ୍ତ ବୃଦ୍ଧି କରାଯାଇ ପାରିବ।

ଧାରା ୧୪୪ ଉଲ୍ଲଂଘନ କଲେ କି ଦଣ୍ଡ ମିଳେ ?

ଏହି ଧାରା ଲାଗୁ ହେବା ପରେ ଏହାର ପାଳନ କରିବା ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ଯଦି କେହି ବ୍ୟକ୍ତି ଏହି ଧାରାକୁ ଉଲ୍ଲଂଘନ କରୁଛି, ତେବେ ତାଙ୍କୁ ସର୍ବାଧିକ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ। ଏହି ସମୟରେ ଯଦି କେହି ପୁଲିସ କିମ୍ବା ସୁରକ୍ଷାବଳଙ୍କ କାର୍ୟ୍ୟରେ ହସ୍ତକ୍ଷେପ କରେ, ତେବେ ଏଥିପାଇଁ ସେ ଗିରଫ ହେବା ସହ ଜେଲ ମଧ୍ୟ ହୋଇପାରେ।

(ସୌଜନ୍ୟ-ଅମର ଉଜାଲା)

Comments are closed.