ନାଗରିକତ୍ବ ସଂଶୋଧନ ଆଇନର ଦ୍ବନ୍ଦ୍ବ

ସଂସଦର ଉଭୟ ଗୃହରେ ‘ନାଗରିକତ୍ବ ସଂଶୋଧନ ବିଲ୍‌’ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନ୍‌ରେ ପରିଣତ ହୋଇସାରିଛି। ଆଇନ୍‌ ‌ଅନୁସାରେ ପ​‌ଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁ ବର୍ଗଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ୩୧ ଡିସେମ୍ବର ୨୦୧୪ ମଧ୍ୟରେ ଭାରତକୁ ଆସିଥିବା ଏଭଳି ସଂଖ୍ୟାଲଘୁ ଏଠାରେ ନାଗରିକତା ପାଇଁ ଆବେଦନ କରିପାରିବେ। ଆଗରୁ ନାଗରିକତା ପାଇଁ ଶରଣାର୍ଥୀଙ୍କୁ ଭାରତରେ ଅନ୍ୟୂନ ଏଗାର ବର୍ଷ ରହିବାର ପ୍ରାବଧାନ ଥିଲା। ତା’କୁ ଏବେ ପାଞ୍ଚବର୍ଷକୁ କୋହଳ କରିଦିଆଯିବ। ଅର୍ଥାତ ପାଞ୍ଚବର୍ଷ ସେ ଯଦି ଶରଣାର୍ଥୀ ଭାବେ ରହିଛନ୍ତି, ତାଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇପାରିବ।
ଆଇନ୍‌କୁ ନେଇ ଦେଶର ଚାରିଆଡ଼େ ପ୍ରବଳ ବିରୋଧ ଆରମ୍ଭ ହୋଇଛି। ଉତ୍ତର-ପୂର୍ବାଞ୍ଚଳରେ ବିରୋଧର ମାତ୍ରା ଏତେ ତୀବ୍ର ଯେ ଇଣ୍ଟରନେଟ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆକୁ ସରକାର ବନ୍ଦ କରିଛନ୍ତି। ଗୁଆହାଟୀ, ଦିବ୍ରୁଗଡ଼, ସିଲଂ ଆଦି ପ୍ରମୁଖ ସହରରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସାମରେ ସରକାରୀ କର୍ମଚାରୀମାନେ ବିରୋଧରେ ସାମିଲ ହେଉଛନ୍ତି। ମୋଟାମୋଟି ଭାବେ କହିଲେ ଉତ୍ତର-ପୂର୍ବାଞ୍ଚଳ ପରିସ୍ଥିତି ଆୟତ୍ତକୁ ଆସି ପାରୁନାହିଁ। ଏହା ଯଦି ଆଗକୁ ମଧ୍ୟ ଅଣାୟତ୍ତ ରହେ, ଦେଶ ପାଇଁ ଘୋର ବିପଦ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। କେବଳ ଉତ୍ତର-ପୂର୍ବାଞ୍ଚଳ କାହିଁକି, ବାକି ଭାରତରେ ମଧ୍ୟ ଅନେକ ସ୍ଥାନରେ ଲୋ‌େକ ଆଇନ୍‌ର ବିରୋଧ କରି ସ୍ବତଃସ୍ଫୂର୍ତ୍ତ ଭାବେ ଧାରଣା, ପ୍ରଦର୍ଶନ କରୁଛନ୍ତି। ଅଶାନ୍ତି ବ୍ୟାପୁଛି।

ଯେଉଁମାନେ ଆଇନ୍‌ର ସପକ୍ଷରେ ସେମାନଙ୍କ କହିବା କଥା ଯେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ହେଲେ ମୁସଲିମ ଧର୍ମବହୁଳ ରାଷ୍ଟ୍ର। ସେଠାରେ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ ବର୍ଗ ଉପରେ ଖୋଲାଖୋଲି ଧାର୍ମିକ ଉତ୍ପୀଡ଼ନ ହେଉଛି। ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି। ବାଣିଜ୍ୟ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ରଖାଯାଉଛି। ଆଇନ୍‌ରେ ସଂଶୋଧନ କରି ଭାରତ ସେମାନଙ୍କୁ ଆଶ୍ରୟ ଦେବାର ପ୍ରତିଶ୍ରୁତି ଦେଉଛି। ଏହା ବି ଏକ ସ୍ବାଗତଯୋଗ୍ୟ ଏବଂ ମାନବିକତାପୂର୍ଣ୍ଣ କାର୍ଯ୍ୟ! ଆଇନ୍‌କୁ ବିରୋଧ କରାଯିବା ଏକ ‘ରାଷ୍ଟ୍ର ବିରୋଧୀ କାର୍ଯ୍ୟ’, ‘ଅମାନବୀୟ’ ମଧ୍ୟ। ମାତ୍ର ଆଇନ୍‌କୁ ବିଶ୍ଳେଷଣ କଲେ ଜଣାଯିବ ଯେ ବାହାରକୁ ଧାର୍ମିକ ଉତ୍ପୀଡ଼ନର ବିକଳ୍ପ ପ୍ରତୀକ ହେଉଥିବା ଏହି ‘ନାଗରିକ ସଂଶୋଧନ ଆଇନ ’ରେ କେତେକ ଦ୍ବନ୍ଦ୍ବ ରହିଛି। ସଂକ୍ଷେପରେ ତା’ର ପର୍ଯ୍ୟାଲୋଚନା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ।
ପ୍ରଥମ, ଭାରତର ସମସ୍ତ ପଡ଼ୋଶୀ ଦେଶକୁ ଆଇନ୍‌ରେ ବିଚାରକୁ ନିଆଯାଇନାହିଁ। କେବଳ ମୁସଲିମବହୁଳ ତିନିଟି ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଧାର୍ମିକ ଉତ୍ପୀଡ଼ନକୁ ବିଚାରକୁ ନିଆଯାଇଛି। ବାସ୍ତବିକତା ହେଲା ଯେ ଏହି ତିନିଟି ରାଷ୍ଟ୍ରକୁ ବାଦଦେଲେ ଭୁଟାନ,ନେପାଳ, ମ୍ୟାଁଆମାର ଏବଂ ଶ୍ରୀଲଙ୍କା ମଧ୍ୟ ଆମର ପଡ଼ୋଶୀ। ଶ୍ରୀଲଙ୍କାରେ ସଂଖ୍ୟାବହୁଳ ହେଲେ ବୌଦ୍ଧ ବର୍ଗ ଏବଂ ସଂଖ୍ୟାଲଘୁ ତାମିଲମାନଙ୍କ ଉପରେ ସେମାନଙ୍କ ଧାର୍ମିକ ଉତ୍ପୀଡ଼ନର ମାତ୍ରା ଏତେ ଅଧିକ ଯେ ଭାରତରେ ସବୁଠାରୁ ଅଧିକ ଶରଣାର୍ଥୀ ହେଲେ ଶ୍ରୀଲଙ୍କାରୁ ଆସିଥିବା ତାମିଲ ବର୍ଗ। ସଂଖ୍ୟାଲଘୁ ମୁସଲମାନ ମଧ୍ୟ ସେଠାରେ ଧାର୍ମିକ ଉତ୍ପୀଡ଼ନର ଶିକାର। ଅନେକ ବର୍ଷ ଧରି ସେଠାରେ ଗୃହଯୁଦ୍ଧର ସ୍ଥିତି ଲାଗି ରହିିଥିଲା।

ମ୍ୟଁାମାରରେ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନଙ୍କ ଗଣହତ୍ୟା ଚାଲିଛି। ରୋହିଙ୍ଗ୍ୟାମାନେ ଜୀବନ ବିକଳରେ ବାଧ୍ୟହୋଇ ବାଂଲାଦେଶ ଏବଂ ଭାରତକୁ ପଶି ଆସି ଅଯାଚିତ ଶରଣାର୍ଥୀ ଭାବେ ଦିନ କାଟୁଛନ୍ତି। ଭୁଟାନରେ ଖ୍ରୀଷ୍ଟିଆନମାନେ ସଂଖ୍ୟାଲଘୁ ଏବଂ ସେମାନଙ୍କୁ ଚର୍ଚ୍ଚ ସ୍ଥାପନର ମଧ୍ୟ ଦେଶରେ ଅଧିକାର ନାହିଁ। ପ୍ରାର୍ଥନା ପାଇଁ ସେମାନଙ୍କୁ ଭାରତ ସୀମାନ୍ତରେ ସ୍ଥାପିତ ଚର୍ଚ୍ଚକୁ ଆସିବାକୁ ପଡ଼େ। କେବଳ ଏତିକି ନୁହେଁ, ଯେଉଁ ମୁସଲମାନମାନଙ୍କୁ ଅନ୍ୟମାନେ ଏକ ‘ସମରୂପୀ ଧାର୍ମିକ ବର୍ଗ (ହୋମୋଜେନିଅସ ରିଲିଜିଅସ୍‌ କାଟଗୋରି)ମନେ କରନ୍ତି,ସେମାନଙ୍କ ମଧ୍ୟରେ ପୁଣି ‘ଅହମ୍ମଦିଆ’ ରହିଛନ୍ତି, ଯେଉଁ ବର୍ଗକୁ ସୁନ୍ନି ଓ ସିହା ବର୍ଗ କଦାପି ମୁସଲମାନ ବୋଲି ଗଣନ୍ତି ନାହିଁ। ପାକିସ୍ତାନରେ ଏହି ଅହମ୍ମଦିଆ ବର୍ଗ ଏବଂ ସିହା ବର୍ଗର ମୁସଲମାନ ହେବେ ସଂଖ୍ୟାବହୁଳ ସୁନ୍ନି ଗୋଷ୍ଠୀ ଦ୍ବାରା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ବର୍ଗଠାରୁ ମଧ୍ୟ ଅଧିକ ଧାର୍ମିକ ଉତ୍ପୀଡ଼ନର ଶିକାର। ସେହିଭଳି ବାଂଲାଦେଶରେ ୧୯୭୧ ମସିହା ପୂର୍ବରୁ ଉତ୍ତର ଭାରତରୁ (ଯେମିତି ବିହାର ଓ ଉତ୍ତର ପ୍ରଦେଶ ଆଦି) ଯାଇଥିବା ମୁସଲମାନମାନେ ସଂଖ୍ୟାବହୁଳ ବଙ୍ଗାଳୀ ଭାଷୀ ମୁସଲମାନଙ୍କ ଦ୍ବାରା ଧାର୍ମିକ ଉତ୍ପୀଡ଼ନର ଶିକାର। ଭାରତ ଯଦି ‘ଧାର୍ମିକ ଉତ୍ପୀଡ଼ନ’ର ଶିକାର ବ୍ୟକ୍ତିଙ୍କୁ ଶରଣ ଏବଂ ନାଗରିକତ୍ବ ଦେବ, ଏହି ସମସ୍ତ ଉତ୍ପୀଡ଼ିତଙ୍କୁ ତହିଁରୁ ବଞ୍ଚିତ କରାଯିବ କେମିତି? ସଂଶୋଧିତ ଆଇନ୍‌ରେ କେବଳ ତିନିଟି ଦେଶ ଏବଂ ତହିଁରେ ପୁଣି କେବଳ ଅଣ-ମୁସଲିମ ବର୍ଗକୁ ସାମିଲ କରାଯାଉଥିବାରୁ ଦେଶରେ ଧାର୍ମିକ ବିଭେଦ ସୃଷ୍ଟି ପ୍ରଚେଷ୍ଟା କରାଯାଉଛି ଏବଂ ଭାରତର ସମ୍ବିଧାନର ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ ହେଉଛି।

ଦ୍ବିତୀୟତଃ ଆଇନ୍‌ ଲାଗୁ ହେଲାପରେ ଉଭୟ ସଂଖ୍ୟାବହୁଳ ଏବଂ ସଂଖ୍ୟାଲଘୁଙ୍କ ପାଇଁ ପରିଣାମ ଭୟଙ୍କର ହେବାର ଆଶଙ୍କା ରହିଛି। ଭାରତରେ ପିଢ଼ିପିଢ଼ି ଧରି ରହି ଆସିଥିବା ମୁସଲମାନ ବର୍ଗ ପ୍ରତି ଭୟର କୌଣସି କାରଣ ନାହିଁ ବୋଲି ଆଇନ୍‌ର ସପକ୍ଷବାଦୀମାନେ ଆଶ୍ବାସନା ଦେଉଛନ୍ତି। ମାତ୍ର ଆଶ୍ବାସନା ଭ୍ରମାତ୍ମକ ମନେହୁଏ। ଭାରତର ମୁସଲମାନ ନାଗରିକଙ୍କୁ ତେଣିକି ଯେ କେହି ‘ବିଦେଶୀ’ ଏବଂ ‘ମୁସଲମାନ ବହୁଳ ରାଷ୍ଟ୍ରକୁ ଯାଇ ରହ’ ବୋଲି ଆକ୍ଷେପ କରିପାରିବ ଏବଂ ସେହି ପ୍ରକ୍ରିୟାରେ ସେମାନଙ୍କୁ ଭୟ ଓ ଅସୁରକ୍ଷାର ଶିକାର ହେବାକୁ ପଡ଼ିବ। ଏବେ ବି ଭାରତ ଧର୍ମନିରପେକ୍ଷ ହେବା ସତ୍ତ୍ବେ ସେମାନଙ୍କୁ ଧାର୍ମିକ ଆକ୍ଷେପ ଶୁଣିବାକୁ ପଡ଼େ, ଯାହା ସେମାନଙ୍କୁ ଭୟାତୁର ଏବଂ ପ୍ରତିକ୍ରିୟାଶୀଳ କରିଦିଏ। ଏଣିକି ଭୟଭାବ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହି ଅସ୍ବାଭାବିକତା ସେମାନଙ୍କୁ ଆହୁରି ‘ପଛୁଆ’ କରିଦେବ- ଶିକ୍ଷା, ବାଣିଜ୍ୟ, ବ୍ୟବସାୟ ଏବଂ ଚାକିରି ଆଦି କ୍ଷେତ୍ରରେ। ଆମକୁ ଜାଣି ରଖିବା ଉଚିତ୍‌ ଯେ, ରାଷ୍ଟ୍ରର କୌଣସି ଏକ ବର୍ଗ ପଛୁଆ ରହିଯିବା ଅର୍ଥ ମୋଟ ଦେଶର ଅଗ୍ରଗତି ଓ ବିକାଶର ଧାରା ବାଧାପ୍ରାପ୍ତ ହେବା!

ତୃତୀୟତଃ, ଏହା ସଂଖ୍ୟାବହୁଳ ହିନ୍ଦୁ ସମାଜ ପାଇଁ ମଧ୍ୟ ହିତକର ହେବ ନାହିଁ। ଭୟପ୍ରାପ୍ତ, ଶଙ୍କାଗ୍ରସ୍ତ ଏବଂ ସନ୍ଦେହର ଶିକାର ସଂଖ୍ୟାଲଘୁ ବର୍ଗକୁ ‘ଘୃଣାତ୍ମକ’ ପ୍ରତିକ୍ରିୟା ପାଇଁ ଏହା ଅନାୟାସରେ ଔଚିତ୍ୟ ପ୍ରଦାନ କରିବ। ଭାରତ ଏକ ବହୁବିଧ ଧାର୍ମିକ ସମାଜ। ଧର୍ମ ଅଲଗାଅଲଗା ହେବା ସତ୍ତ୍ବେ ଏଠି ଲୋ​‌େ​‌କ ଶାନ୍ତି ଓ ସୌହାର୍ଦ୍ଦ୍ୟରେ ରହିଆସିଛନ୍ତି। ତହିଁରୁ କୃତ୍ରିମଭାବେ ବିଚ୍ୟୁତି ଘଟିଲେ ତାହା ସାମଗ୍ରିକ ଭାବେ ଦେଶକୁ ଦିଗଭ୍ରଷ୍ଟ କରିବ। ଧର୍ମ ଆଧାରରେ ରାଷ୍ଟ୍ରର କଳ୍ପନା ଭ୍ରମାତ୍ମକ ବୋଲି ପାକିସ୍ତାନର ସ୍ଥାପନାରୁ ସିଦ୍ଧ ହୋଇଛି। ପାକିସ୍ତାନ ମୁସଲମାନ ରାଷ୍ଟ୍ର ହେବା ସତ୍ତ୍ବେ ଭାଷା ଆଧାରରେ ପୁଣି ୧୯୭୧ରେ ତାହା ବିଭାଜିତ ହୋଇଛି। ଶିକ୍ଷା, ବାଣିଜ୍ୟ, ବ୍ୟବସାୟ, ଆର୍ଥିକ ଓ ସାମାଜିକ ପ୍ରଗତି ଦୃଷ୍ଟିରୁ ପାକିସ୍ତାନ ହେଉଛି ଏକ ‘ବିଫଳ’ରାଷ୍ଟ୍ର। ତା’ର ପ୍ରମୁଖ କାରଣ ହେବ ଦେଶର ଧାର୍ମିକ ଆଧାର, ସଂଖ୍ୟାଲଘୁଙ୍କ ପ୍ରତି ପକ୍ଷପାତ ଓ ବହୁସଂଖ୍ୟକ ବାଦ। ‘ନାଗରିକତ୍ବ ସଂଶୋଧନ ଆଇନ୍‌’ କରି ଭାରତ ପରୋକ୍ଷରେ ପାକିସ୍ତାନୀ ବିଚାରର କ’ଣ ଅନୁକରଣ କରୁଛି କି ବୋଲି ପ୍ରଶ୍ନ ଉଠୁଛି। ଯେଉଁମାନେ ଭାରତର ବହୁସଂଖ୍ୟକବାଦୀ ରାଜନୀତିର ସପକ୍ଷରେ ସେମାନେ ପ୍ରଶ୍ନର ଉତ୍ତର ଖୋଜିବା ଉଚିତ। କାଗଜରେ ଧର୍ମନିରପେକ୍ଷ ରହି କାର୍ଯ୍ୟରେ ବହୁ ସଂଖ୍ୟକବାଦୀ ହେବାରେ ସାମଗ୍ରିକ ଭାବେ ଭାରତ ପାଇଁ ଶୁଭଙ୍କର ନୁହେଁ।

ଚତୁର୍ଥରେ ‘ନାଗରିକତ୍ବ ସଂଶୋଧନ ଆଇନ୍‌’କୁ ନେଇ ଭାରତର ଉତ୍ତର-ପୂର୍ବାଞ୍ଚଳ ସର୍ବାଧିକ ଶଙ୍କାଗ୍ରସ୍ତ। ସେଥିପାଇଁ ସେଠାରେ ପ୍ରତିବାଦର ମାତ୍ରା ମଧ୍ୟ ଅଧିକ। ଏହା ପଛରେ କାରଣ ହେଲା ଯେ ଉତ୍ତର-ପୂର୍ବାଞ୍ଚଳ ସୀମାରେ ଥିବା ବାଂଲାଦେଶରୁ ଆସୁଥିବା ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅନ୍ୟ ଦୁଇ ମୁସଲିମ୍‌ ରାଷ୍ଟ୍ର ତୁଳନାରେ ଅଧିକ। ଅନୁପ୍ରବେଶକାରୀ ହିନ୍ଦୁ ହୋଇପାରନ୍ତି, ମୁସଲମାନ ବି ହୋଇପାରନ୍ତି। ନିକଟରେ ସଂପନ୍ନ ହୋଇଥିବା ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜିକା) ଅନୁସାରେ ଆସାମରେ ଚିହ୍ନିତ ମୋଟ ୧୯ ଲକ୍ଷ ସନ୍ଦେହାସ୍ପଦ ନାଗରିକଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁୁ। ଆଇନ୍ କାର୍ଯ୍ୟକାରୀ ହେବା ପରେ ବିନା କଟକଣାରେ ଆହୁରି ଅଧିକ ବାଂଲାଦେଶୀ ହିନ୍ଦୁ ଆସାମ ଓ ଅନ୍ୟ ଉତ୍ତର-ପୂର୍ବାଞ୍ଚଳକୁ ଆସିବେ। ସେମାନଙ୍କ ଅନୁପ୍ରବେଶ ପଛରେ ଧାର୍ମିକ ଉତ୍ପୀଡ଼ନର କାରଣ ନଥାଇପାରେ। ରୋଜଗାରର ସମ୍ଭାବନା ଆଶାରେ ସେମାନଙ୍କ ମଧ୍ୟରୁ ଅନେକ ଦେଶାନ୍ତରୀ ହୁଅନ୍ତି। ସେମାନେ ସମସ୍ତେ ଯଦି ଆସାମ ଏବଂ ଅନ୍ୟ ଉତ୍ତର-ପୂର୍ବାଞ୍ଚଳରେ ନାଗରିକତ୍ବ ଲାଭ କରି ବାସ କରନ୍ତି, ଆସାମ ବା ଅନ୍ୟ ରାଜ୍ୟର ସ୍ଥାନୀୟ ସଂସ୍କୃତି ଓ ଅର୍ଥନୀତି ଅଯଥା ଭାରାକ୍ରାନ୍ତ ହେବ; କ୍ଷୟିଷ୍ଣୁ ହେବାର ଡର ବଢ଼ିଯିବ। ୧୯୮୦ ଦଶକରେ ଆସାମ ଛାତ୍ର ଆନ୍ଦୋଳନ ପଛରେ ସ୍ଥାନୀୟ ଅସ୍ମିତା ନଷ୍ଟ ହେବାର ଡର ପ୍ରଧାନ କାରଣ ଥିଲା। ସେଥିପାଇଁ ଅନେକ ବର୍ଷ ଧରି ଆସାମ ଅଶାନ୍ତ ରହିଲା। ମଣିପୁର, ନାଗାଲାଣ୍ଡ ଓ ମିଜୋରାମ ମଧ୍ୟ ସେତେବେଳେ ଅଶାନ୍ତି ରହିଥିଲା। ସୌଭାଗ୍ୟକ୍ରମେ ଏବେ କିଛିବର୍ଷ ହେଲା ପୂରା ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଫେରି ଆସିଛି। ତାକୁ ନାଗରିକତ୍ବ ସଂଶୋଧନ ବିଲ୍‌ ଅଶାନ୍ତ କରି ଦେବ କି? ଏହା ବି ଏକ ବିଚାର୍ଯ୍ୟ ପ୍ରଶ୍ନ।
ଅନେକ ବିଶେଷଜ୍ଞଙ୍କ ମତରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ସାମ୍ବିଧାନିକତାକୁ ଭଲ ଭାବେ ପରଖିବା ଉଚିତ। ଏଥିପାଇଁ ପ୍ରସଙ୍ଗଟିକୁ ସର୍ବୋଚ୍ଚ ନ୍ୟାୟାଳୟକୁ ନିଆଯାଇ ସାରିଲାଣି। ନ୍ୟାୟାଳୟ ଯଦି ପ୍ରତିକୂଳ ମତ ଦିଅନ୍ତି, ଏହା ଲାଗୁ ହୋଇ ପାରିବ ନାହିଁ। ସେ ଯାଏଁ ସମସ୍ତ ପକ୍ଷ ଅପେକ୍ଷା କରିବା ଠିକ୍‌ ହେବ। ଯେଉଁମାନେ ଏହାର ଖୋଲାଖୋଲି ବିରୋଧ ପ୍ରକଟ କରୁଛନ୍ତି, ସେମାନେ ସ୍ବ-ଭିନ୍ନ ମତକୁ ଜାହିର ରଖି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରିବା କଥା। ଶାନ୍ତିପୂର୍ଣ୍ଣ ଢଙ୍ଗରେ ଧାରଣା ପ୍ରଦର୍ଶନ, ପିକେଟିଂ ଏବଂ ଜେଲଭରୋ କାର୍ଯ୍ୟକ୍ରମକୁ ଯଦି ଆନ୍ଦୋଳନକାରୀ ଆପଣାଇବେ, ଆନ୍ଦୋଳନ ଦୀର୍ଘସ୍ଥାୟୀ ହେବ। ହିଂସା, ଜଳାପୋଡ଼ା, ରକ୍ତପାତ ଆଦି ସେମାନଙ୍କ ଯୁକ୍ତିପୂର୍ଣ୍ଣ ପ୍ରତିବାଦକୁ ମଧ୍ୟ ସ୍ବଳ୍ପାୟୁ କରିଦେବ। ଏହି ଦୃଷ୍ଟିରୁ ମହାତ୍ମାଗାନ୍ଧୀଙ୍କ ‘ସତ୍ୟାଗ୍ରହ’ ପନ୍ଥା ଆଜି ଅଧିକ ପ୍ରାସଙ୍ଗିକ ମନେହୁଏ। ଏହାଦ୍ବାରା ରାଷ୍ଟ୍ରର ଧନସମ୍ପତ୍ତି ନଷ୍ଟ ହୁଏ ନାହିଁ; ସାଙ୍ଗରେ ଭ୍ରମାତ୍ମକ ବିଲ୍‌ର ପକ୍ଷଧରମାନଙ୍କ ନିଜ ଭୁଲ ସଂଶୋଧନ ପାଇଁ ମଧ୍ୟ ଅବକାଶ ମିଳିବାର ସମ୍ଭାବନା ରହେ।

ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ନିକଟରେ ପ୍ରଣୀତ ‘ନାଗରିକତ୍ବ ସଂଶୋଧନ ଆଇନ୍‌’ ବିରୋଧରେ ଜନଆକ୍ରୋଶ ରହିଛି। ସଂଖ୍ୟାବଳରେ ତାହାକୁ ସରକାର ପାରିତ କରିଥିଲେ ମଧ୍ୟ ଜନମତକୁ ଏବେ ଉପେକ୍ଷା କରାଯିବା କଥା ନୁହେଁ। ପୁଣି, ଭିନ୍ନମତଧାରୀମାନେ ମଧ୍ୟ ନିଜର ବିରୋଧ ପ୍ରକଟ କଲାବେଳେ ସତ୍ୟାଗ୍ରହର ମାର୍ଗକୁ ସ୍ବଚ୍ଛମନରେ ଆଦରି ନେବା କଥା। ଧନଜୀବନ ନଷ୍ଟ ନକରି ଶାନ୍ତିପୂର୍ଣ୍ଣ ଉପାୟରେ ଭିନ୍ନମତକୁ ଜାହିର କରିବା ପାଇଁ ପ୍ରୟାସ କରାଗଲେ ଆମ ଗଣତନ୍ତ୍ରର ପରିପକ୍ବତା ପ୍ରତିଭାତ ହେବ। ଏହା ଆମର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୃଢ଼ମୂଳ ଏବଂ ଦୃଢ଼ବଳ ହେବାରେ ବି ସାହାଯ୍ୟ କରିବ।

Comments are closed.