ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳାର ଖେଳସୂଚୀ ଘୋଷିତ: ଅହମ୍ମଦାବାଦରେ ଦିନିକିଆ, କଲକାତାରେ ଟି୨୦

ନୂଆଦିଲ୍ଲୀ: ଫେବୃଆରୀ ଆରମ୍ଭରେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳ ଭାରତ ଆସୁଛି। ଏହି ଗସ୍ତରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ପାଇଁ ଶନିବାର ବିସିସିଆଇ ସଂଶୋଧିତ ଖେଳସୂଚୀ ଘୋଷଣା କରିଛି। ସଂଶୋଧିତ ଖେଳସୂଚୀ ଅନୁସାରେ ଏହି ୬ଟି ମ୍ୟାଚ୍‌ ୨ଟି ସହରରେ ଖେଳାଯିବ। ଏହା ଅନୁସାରେ ଫେବୃଆରୀ ୬, ୯ ଓ ୧୧ରେ ୩ଟି ଦିନିକିଆ ମ୍ୟାଚ୍‌ ଅହମ୍ମଦାବାଦରେ ଖେଳାଯିବ। ଫେବୃଆରୀ ୧୬, ୧୮ ଓ ୨୦ରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ କଲକାତାରେ ଖେଳାଯିବ। ଏହି ୨ଟି ସହରରେ ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ ହେବ। ଦେଶରେ କରୋନା ସଂକ୍ରମଣ ପରିସ୍ଥିତି ଦେଖି ବିସିସିଆଇର ଗସ୍ତ ଓ ଖେଳସୂଚୀ କମିଟି କେବଳ ଅହମ୍ମଦାବାଦ ଓ କଲକାତାରେ ସମସ୍ତ ମ୍ୟାଚ୍‌ ଖେଳିବାର ସୁପାରିସ କରିଥିଲା। ଶନିବାର ଏହି ସୁପାରିସକୁ ଅନୁମୋଦନ କରି ବିସିସିଆଇ ଖେଳସୂଚୀ ଘୋଷଣା କରିଛି।

୬ଟି ସହରରେ ଏହି ୬ଟି ମ୍ୟାଚ୍‌ ଖେଳାଯିବାର ଘୋଷଣା ପୂର୍ବରୁ ହୋଇଥିଲା। ମହାମାରୀ ସମୟରେ ଉଭୟ ଦଳର ଖେଳାଳିଙ୍କୁ ୬ଟି ସହରକୁ ଯିବାଆସିବା ଦ୍ବାରା ସଂକ୍ରମଣର ଭୟ ରହିବ। ପୁଣି ୬ଟି ସହରରେ ଖେଳାଳିଙ୍କ ହୋଟେଲରେ ଜୈବ ନିରାପତ୍ତା ବଳୟ ସୃଷ୍ଟି କରିବାକୁ ପଡ଼ିବ। ଏଥିପାଇଁ ୨ଟି ସହରରେ ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଫେବୃଆରୀ ୧୫ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବାର ଥିଲା। ହେଲେ କରୋନା ସଂକ୍ରମଣ ଯୋଗୁଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ମ୍ୟାଚ୍‌ ଆୟୋଜନରୁ ବଞ୍ଚିତ ହୋଇଛି। ତେବେ ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଗସ୍ତର ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌କୁ ଦେବା ପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କୁ ବିସିସିଆଇର କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.