ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାଂପ୍ରତିକ ଆବଶ୍ୟକତା

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ଏହାର ପୃଷ୍ଠଭୂମିରେ ଥିଲା ତିନି ଦଶନ୍ଧି ପୂର୍ବେ ତଥା ୧୯୯୧ ମସିହା ୩୦ ମାର୍ଚ୍ଚ ଦିନ ବିଧାନସଭାରେ ହୋଇଥିବା ଅାଲୋଚନା ଓ ୧୯୯୫ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡି-ବିଜେପିର ନିର୍ବାଚନ ପ୍ରତିଶ୍ରୁତି। ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ଦେବଗଡ, ଝାରସୁଗୁଡା, ବରଗଡ ଜିଲା ଏବଂ ଅନୁଗୋଳ ଜିଲାର ଆଠମଲ୍ଲିକ ସବ୍‍ ଡିଭିଜନର ସୀମା ସଂଲଗ୍ନ ଭୌଗୋଳିକ ସ୍ଥିତି, ସାଂସ୍କୃତିକ ଓ ଭାଷାଗତ ସମାନତା ରହିଥିବା ବେଳେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ରାଜ୍ୟର ପଛୁଅା ଅଞ୍ଚଳ ବୋଲି ଦୀର୍ଘ ଦିନରୁ ଏହି ଅଞ୍ଚଳର ସାଧାରଣ ଜନତାଙ୍କ ମଧ୍ୟରେ ଅାଞ୍ଚଳିକ ବିଷମତାକୁ ନେଇ ବଦ୍ଧମୂଳ ଧାରଣା ରହି ଆସିଛି। ପଶ୍ଚିମ ଓଡ଼ିଶା ଲୋକଙ୍କ ଏହି ଭାବନା ୯୦ ଦଶକରେ ବିଧାନସଭାରେ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଫଳିତ ହୋଇଥିଲା ଏବଂ ଏକ ସ୍ୱତନ୍ତ୍ର ବିକାଶ ପରିଷଦର ଦାବି ଉଠିଥିଲା। ୧୯୯୧ ମସିହା ମାର୍ଚ୍ଚ ୩୦ ଦିନ ବିଧାନସଭାରେ ଅଲୋଚନା ପରେ ତତ୍କାଳୀନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ବିଭିନ୍ନ ଜିଲା ଓ କେତେକ ରାଜ୍ୟ ଗସ୍ତ କରି ବିଭିନ୍ନ କମିଟି ଏବଂ ଅନୁଷ୍ଠାନ ସହିତ ଅଲୋଚନା କଲା ପରେ ଏବଂ ଅନେକ ବିଷୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଓ ବିଦ୍ୟୁତ୍‌କରଣ ଇତ୍ୟାଦି କ୍ଷେତ୍ରକୁ ଅନୁଧ୍ୟାନ କଲା ପରେ ବିକାଶର ମାନକ ପ୍ରସ୍ତୁତ କରି ରାଜ୍ୟର ବ୍ଲକଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରିବା ସହିତ ବିକାଶର ଶ୍ରେଣୀ ବିଭାଗ କରିଥିଲେ। ରାଜ୍ୟର ବ୍ଲକ ସ୍ତରରେ ବିକାଶର ବିଭାଗୀକରଣ କରି କ,ଖ,ଗ,ଘ ଶ୍ରେଣୀ ପ୍ରସ୍ତୁତ କରିଥିଲେ। କ ଶ୍ରେଣୀରେ ବିକଶିତ ବ୍ଲକ, ଖ ଶ୍ରେଣୀରେ ବିକାଶୋନ୍ମୁଖୀ, ଗ ଶ୍ରେଣୀରେ ପଛୁଆ ଓ ଘ ଶ୍ରେଣୀରେ ଅତିପଛୁଆ- ଏହିଭଳି ବିକାଶର ଚାରି ଶ୍ରେଣୀରେ ରାଜ୍ୟର ବ୍ଲକଗୁଡ଼ିକୁ ବିଭକ୍ତ କରି ତାଲିକା ପ୍ରସ୍ତୁତ କରାଯାଇ ୧୯୯୪ ମସିହାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଅନୁସାରେ ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡା ଜିଲାରେ ଗୋଟିଏ ବି ବିକଶିତ ବ୍ଲକ ନଥିବାବେଳେ ରାଜ୍ୟର ସମୁଦାୟ ୩୧୪ଟି ବ୍ଲକ ମଧ୍ୟରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ମାତ୍ର ୫ ପ୍ରତିଶତରୁ ମଧ୍ୟ କମ୍‍ ବିକଶିତ ବ୍ଲକ ଚିହ୍ନଟ କରାଯାଇଥିଲା।
ଏହି ସବୁକୁ ନେଇ ଜନତାଙ୍କ ମଧ୍ୟରେ ରହିଥିବା ରୋଷକୁ ଲକ୍ଷ୍ୟ କରି ୧୯୯୫ ମସିହା ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳ କ୍ଷମତାକୁ ଫେରିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ ବୋଲି ନିର୍ବାଚନିକ ପ୍ରତିଶ୍ରୁତି ଘୋଷଣାପତ୍ରରେ ସ୍ଥାନ ଦେଲେ। କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଫେରିଲା ଏବଂ ପଶ୍ଚିମ ଓଡ଼ିଶାରୁ ଯଥେଷ୍ଟ ସମର୍ଥନ ମଧ୍ୟ ଦଳକୁ ମିଳିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଲ୍‍ ବିଧାନସଭାରେ ଗୃହୀତ ହେବା ପରେ ୧୯୯୯ ମସିହାରେ ବିଧିବଦ୍ଧ ଭାବେ ପରିଷଦ ଗଠନ ହେଲା। ଏହି ବିକାଶ ପରିଷଦକୁ କ୍ଷମତାହୀନ ପରିଷଦ ବୋଲି ଅାଖ୍ୟା ଦେଇ ଅଧିକ କ୍ଷମତା ଦାବି କରି ବିଜେଡି–ବିଜେପି ମେଣ୍ଟ ଦଳ ୨୦୦୦ ମସିହା ନିର୍ବାଚନରେ କ୍ଷମତାକୁ ଫେରିଲେ ଏହାଠାରୁ ଏକ ଅଧିକ କ୍ଷମତାସମ୍ପନ୍ନ ବିକାଶ ପରିଷଦ ଗଠନ କରାଯିବ ବୋଲି ପୁଣି ପ୍ରତିଶ୍ରୁତି ଦେଲେ। ବିଜେଡି-ବିଜେପି ମେଣ୍ଟ ଦଳ କ୍ଷମତାକୁ ଫେରିଲେ ସତ; କିନ୍ତୁ ପରିଷଦକୁ ଅଧିକ କ୍ଷମତା ମିଳିଲା ନାହିଁ। ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ଅଧୀନରେ ଏହି ପରିଷଦ କାର୍ଯ୍ୟ କଲା। ସମୁଦାୟ ୮୯ଟି ବ୍ଲକକୁ ନେଇ ପରିଷଦ ଗଠିତ ହୋଇଛି। ଏହା ମଧ୍ୟରୁ ୩୪ଟି ବ୍ଲକ ଅତିପଛୁଆ ଶ୍ରେଣୀରେ ରହିଥିବାବେଳେ ୨୫ଟି ବ୍ଲକ ପଛୁଆ ଶ୍ରେଣୀରେ ରହିଛି। ପରିଷଦର ମୁଖ୍ୟ କାର୍ଯ୍ୟସୂଚୀରେ ଏହି ଅତି ପଛୁଆ ଓ ପଛୁଆ ବ୍ଲକଗୁଡ଼ିକର ଅଧିକ ସମନ୍ୱିତ ବିକାଶକୁ ମୁଖ୍ୟ କାର୍ଯ୍ୟସୂଚୀରେ ରଖାଯାଇ ଗୁରୁତ୍ୱାରୋପ କରାଯାଇଛି। ପରିଷଦ ଗଠନ ହେବା ପରେ ଇତିମଧ୍ୟରେ ଦୁଇ ଦଶନ୍ଧି ବିତିଯାଇଛି; କିନ୍ତୁ ବାସ୍ତବରେ ଏହି ପଛୁଆ ଏବଂ ଅତିପଛୁଆ ବ୍ଲକଗୁଡ଼ିକ ସମନ୍ୱିତ ବିକାଶ ପାଇଁ ପରିଷଦ ଠିକ୍‌ ଭାବରେ ଅର୍ଥ ବ୍ୟୟ କରୁନଥିବା କଥା କମ୍ପଟ୍ରୋଲର ଓ ଅଡିଟର ଜେନେରାଲଙ୍କ ଅଡିଟ ରିପୋର୍ଟରେ ସ୍ଥାନ ପାଇଛି। ବିଭିନ୍ନ ବ୍ଲକକୁ ୨୦୧୫ରୁ ୨୦୧୮ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇଥିବା ସମୁଦାୟ ଅର୍ଥ ପରିମାଣ ୪୦୯ କୋଟି ୭୨ଲକ୍ଷ ଟଙ୍କା। ଏହାର ୪୫ ପ୍ରତିଶତ ଅର୍ଥାତ୍‍ ସମୁଦାୟ ୧୮୩ କୋଟି ୪୧ ଲକ୍ଷ ଟଙ୍କା ବିକଶିତ ଓ ବିକାଶୋନ୍ମୁଖୀ ବ୍ଲକଗୁଡ଼ିକ ମଧ୍ୟରେ ଆବଣ୍ଟନ କରାଯାଇଥିବାବେଳେ ୩୧ ପ୍ରତିଶତ ଅର୍ଥାତ୍‌ ୧୨୮ କୋଟି ୭୯ ଲକ୍ଷ ଟଙ୍କା ଅତି ପଛୁଆ ବ୍ଲକକୁ ଏବଂ ୨୪ ପ୍ରତିଶତ ତଥା ୯୭ କୋଟି ୫୨ ଲକ୍ଷ ଟଙ୍କା ପଛୁଆ ବ୍ଲକ ପାଇଁ ଯଥାକ୍ରମେ ଆବଣ୍ଟନ କରାଯାଇଥିବା ଜଣାଯାଇଛି। ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ପଛୁଆ ଏବଂ ଅତି ପଛୁଆ ବ୍ଲକର ବିକାଶ ପାଇଁ ଯେଉଁଭଳି ଭାବରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବା କଥା ତାହା କରାଯାଉ ନାହିଁ ଯାହାକି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରୁ ଅନ୍ୟତମ। ପରିଷଦ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ଅର୍ଥ ଦିଅାଯାଇଛି। ଯେଉଁ ଘରୋଇ ଶିକ୍ଷାନୁଷ୍ଠାନମାନେ ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଅର୍ଥ ପାଇଛନ୍ତିି ସେମାନଙ୍କୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ କୌଣସି ରିଆତି ମଧ୍ୟ ଦେଇନଥିବା ରିପୋର୍ଟରେ କୁହାଯାଇଛି। ଏଭଳି ଘୋର ଅନିୟମିତତା କଥା ଅଡିଟ ରିପୋର୍ଟରେ କୁହାଯାଇଛି।
ଦୀର୍ଘ ଦିନ ଧରି ସଭ୍ୟ ପଦଗୁଡ଼ିକ ଖାଲି ରହୁଥିବା ଦର୍ଶାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ଦୃଷ୍ଟିଗୋଚର ହେଉ ନାହିଁ। ଦୀର୍ଘ ଦିନ ଅଧ୍ୟକ୍ଷ ପଦ ଖାଲି ରହିବା ପରେ ପୂର୍ବ ମୁଖ୍ୟ ଶାସନ ସଚିବଙ୍କୁ ନିକଟରେ ନିଯୁକ୍ତି ଦିଅାଯାଇଛି। ଜଳସେଚନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରାଯାଇଛି। ରାଜ୍ୟ ସରକାର ୨୦୦୮ ବର୍ଷକୁ ଜଳସେଚନ ବର୍ଷ ବୋଲି ଘୋଷଣା କରିଥିଲେ ମଧ୍ୟ ପରିଷଦ ଏହାକୁ ଉପେକ୍ଷା କରିଛି। ଚିନ୍ତାଶୂନ୍ୟ ଏବଂ ଦୂରଦୃଷ୍ଟିହୀନ ପ୍ରକଳ୍ପ ଖର୍ଚ୍ଚର କଥା ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟ ସାନ ନଦୀରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଏବଂ କଲଭର୍ଟ ଏକ ଉଦାହରଣ। ଜଳଭଣ୍ଡାର ବିଚ୍ଛିନ୍ନାଞ୍ଚଳରେ ରହୁଥିବା ୫ ହଜାର ଲୋକ ବର୍ତ୍ତମାନ ଡଙ୍ଗା ଉପରେ ନିର୍ଭରଶୀଳ। ଅାଉ ଏକ ପୋଲ ନିର୍ମାଣ ନହେଲେ ବର୍ତ୍ତମାନ ସମସ୍ୟା ସମାଧାନ ହେବ ନାହିଁ। ପରିଷଦ ପକ୍ଷରୁ ତିନୋଟି ମେଡିକାଲ କଲେଜ ପ୍ରସ୍ତାବ ମଧ୍ୟ ବିଫଳ ହେଲା। ବଲାଙ୍ଗିରରେ ଏହା ଆରମ୍ଭ ନ ହୋଇ ପ୍ରକଳ୍ପ ବନ୍ଦ ହୋଇଥିବା ବେଳେ କଳାହାଣ୍ଡି ଏବଂ ରାଉରକେଲାରେ ଆରମ୍ଭ ହୋଇ ଅଧା ବାଟରେ ବନ୍ଦ ହୋଇଯାଇଛି। ବଲାଙ୍ଗିର ମେଡିକାଲ କଲେଜ ପାଇଁ ୨୭ ଲକ୍ଷ ଟଙ୍କା ଓବିସିସିକୁ ଦିଆଯାଇଥିବାବେଳେ କଳାହାଣ୍ଡି ଜିଲା ଜାରିଙ୍ଗସ୍ଥିତ ମେଡିକାଲ କଲେଜ ପାଇଁ ୧୦ କୋଟି ଟଙ୍କା ଦିଆଯାଇଥିଲା। ସେହିଭଳି ରାଉରକେଲା ମେଡିକାଲ କଲେଜ ପାଇଁ ୭ କୋଟି ୯୭ ଲକ୍ଷ ୭୬ ହଜାର ୪୧୨ ଟଙ୍କା ପରିଷଦକୁ ସରକାରଙ୍କ ଅନୁଦାନ ଟଙ୍କାରୁ ଦିଅଯାଇଥିଲା। କଳାହାଣ୍ଡି ଏବଂ ରାଉରକେଲା ମେଡିକାଲ କଲେଜ ପାଇଁ ଦିଅାଯାଇଥିବା ଟଙ୍କା ଫେରସ୍ତ ବିଷୟ ବର୍ତ୍ତମାନ ନ୍ୟାୟାଳୟରେ ବିଚାରାଧୀନ ଅଛି ବୋଲି ଯୋଜନା ଓ ସମ୍ମିଳନ ବିଭାଗର ତଥ୍ୟରୁ ଜଣାପଡିଛି। ଧାର୍ଯ୍ୟ ସମୟ ସ୍ଥିର କରାଯାଇ ଏକ ନିର୍ଦିଷ୍ଟ କ୍ଷେତ୍ରର ବିକାଶ ଲକ୍ଷ୍ୟ ନେଇ ପରିଷଦ କାର୍ଯ୍ୟ କରୁଥିବା ଉଦାହରଣ ବର୍ତ୍ତମାନ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇନାହିଁ। ବିକାଶ ପରିଷଦ ଅର୍ଥରୁ ୮୯ଟି ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ଜଳସେଚନ ଇତ୍ୟାଦି କୌଣସି କ୍ଷେତ୍ରର ଅାଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ।
ଯେଉଁ ଉଦ୍ଦେଶ୍ୟ ନେଇ ପରିଷଦ ଗଠନ କରାଯାଇଥିଲା ଦୁଇ ଦଶନ୍ଧି ପରେ ତାହା ଆଦୌ ସାଧିତ ହୋଇଥିବା ଅନୁଭବ ହେଉନାହିଁ ଏବଂ ଏହି ଧାରା ବଜାୟ ରହିଲେ ଭବିଷ୍ୟତରେ ମଧ୍ୟ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଆଶା ଦେଖାଯାଉ ନାହିଁ। ତେଣୁ ପରିଷଦର ଢାଞ୍ଚାଗତ ଏବଂ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ କରାନଗଲେ ପରିଷଦର ଅାବଶ୍ୟକତାକୁ ଏହି ଅଞ୍ଚଳର ଲୋକେ ଅଗ୍ରାହ୍ୟ କରିବା ଭଳି ସମ୍ଭାବନା ସୃଷ୍ଟି ହୋଇପାରେ। ଏଭଳି ପରିସ୍ଥିତି ପାଇଁ ପରିଷଦରେ ବିଭିନ୍ନ ସମୟରେ ସମ୍ପୃକ୍ତ ଏହି ଅଞ୍ଚଳର ରାଜନୈତିକ ନେତୃତ୍ୱକୁ ଦାୟୀ କରାଯିବାର ଯଥାର୍ଥତା ରହିଛି। ରାଜ୍ୟର ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଥମ ଥର ପାଇଁ ଏହାର ଦାୟିତ୍ୱ ଦିଅାଯାଇ ସରକାର ଏକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ ଗଠିତ ପରିଷଦର ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟଣ ହେଉନଥିବା ଜାଣି ସୁଦ୍ଧା ସରକାର ଆଖି ବୁଜିଦେଲେ ପଶ୍ଚିମ ଓଡ଼ିଶାର ଲୋକଙ୍କ ମଧ୍ୟରେ ରହିଥିବା ଅାଞ୍ଚଳିକ ବୈଷମ୍ୟ ମନୋଭାବ ଭବିଷ୍ୟତରେ ଆହୁରି ବୃଦ୍ଧି ହୋଇପାରେ ଏବଂ ଏହି ପରିଷଦର ଅାବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।

ହେମନ୍ତ କୁମାର ପଣ୍ଡା

ଟିକ୍ରାପଡା, ବଲାଙ୍ଗିର, ମୋ- ୯୪୩୭୩୬୭୯୯୯

Comments are closed.