ହାରଜିତ ମଝିରେ ମମତା – ଭୋଟ ପୁନଃ ଗଣନା ପାଇଁ ଲେଖିଲେ ଚିଠି, ସରକାର ଗଠନ ପାଇଁ କାଲି କରିବେ ଦାବି

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମରେ ପରାସ୍ତ ହୋଇଥିଲେ ମଧ୍ୟ ଟିଏମସି ୨୧୫ଟି ଆସନରେ ଆଗରେ ଅଛି। ନନ୍ଦିଗ୍ରାମ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ମାତ୍ର ୧ ହଜାର ୬୨୨ଟି ଭୋଟ ବ୍ୟବଧାନରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ତେବେ ଇତି ମଧ୍ୟରେ ମମତା ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟକୁ ଏକ ପତ୍ର ଲେଖି ନନ୍ଦିଗ୍ରାମ ବିଧାନସଭା ଆସନର ଭୋଟ୍ ପୁନଃ ଗଣନା ପାଇଁ ଦାବି କରିଛନ୍ତି। ଆଜି ଦିନତମାମ କେତେବେଳେ ଶୁଭେନ୍ଦୁ ଓ କେତେବେଳେ ମମତା ଆଗରେ ଥିବା ଖବର ଆସିବା ପରେ ଅପରାହ୍ନରେ ମମତା ବାନାର୍ଜୀ ୧୨୦୦ ଭୋଟରେ ବିଜୟ ଲାଭ କରିଥିବା ଖବର ଆସିଥିଲା।

ତେବେ ସନ୍ଧ୍ୟା ବେଳକୁ ସୁଭେନ୍ଦୁଙ୍କ ଜିତିବା ଖବର ଆସିବା ପରେ ଟିଏମସିର କର୍ମକର୍ତ୍ତା ମାନେ ଉଗ୍ର ରୂପ ଧାରଣ କରିଥିଲେ ଓ କିଛି ବିଜେପି ଅସ୍ଥାୟୀ କାର୍ଯ୍ୟାଳୟରେ ନିଅଁ ଲଗାଇ ଦେଇଥିଲେ। କେବଳ ସେତିକି ନୁହେଁ, ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରମାଣ ପତ୍ର ଆଣିବାକୁ ଯାଇଥିବା ବେଳେ ଟିଏମସି କର୍ମୀମାନେ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ।

ଅନ୍ୟପକ୍ଷରେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଭୋଟ ଗଣତି ବାରମ୍ବାର ବନ୍ଦ ହେବା ସହ ଇଭିଏମ ଟାମ୍ପରିଙ୍ଗ, ନାକଚ ହୋଇଥିବା ଭୋଟକୁ ବିଜେପି ସପକ୍ଷରେ ନେବା, ବାଲଟ ଓ ପୋଷ୍ଟାଲ ଭୋଟରେ ଜାଲିଆତି ହୋଇଛି। ତେବେ ନନ୍ଦିଗ୍ରାମ ଭୋଟ ଗଣନା ଅଧିକାରୀ ପୁନଃ ଗଣନା ପାଇଁ ମନା କରିବ ପରେ ସେ ଏହି ଅଭିଯୋଗ କରିଛନ୍ତି।

ଆସନ୍ତାକାଲି ସନ୍ଧ୍ୟାରେ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ସାକ୍ଷାତ କରିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି।

Comments are closed.