ୱେଷ୍ଟଇଣ୍ଡିଜ୍‌ର ଚମକପ୍ରଦ ବିଜୟ

ବାଂଲାଦେଶର ୩ୟ ପରାଜୟ

ସାରଜା  : ନିକୋଲାସ ପୁରନଙ୍କ ବିସ୍ଫୋରକ ଇନିଂସ ପରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ବିଜୟ ହାସଲ କରିଛି । ଶୁକ୍ରବାର ସାରଜାରେ ଗ୍ରୁପ-ଏ ର ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌ ୩ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ ଆଶାକୁ ବଜାୟ ରଖିଥିବାବେଳେ ବାଂଲାଦେଶର ଆଶା ଶେଷ ହୋଇଛି। ନିଲୋକାସ ପୁରନ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ​‌
ୱେଷ୍ଟଇଣ୍ଡିଜ୍‌ ବିଜୟ ପାଇଁ ବାଂଲାଦେଶ ସମ୍ମୁଖରେ ୧୪୩ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୫ ୱିକେଟ ହରାଇ ୧୩୯ରନ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପ୍ରାରମ୍ଭରୁ ୨୯ରନ ମଧ୍ୟରେ ଦୁଇଟି ୱିକେଟ ମହମ୍ମଦ ନଇମ୍‌ ୧୭ ଓ ସାକିବ୍‌ ଉଲ୍‌ ହାସନ ୯ଙ୍କ ୱିକେଟ ହରାଇଥିଲା। ତୃତୀୟ ୱିକେଟରେ ଲିଟନ ଦାସ ଓ ସୌମ୍ୟ ସରକାର ୩୧ରନ ଯୋଡ଼ିଥିଲେ। ସୌମ୍ୟ ୧୭ରନ କରି ଆଉଟ୍‌ ହୋଇଥିଲେ। ଦଳ ୬୦ରନରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟ ପାଇଁ ଲିଟନ ଓ ମୁସ୍ତାଫିକ୍ୟୁର ରହିମ ୩୦ରନ ଯୋଗ କରିବା ସହିତ ସ୍କୋରକୁ ୯୦ରନରେ ପହଞ୍ଚାଇଥିଲେ। ରହିମ୍‌ ୮ ରନକରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଅଧିନାୟକ ମହମ୍ମଦୁଲ୍ଲା ଓ ଲିଟନ ୪୦ରନ ଯୋଗ କରିବା ସହିତ ଦଳକୁ ବିଜୟ ଅଭିମୁଖେ ଅଗ୍ରସର କରାଇଥିଲେ। ୧୩୦ରନ ସ୍କୋର ଥିବାବେଳେ ଲିଟନ ୪୪ରନ କରି ଆଉଟ୍‌ ହୋଇଥିଲ। ଶେଷ ଓଭରରେ ବିଜୟ ପାଇଁ ୧୩ରନ ଆବଶ୍ୟକ ଥିବାବେଳେ ଦଳ ୯ରନ କରିବାକୁ ସକ୍ଷମ ହୋଇଥିଲେ। ଅଧିନାୟକ ମହମ୍ମଦୁଲ୍ଲା ୩୧ରନ କରିଅପରାଜିତ ରହିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ରବି ରାମପାଲ, ଜାସନ ହୋଲ୍ଡର, ଆ​‌େ​‌ନ୍ଦ୍ର ରସେଲ, ଅକେଲା ହୋସେନ ଓ ଡାରେନ ବ୍ରାଭୋ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବାଂଲାଦେଶ ଟସ୍‌ ଜିଣି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍‌ ପାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୮ରନରେ ଦୁଇ ଓପନର କ୍ରିଗ ଗେଲ (୪) ଓ ଇଭିନ୍‌ ଲୁଇସ୍‌(୬)ଙ୍କୁ ହରାଇଥିଲା। ତୃତୀୟ ୱିକେଟରେ ରୋଷ୍ଟନ ଚେଜ୍‌ ଓ ସିମ୍‌ରନ ହେତ୍‌ମେୟାର ୧୪ରନ ଯୋଡିଥିଲେ। ୩୨ରନ ସ୍କୋର ଥିବାବେଳେ ହେତମେୟାର ୯ରନ କରି ଆଉଟ୍‌ ହୋଇଥିଲେ। ଚେଜ୍‌ ଓ ଅଧିନାୟକ କିରନ ପୋଲାର୍ଡ ସ୍କୋରକୁ ୬୨ରନରେ ପହଞ୍ଚାଇଥିଲେ। ଚେଜ୍‌ ୪୬ଟି ବଲରୁ ୨ଟି ଚୌକା ସହାୟତାରେ ୩୯ରନ କରି ଆଉଟ୍‌ ହୋଇଥିଲେ। ଆଣ୍ଡ୍ୟୁ ରସେଲ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ନିକୋଲାସ ପୁରନଙ୍କ ବିସ୍ଫୋରକ ୨୨ଟି ବଲରୁ ଗୋଟିଏ ଚୌକା ଓ ୪ଟି ଛକା ସହ ୪୪ ଓ ଜାସନ ହୋଲ୍ଡରଙ୍କ ୫ ବଲରୁ ଅପରାଜିତ ୧୫ରନ ସହାୟତାରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୪୨ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୋଲାର୍ଡ ୧୫ ରନ କରି ରିଟାର୍ଡ ହଟ୍‌ ନେଇଥିଲେ। ବାଂଲାଦେଶ ପକ୍ଷରୁ ମାହିଦି ହାସନ, ମୁସ୍ତାଫିଜୁର ରହମାନ ଓ ସୌରିଫୁଲ ଇସ୍‌ଲାମ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଦୁଇଥର ବିଜେତା ୱେଷ୍ଟଇଣ୍ଡିଜ୍‌ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ସେମିଫାଇନାଲ ଆଶା ବଜାୟ ରଖିଥିବାବେଳେ ବାଂଲାଦେଶ ୩ଟି ମ୍ୟାଚରୁ ୩ଟି ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ଏକ ପ୍ରକାର ବାଦ୍‌ ପଡ଼ିଛି।

ବ୍ୟାଟିଂ କରିନପାରି ପଡ଼ିଆ ଛାଡ଼ିଲେ ପୋଲାର୍ଡ

ବାଂଲାଦେଶ ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରନ ପୋଲାର୍ଡଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୋଲାର୍ଡ ବ୍ୟାଟିଂରେ ୧୮ଟି ବଲ ଖେଳି ଗୋଟିଏ ଛକା ସହାୟତାରେ ୧୫ରନ କରିଥିବାବେଳେ ଆଉଟ୍‌ ନହୋଇ ପଡିଆ ଛାଡ଼ି ପଳାଇ ଯାଇଥିଲେ । ଦ୍ରୁତ ଗତିରେ ରନ କରିବାରୁ ପୋଲାର୍ଡ ବିଫଳ ହେବାରୁ ପଡିଆ ଛାଡ଼ି ପଳାଇଥିଲେ । ପୋଲାର୍ଡଙ୍କ ଭଳି ଜଣେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନଙ୍କ ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟ କରିଥିଲା।

Comments are closed.