ଭାରତ ବିପକ୍ଷ ୨ଟି ଦିନିକିଆରୁ ଇଣ୍ଡିଜ୍‍ ପ୍ରଶିକ୍ଷକ ଲ’ ନିଲମ୍ବିତ

0

ହାଇଦରାବାଦ : ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ପ୍ରଶିକ୍ଷକ ଷ୍ଟୁଆର୍ଟ ଲ’ ଘରୋଇ ଭାରତ ବିପକ୍ଷ ପ୍ରଥମ ୨ଟି ଦନିକିଆ ମ୍ୟାଚ୍‍ରେ ଦଳ ସହ ରହିପାରିବେ ନାହିଁ। ଭାରତ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‍ରେ ମ୍ୟାଚ୍‍ ଅଫିସିଆଲଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ଯୋଗୁଁ ଆଇସିସି ତାଙ୍କ ପ୍ରତି ଏପରି ଦଣ୍ଡବିଧାନ କରିଛି। ଷ୍ଟୁଆର୍ଟ ଲ’ଙ୍କର ୧୦୦ ପ୍ରତିଶତ ମ୍ୟାଚ୍‍ ପାରିଶ୍ରମିକ ମଧ୍ୟ ଆଇସିସି କାଟିଦେଇଛି।
ଗତ ୨୪ ମାସ ମଧ୍ୟରେ ଷ୍ଟୁଆର୍ଟ ଲ’ ୪ଟି ନାସ୍ତିସୂଚକ ପଏଣ୍ଟ ପାଇଥିବାରୁ ତାଙ୍କୁ ୨ଟି ଦିନିକିଆ ମ୍ୟାଚ୍‍ରୁ ନିଲମ୍ବନ କରାଯାଇଛି। ଫଳରେ ଘରୋଇ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‍ ଖେଳିବାକୁ ଥିବା ପ୍ରଥମ ୨ଟି ଦିନିକିଆ (ଅକ୍ଟୋବର ୨୧, ଗୁଆହାଟୀ ଓ ୨୪, ବିଶାଖାପାଟଣା)ରେ ଦଳର ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବାରୁ ବଞ୍ଚିତହେବେ। ହାଇଦରାବାଦରେ ଖେଳା ଯାଇଥିବା ୨ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‍ର ୩ୟ ତଥା ଅନ୍ତିମଦିନରେ ଉପରୋକ୍ତ ଘଟଣା ଘଟିଥିଲା। ୨ୟ ଇନିଂସରେ ତାଙ୍କ ଦଳର ଓପ୍‍ନର କୈରନ୍‍ ପୱେଲ ଆଉଟ ଘୋଷିତ ହେବା ପରେ ଷ୍ଟୁଆର୍ଟ ଲ’ ଟିଭି ଅମ୍ପାୟାରଙ୍କ କୋଠରୀକୁ ଯାଇ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପରେ ସେ ୪ର୍ଥ ଅମ୍ପାୟାରଙ୍କ ପାଖକୁ ଯାଇଥିଲେ ଏବଂ ଖେଳାଳିଙ୍କ ଉପସ୍ଥିତିରେ ସେ ୪ର୍ଥ ଅମ୍ପାୟାରଙ୍କୁ ମଧ୍ୟ ଆପତ୍ତିଜନକ କଥା କହିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍‍ସମ୍ୟାନ୍‍ ଷ୍ଟୁଆର୍ଟ ଲ’ଙ୍କ ବିରୋଧରେ ଆଇସିସିି ଆଚାର ସଂହିତା ଧାରା ୨.୭ର ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। ଲ’ଙ୍କ ବିରୋଧରେ ଦୁଇ ପଡ଼ିଆ ଅମ୍ପାୟାର ବ୍ରୁସ୍‍ ଅକ୍ସେନ୍‍ଫୋର୍ଡ ଓ ଇଆନ୍‍ ଗୁଡ୍‍, ୩ୟ ଅମ୍ପାୟାର ନାଇଜେଲ ଲଙ୍ଗ୍‍ ଓ ୪ର୍ଥ ଅମ୍ପାୟାର ନୀତୀନ ମେନନ୍‍ ଅଭିଯୋଗ କରିଥିଲେ। ପୂର୍ବରୁ ୨୦୧୭ରେ ପାକିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ୍‍ରେ ମଧ୍ୟ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରି ଷ୍ଟୁଆର୍ଟ ଲ’ ଦଣ୍ଡିତ ହୋଇଥିଲେ।

Leave A Reply