ମୋଦୀ ଏବଂ ଶାହାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶହାଙ୍କୁ ଭେଟି ରାଜ୍ୟରେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ଏହାକୁ ଔପଚାରିକ ସାକ୍ଷାତକାର ବୋଲି କୁହାଯାଉଛି। ତେବେ ଏହି ସାକ୍ଷାତକାରରେ ରାଜ୍ୟପାଳ ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ ନେଇ ମୋଦୀ ଓ ଶାହାଙ୍କୁ ଅବଗତ କରାଇଥିବା ଚର୍ଚ୍ଚା ହେଉଛି।
ସପ୍ତଦଶ ଲୋକସଭା ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। ଉତ୍ତର ଚବିଶପ୍ରଗଣାର ହାଟଗାଚ୍ଛି ଏବଂ ବାଗିପାଡ଼ାରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ବିଜେପିର ୫ ଓ ଟିଏମସିର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଛି। ଏହି ହିଂସାକାଣ୍ଡ ପରେ ବିଜେପି ପକ୍ଷରୁ ଉତ୍ତରଚବିଶ ପ୍ରଗଣାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ସ୍ଥିତି ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ଅମିତ ଶହାଙ୍କ ଅଧଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ବୈଠକ ପରେ ରାଜ୍ୟପାଳ କହିଥିଲେ ମୋତେ ଯାହା କହିବାର ଥିଲା ମୁଁ କହିସାରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ରବିବାର ପଶ୍ଚିମବଙ୍ଗ ସରକାରଙ୍କୁ ଆଇନଶୃଙ୍ଖଳ ବ୍ୟବସ୍ଥା ଉପରେ ରିପୋର୍ଟ ମାଗିଛନ୍ତି। ଏବେ ସମସ୍ତଙ୍କ ନଜର ଗୃହ ମନ୍ତ୍ରାଳୟର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Comments are closed.