ପଶ୍ଚିମବଙ୍ଗ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସର ଅନେକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଲାଭ କରିବାକୁ ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ସବୁ ଆସନରେ ନିର୍ବାଚନ ହୋଇ ନାହିଁ ତାର ଟିକିନିଖି ପରିସଂଖ୍ୟାନ ବୁଧବାର ସୁଦ୍ଧା ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନରେ ହଜାର ହଜାର ସଂଖ୍ୟକ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିଲେ। ଅର୍ଥାତ ତୃଣମୂଳ କଂଗ୍ରେସ ପ୍ରାର୍ଥୀମାନେ ବିନା ନିର୍ବାଚନରେ ବିଜୟୀ ହୋଇଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ମୋଟ ୫୮, ୬୯୨ଟି ପଞ୍ଚାୟତ ଆସନରୁ ୨୦,୦୭୬ଟି ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଥିଲେ। ଏତେ ସଂଖ୍ୟକ ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀ ନ ରହିବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ୧୦୦ କିମ୍ବା ୨୦୦ ଆସନରେ ପ୍ରତିଦ୍ୱନ୍ଦ୍ୱୀ ନ ରହିବା ଗ୍ରହଣ ଯୋଗ୍ୟ। ମାତ୍ର ହଜାର ଆସନରେ ପ୍ରତିଦ୍ୱନ୍ଦ୍ୱୀ ନ ରହିବା ଆଶ୍ଚର୍ଯ୍ୟର ବିଷୟ। ତୃଣମୂଳ ଯେଉଁ ସବୁ ଆସନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛି ସେହିସବୁ ଆସନଗୁଡିକ ବୀରଭୂମ, ବାଙ୍କୁରା, ମୁର୍ସିଦାବାଦ ଓ ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ସବୁ ଆସନରେ ନିର୍ବାଚନ ହୋଇ ନାହିଁ ତାର ଟିକିନିଖି ପରିସଂଖ୍ୟାନ ବୁଧବାର ସୁଦ୍ଧା ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ପଞ୍ଚାୟତ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ଏପରି ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା ଦେଇଛି। ସୁପ୍ରିମକୋର୍ଟ କହିଛନ୍ତି ବିନା ନିର୍ବାଚନରେ ପ୍ରାର୍ଥୀ ବିଜୟୀ ହେବା ଅର୍ଥ ତୃଣମୂଳସ୍ତରରେ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ନାହିଁ। ଜିଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତର କେଉଁ ସବୁ ଆସନରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି ତାର ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ୨୦୦୩ରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ୬୮୦୦ ଆସନ (୧୧%)ରେ ନିର୍ବାଚନ ହୋଇନଥିଲା। ୨୦୧୩ରେ ୬୨୭୪ ଆସନ (୧୦.୬୬%)ରେ ନିର୍ବାଚନ ହୋଇ ନଥିଲା। ୨୦୧୮ରେ ୨୦,୦୭୬ ଆସନ (୩୪%)ରେ ନିର୍ବାଚନ ହୋଇ ନଥିଲା। ମେ ୧୪ରେ ପଶ୍ଚିମବଙ୍ଗରେ ଗୋଟିଏ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା।

Leave A Reply