ପଶ୍ଚିମବଙ୍ଗ ନିର୍ବାଚନ: ତ୍ରିକୋଣୀୟ ନା ଦ୍ବିମୁଖୀ? କଂଗ୍ରେସ-ବାମ ମେଣ୍ଟ ହେବ କି ନିର୍ଣ୍ଣାୟକ

୨୦୨୧ରେ ଦେଶରେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସମସ୍ତଙ୍କ ନଜର କିନ୍ତୁ ପଶ୍ଚିମବଙ୍ଗ ଉପରେ ନିବଦ୍ଧ ହୋଇଛି । ଆଉ ୪ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ କେବଳ ମମତାଙ୍କ ତୃଣମୂଳ ପାଇଁ ନୁହେଁ; ବିଜେପି, କଂଗ୍ରେସ ଓ ବାମ ଦଳ ପାଇଁ ଅନେକ ଗୁରୁତ୍ବ ବହନ କରୁଛି । ବିଜେପି ପଶ୍ଚିମବଙ୍ଗ ନିର୍ବାଚନକୁ ଏକ ମିଶନ ଭାବରେ ଗ୍ରହଣ କରିଛି । ଦୈନିକ କେହି ନା କେହି ବିଜେପି ନେତା ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଅନ୍ୟପଟେ ତୃଣମୂଳ ମଧ୍ୟ ବିଜେପିକୁ ଉଚିତ୍ ଜବାବ ଦେବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ । ଅନ୍ୟପଟେ ନିଜର ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ଓ ବାମଦଳ ମେଣ୍ଟ କରିବେ ବୋଲି ଘୋଷଣା କରି ସାରିଛନ୍ତି । ଏହି ସ୍ଥିତିରେ ପଶ୍ଚିମବଙ୍ଗ ନିର୍ବାଚନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି । ଫଳରେ ତୃଣମୂଳ-ବିଜେପି ସହ କଂଗ୍ରେସ-ବାମ ମେଣ୍ଟ ଏଠାରେ ନିର୍ବାଚନରେ ପ୍ରମୁଖ ଭୂମିକାରେ ଅବତୀର୍ଣ ହେବା ଆପାତତଃ ସ୍ପଷ୍ଟ ।

ଅତୀତରେ ୨୦୧୬ରେ କଂଗ୍ରେସ ଓ ବାମଦଳ ମେଣ୍ଟ ଏକାଠି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ମେଣ୍ଟ ବେଶୀଦିନ ତିଷ୍ଠି ରହିପାରିଲା ନାହିଁ । ୨୦୧୯ ଲୋକସଭା ନିର୍ବାଚନରେ ଉଭୟ ଦଳ ଭିନ୍ନ ହୋଇ ନିର୍ବାଚନ ଲଢ଼ିଥିଲେ  ମାତ୍ର ପରବର୍ତୀ ସମୟରେ ୨୦୧୯ରେ ସେମାନେ ଲୋକସଭା ନିର୍ବାଚନରେ ପୃଥକ୍ ଭାବରେ ନିର୍ବାଚନ ଲଢ଼ିଥିଲେ । ଏବେ ପୁଣି ଦୁଇ ଦଳ ନିକଟତର ହୋଇଛନ୍ତି ଏବଂ ପୁଣିଥରେ ଏକତ୍ର ଭାବରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଉଭୟ ଦଳ ମଧ୍ୟରେ ଯେଉଁ ମିଳନ-ବିଚ୍ଛେଦ ରାଜନୀତି ସୃଷ୍ଟି ହୋଇଛି ତାହା ଭବିଷ୍ୟତରେ କି ରୂପ ନେବ ତାହା ଏବେଠାରୁ ଆକଳନ କରି ହେଉନାହିଁ ।

ବାମପନ୍ଥୀଙ୍କ ଗଡ଼ କୁହାଯାଉଥିବା ପଶ୍ଚିମବଙ୍ଗରେ  ୨୦୧୧ରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଥିଲା । ଏହା ପରେ ବାମଦଳର ଗୁରୁତ୍ବ ରାଜ୍ୟ ରାଜନୀତିରେ ଦିନକୁ ଦିନ ହ୍ରାସ ପାଇଛି ଏବଂ ଦଳର ସ୍ଥିତି ଦୁର୍ବଳ ହୋଇଛି । ଦଳ ଆଜି ନିଜର ସ୍ଥିତି ଓ ଅସ୍ତିତ୍ବ ବଞ୍ଚାଇବାକୁ କେବଳ ସଂଘର୍ଷ କରୁନାହିଁ, କଂଗ୍ରେସର ଶରଣାପନ୍ନ ହୋଇଛି ।

ମାତ୍ର ବର୍ତମାନ ସ୍ଥିତିରେ ବାମ ଓ କଂଗ୍ରେସର ମେଣ୍ଟର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ କିଏ ତାହା ଅସ୍ପଷ୍ଟ । ତୃଣମୂଳ ପଶ୍ଚିମବଙ୍ଗରେ ସରକାର ଗଠନ କରିଛନ୍ତି । ଆଉ ବିଜେପି ନିଜର ସ୍ଥିତିରେ ଦୃତ ଉନ୍ନତି ଆଣିଛି । ୨୦୧୯ ସାଧାରଣ ନିର୍ବାଚନରେ ଦଳ ପ୍ରାୟ ୧୪୦ବିଧାନସଭା କ୍ଷେତ୍ରରେ ଦଳ ଅନ୍ୟମାନଙ୍କଠାରୁ ଅଧିକ ଭୋଟ ପାଇଥିବା ସୂଚନା ମିଳିଛି । ଏହି ସ୍ଥିତିରେ କଂଗ୍ରେସ ଓ ବାମଦଳ ମେଣ୍ଟ ସମ୍ମୁଖ​‌ରେ ଉଭୟ ବିଜେପି  ଓ ତୃଣମୂଳ ଦୁଇ ପ୍ରମୁଖ ବିରୋଧୀ ଭାବରେ ଉଭା ହୋଇଛନ୍ତି ।

ଗତ ପାଞ୍ଚ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ରାଜନୈତିକ ସମୀକରଣ ତୀବ୍ରଗତିରେ ବଦଳିଛି । ୨୦୧୬ ବିଧାନସଭା ନିର୍ବାଚନରେ ​​ମୋଟ ୨୯୩ଟି ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୧୧ଟି ଆସନ ଜିତି ଏକକ ବୃହତ୍ତମ ଦଳ ହୋଇଥିଲା । କଂଗ୍ରେସ ୪୪ଟି, ବାମପନ୍ଥୀ ୩୨ଟି ଏବଂ ବିଜେପି ୩ଟି ଆସନ ଜିତିଥିଲା ।  ଟିଏମସି ପ୍ରାୟ ୪୫ ପ୍ରତିଶତ ଭୋଟ୍ ପାଇଥିଲା ।  କଂଗ୍ରେସକୁ ପ୍ରାୟ ୧୨ ପ୍ରତିଶତ ଭୋଟ ମିଳିଥିଲା । କିନ୍ତୁ ବାମପନ୍ଥୀ ଅପେକ୍ଷା ଅଧିକ ଆସନ ମିଳିଥିଲା । ବିଜେପିର ଭୋଟ ପ୍ରତିଶତ ପ୍ରାୟ ୧୦ ପ୍ରତିଶତ ଥିଲା ।

୨୦୧୯ ଲୋକସଭା ନିର୍ବାଚନରେ ​​ଏହି ସମସ୍ତ ସମୀକରଣ ବଦଳି ଯାଇଛି । ମୋଟ ୪୦ଟି ଆସନ ମଧ୍ୟରୁ ଟିଏମସି ୨୨ଟି ଆସନ, ବିଜେପି ୧୮ ଏବଂ କଂଗ୍ରେସ ୨ଟି ଆସନ  ଜିତିଥିଲା । ବାମ ଦଳ ଖାତା ମଧ୍ୟ ଖୋଲିବାରେ ବିଫଳ ହୋଇଥିଲା । ଟିଏମସିର ଭୋଟ ପ୍ରତିଶତ ୪୩ ପ୍ରତିଶତ ଥିବାବେଳେ ବିଜେପିର ୪୦ ପ୍ରତିଶତ ରହିଥିଲା । ଅର୍ଥାତ୍ ଉଭୟଙ୍କ ମଧ୍ୟରେ କେବଳ ତିନି ଭୋଟର ପାର୍ଥକ୍ୟ ଥିଲା । କଂଗ୍ରେସ ଏବଂ ବାମ ଦଳର ଭୋଟ୍ ପ୍ରତିଶତ ୧୦ରୁ ତଳକୁ ଖସି ଆସିଛି । ଏହି କାରଣରୁ ବର୍ତ୍ତମାନ ସମୟରେ ବଙ୍ଗଳା ବିଧାନସଭା ନିର୍ବାଚନରେ ​​ବିଜେପିର ଉତ୍ସାହ  ନୂତନ ଭାବରେ ବୃଦ୍ଧି ପାଇଛି । ଅମିତ ଶାହ ୨୦୦ରୁ ଅଧିକ ଆସନ ଜିତିବାର ଆହ୍ବାନ ଦେଇଛନ୍ତି ।

Comments are closed.