ଓଜନ କମ କରିବାକୁ ଚାହୁଁଥିଲେ, ଅପରାହ୍ନ ୩ଟା ପୂର୍ବରୁ କରନ୍ତୁ ମଧ୍ୟାହ୍ନ ଭୋଜନ

ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ବିଶେଷ କରି ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ କମ୍ ସମୟରେ ଅଧିକ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ସହ ଭୋଜନ କରୁଥିବା ସମୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ ବ୍ୟସ୍ତତା ଓ ସମୟ ଅଭାବ କାରଣରୁ ଅଧିକାଂଶ ଲୋକ ମଧ୍ୟାହ୍ନ ଭୋଜନ ବିଳମ୍ବରେ କରିଥାନ୍ତି । ଏହି ବଦ ଅଭ୍ୟାସ ଓଜନ ବୃଦ୍ଧିର କାରଣ ହୋଇଥାଏ ।

ଆମେରିକାର ଜର୍ନଲ ଅଫ୍ କ୍ଲିନିକଲ ନ୍ୟୁଟ୍ରିସନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଅପରାହ୍ନ ୩ଟା ପରେ ମଧ୍ୟାହ୍ନ ଭୋଜନ କରୁଥିବା ଲୋକଙ୍କ କ୍ଷେତ୍ରରେ ଓଜନ ହ୍ରାସରେ ସମସ୍ୟା ଦେଖା ଦେଇଥାଏ । ସ୍ପେନର ପ୍ରାୟ ୧୨ ଶହରୁ ଅଧିକ ଓଜନ ଥିବା ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ଯେଉଁ ଲୋକମାନେ ୩ଟା ପରେ ମଧ୍ୟାହ୍ନ ଭୋଜନ କରୁଥିଲେ ସେମାନଙ୍କ ଓଜନ ବୃଦ୍ଧି ହେଉଥିଲା । ୨୦୧୩ରେ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ମଧ୍ୟ ଏହି ତଥ୍ୟ ସାମ୍ନାକୁ ଆସିଥିଲା।

ଇଣ୍ଟରନାଲ କ୍ଲକ୍ ସର୍କାଡିୟନ ରିଦମ ଶରୀରର ଶୋଇବା ଓ ଉଠିବାର ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ଇନସୁଲିନ ହର୍ମୋନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଯେବେ ଶରୀରରେ ଇନସୁଲିଟି ସେନସିଟିବିଟି କମ୍ ହୋଇ ଯାଇଥାଏ, ସେହି ସମୟରେ ଓଜନ କମ୍ କରିବା କଷ୍ଟକର ହୋଇଯାଏ ।

ଭୋଜନର ସଠିକ୍ ସମୟ

ହାର୍ଭର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ହୋଇଥିବା ଅଧ୍ୟୟନର ରିପୋର୍ଟ ଅନୁଯାୟୀ, ଅସମୟରେ ଭୋଜନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯେଉଁ ଲୋକମାନେ ସଠିକ୍ ସମୟରେ ଭୋଜନ କରନ୍ତି ନାହିଁ, ଓଜନ ହ୍ରାସ କରିବାରେ ସେମାନଙ୍କ କ୍ଷେତ୍ରରେ ସମସ୍ୟା ଦେଖିବାକୁ ମିଳେ । ନିୟମିତ ଏକ ନିର୍ଦ୍ଧିଷ୍ଟ ସମୟରେ ଭୋଜନ କରିବା ଦ୍ବାରା ଶରୀରର ସର୍କାଡିୟନ୍ କ୍ଲକ୍ ସଠିକ୍ ଭାବରେ କାମ କରିଥାଏ । ସଠିକ୍ ସମୟରେ ଭୋଜନ କରିବା ଦ୍ବାରା ମେଟାବୋଲିଜମ୍ ଓ ମୋଟାପଣ ନିୟନ୍ତ୍ରିତ ରହିବା ସହ ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ସଠିକ୍ ସମୟରେ ଭୋଜନ କରନ୍ତୁ ।

Comments are closed.