ସାପ୍ତାହିକୀ କରୋନା ସଂକ୍ରମଣ ହାର ୭.୨୭%କୁ ହ୍ରାସ

ଦେଶରେ ସାମଗ୍ରୀକ ଭାବେ କରୋନା ସଂକ୍ରମଣ ଗତ ୮ ଦିନ ହେବ ୨ଲକ୍ଷ ତଳେ ରହିଥିବା ବେଳେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟୁଛି। ଏଥିସହିତ ଟିକାକରଣ ପ୍ରକ୍ରିୟା ଜୋର୍‍ଦାର କରାଯାଇଛି। ଗତକାଲି ଦେଶରେ ୧୬ଲକ୍ଷ ୩୫ହଜାର ୯୯୩ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ରହିଛନ୍ତି। ଗତ ୪୮ ଘଣ୍ଟାରେ ଏହି ସଂଖ୍ୟାରେ ୭୭ହଜାର ୪୨୦ ହ୍ରାସ ପାଇଛି। ଏହା ସୂଚାଉଛି ଯେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବା ସହ ଆରୋଗ୍ୟ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟୁଛି। ଅନ୍ୟ ପକ୍ଷରେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ କରୋନା ମହାମାରୀ ମୁକାବିଲା ଦିଗରେ କଠୋର ପଦକ୍ଷେପ ଗ୍ରହଣ ଯୋଗୁଁ ଦୈନିକ ସଂକ୍ରମଣ ୧ଲକ୍ଷ ୩୨ ହଜାର ମଧ୍ୟରେ ସୀମିତ ରହିଛି। ଗତ ୪୮ ଘଣ୍ଟାରେ ୨ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ କ୍ରମାଗତ ୨୨ ଦିନ ଧରି ଦୈନିକ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ ରହିଛି।

ଏହିସବୁ ତଥ୍ୟକୁ ଆକଳନ କଲେ ସାପ୍ତାହିକୀ ସଂକ୍ରମଣ ହାର ୭ଦଶମିକ୍‍ ୨/୭ ପ୍ରତିଶତକୁ ଖସିଥିବା ବେଳେ ଦୈନିକ ସଂକ୍ରମଣ ହାର ୬ଦଶମିକ୍‍ ୩/୮ ପ୍ରତିଶତ ରହିଛି ଏବଂ ଏହା ଗତ ୧୧ ଦିନ ଧରି ୧୦ ପ୍ରତିଶତ ତଳେ ରହିଛି। ସେହିପରି ଟିକାକରଣ ପ୍ରକ୍ରିୟାକୁ ଜୋର୍‍ଦାର କରାଯିବା ଫଳରେ ୨୨କୋଟିରୁ ଅଧିକ ଲୋକ ଏହି ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି।

Comments are closed.