୨୦୧୯ ମାର୍ଚ ୩୧ ତାରିଖ ଦେଶର କିନ୍ନରମାନଙ୍କ ପାଇଁ ବେଶ ସ୍ମରଣୀୟ ଦିନ ଥିଲା । ରାୟପୁରର ପୂଜାରୀ ପାର୍କରେ ବଡ଼ ଧୁମଧାମରେ ୧୫ କିନ୍ନର ସେମାନଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିଲେ । ସେତେବେଳେ ପୁରା ଦେଶରେ ଏହା ବେଶ ଚର୍ଚିତ ଖବର ଥିଲା । ଗୋଟିଏ ସଂସ୍ଥା ଜରିଆରେ ବିବାହ ଇଚ୍ଛୁକ କିନ୍ନରଙ୍କୁ ବଛା ଯାଇଥିଲା ଓ ଏହାମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳର କିନ୍ନର ସାମିଲ ହୋଇଥିଲେ ।ଦେଶରେ ଏହି ବିବାହ ଥିଲା ପ୍ରଥମ ଓ ଭିନ୍ନ ଧରଣର ଆୟୋଜନ । ଯେଉଁଥିପାଇଁ ଏହାକୁ ଗୋଲଡ଼େନ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ଼ରେ ସାମିଲ କରାଯାଇଥିଲା । ମାତ୍ର ଅବସୋସର ବିଷୟ ହେଉଛି ଏହି ବିଶ୍ବ ରେକର୍ଡ଼ ସୃଷ୍ଟି କରିଥିବା କିନ୍ନରମାନଙ୍କ ବୈବାହିକ ଜୀବନ ବର୍ଷରୁ ଅଧିକ କାଳ ତିଷ୍ଠି ପାରିଲା ନାହିଁ ।

କିନ୍ନରମାନଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ‘ସଂଘର୍ଷ ଏକ ଜୀବନ’ର ଅଧ୍ୟକ୍ଷ ତଥା ତୃତୀୟଲିଙ୍ଗ କଲ୍ୟାଣ ବୋର୍ଡ଼ ସଦସ୍ୟ କଞ୍ଚନ ସୈନ୍ଦ୍ରଙ୍କ ସୂଚନା ଅନୁସାରେ ଗତବର୍ଷ ଯେଉଁ କିନ୍ନରମାନଙ୍କ ବିବାହ ହୋଇଥିଲା, ସେମାନଙ୍କ ସ୍ବାମୀମାନେ ଆଉ ସେମାନଙ୍କ ସହ ନାହାନ୍ତି । କିଛିମାସ ପରେ ସ୍ବାମୀମାନେ ସେମାନଙ୍କ କିନ୍ନର ପତ୍ନୀଙ୍କୁ ପ୍ରାୟତଃ ଛାଡ଼ି ଦେଇଛନ୍ତି ।

ଯେଉଁ କିନ୍ନରମାନେ ବିବାହ କରିଥିଲେ ସେମାନେ ସମସ୍ତେ ଏସଆରଏସ୍ ଅପରେସନ କରି ନିଜକୁ ମହିଳାରେ ପରିବର୍ତିତ କରିଥିଲେ । ଏହାପରେ ସେମାନଙ୍କର ବିବାହ ହୋଇଥିଲା । ଅପରେସନ ପରେ ସେମାନେ ଶାରୀରିକ ଭାବରେ ତ ମହିଳା ହୋଇଥିଲେ, ମାତ୍ର ସେମାନଙ୍କୁ ମହିଳାଙ୍କ ଅଧିକାର ମିଳି ନ ଥିଲା । ତୃତୀୟ ଲିଙ୍ଗ କଲ୍ୟାଣ ବୋର୍ଡ଼ର ସଦସ୍ୟ କଞ୍ଚନ ସୈନ୍ଦ୍ର କହିଛନ୍ତି ସ୍ବାମୀମାନେ ଛାଡ଼ିଦେବା ପରେ କିଛି କିନ୍ନର ଏ ସମ୍ପର୍କରେ ଅଭିଯୋଗ କରିଥିଲେ, ମାତ୍ର ସେମାନଙ୍କ ଅଭିଯୋଗ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଳାସପୁରର ପତି ପରିତ୍ୟକ୍ତା କିନ୍ନରମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ମାତ୍ର କିଛି ଫଳ ହେଲା ନାହିଁ । ସର୍ଜରୀ ପରେ ସେମାନେ ଯଦିଓ ମହିଳାରେ ପରିଣତ ହୋଇଛନ୍ତି, ତଥାପି ସରକାରୀ ଦସ୍ତାବିଜରେ ସେମାନେ ଏବେ ବି କିନ୍ନର ରହିଛନ୍ତି । ତେଣୁ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ ଅନୁସାରେ ସେମାନଙ୍କୁ ସହାୟତା ମିଳିପାରୁ ନାହିଁ ।