୫ଦିନ ହେଲା ଖୋଲୁନି ୱେବସାଇଟ୍‌, ଚାକିରି ଆଶାୟୀ ନିରାଶ

ଭୁବନେଶ୍ବର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ୱେବସାଇଟ ଖୋଲୁ ନ ଥିବାରୁ ବହୁ ଚାକିରି ଆଶାୟୀ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ୱେବସାଇଟ୍‌ (www.osssc.gov.in) ଲଗଇନ କଲେ ଖୋଲୁ ନ ଥିବା ଆଶାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଆବେଦନର ଶେଷ ସମୟ ପାଖେଇ ଆସୁଥିବାରୁ ଚାକିରି ଆଶାୟୀ ଚିନ୍ତାରେ ପଡିଛନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଆୟୋଗ ପକ୍ଷରୁ ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣ, ସହକାରୀ ରାଜସ୍ବ ନିରୀକ୍ଷକ, ଅମିନ, ଜଙ୍ଗଲ ଜଗୁଆଳ ଏବଂ ଅବକାରୀ କନେଷ୍ଟବଳ ମୋଟ ୨୮୪୧ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା।

ଅକ୍ଟୋବର ପହିଲାରୁ ୨୧ ତାରିଖ ଆବେଦନର ସମୟ ସୀମା ରହିଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ଆୟୋଗ ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହେଲେ ଗତ ୫ଦିନ ହେଲା ୱେବସାଇଟ୍‌ ଖୋଲୁ ନ ଥିବାରୁ ଅନେକ ଆଶାୟୀ ଆବେଦନ କରି ପାରୁନାହାନ୍ତି। ୱେବସାଇଟ୍‌ ଖୋଲିବା ଏବଂ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଶାୟୀଙ୍କ ମହଲରେ ଦାବି ହୋଇଛି।

Comments are closed.