ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ଏକ ବଡ଼ ଆହ୍ୱାନ

କୋଭିଡ୍‌ ମହାମାରୀ ସମୟରେ ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଅନ୍ତର୍ଜାତୀୟ ୱେବନାର

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ କୋଭିଡ୍‌ ସମୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟ ଦେଶମାନଙ୍କରେ ବିକଶିତ ହୋଇଥିବା ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଏକ ଦୁଇଦିନିଆ ଅନ୍ତର୍ଜାତୀୟ ୱେବନାର ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ସମସ୍ୟା ସତ୍ତ୍ବେ ଛାତ୍ରଛାତ୍ରୀମାନଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଓ ତା’ର ନିରନ୍ତରତାକୁ ବଜାୟ ରଖିବା ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ତରରେ ଅନେକ ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସବୁ ବିକଳ୍ପ ଶିକ୍ଷା ଆଧାରରେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥରକ୍ଷା ଦିଗରେ ଏହି ଅଭିନବ ଉପାୟଗୁଡ଼ିକର ପ୍ରାସଙ୍ଗିକତା ତଥା ଉପାଦେୟତା ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ ଏହି ଅନ୍ତର୍ଜାତୀୟ େୱବିନାର୍‌ର ପରିକଳ୍ପନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍‌ ମହାମାରୀ ସମୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବା ଦିଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ କାର୍ଯ୍ୟକ୍ରମ ଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ।

କୋଭିଡ୍‌ ମହାମାରୀ ପ୍ରଭାବିତ ହୋଇଥିବା ବିଭିନ୍ନ କ୍ଷେତ୍ର ମଧ୍ୟରେ ଶିକ୍ଷା ବ୍ୟବସ୍ଥା ଅନ୍ୟତମ । ମହାମାରୀ କାରଣରୁ ଦୀର୍ଘ ଅବଧି ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା କାରଣରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ବିକଳ୍ପ ଶିକ୍ଷା ପଦ୍ଧତି ଏକ ବଡ଼ ଆହ୍ୱାନ। ସରକାରୀ ତଥା ବେସରକାରୀ ସ୍ତରରେ ବିକଳ୍ପ ଶିକ୍ଷା ପଦ୍ଧତିର ଅନେକ ମଡେଲ ବିକଶିତ ହୋଇ କାର୍ଯ୍ୟକାରୀ ମଧ୍ୟ କରାଯାଉଛି। ମୁଖ୍ୟତଃ ଡିଜିଟାଲ୍‌ ପ୍ଲାଟଫର୍ମ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ଏହି ବିକଳ୍ପ ଶିକ୍ଷା ପଦ୍ଧତି ସମସ୍ତଙ୍କ ପାଖରେ ପହଞ୍ଚିବା ଦିଗରେ ବିଦୁ୍ୟତ ତଥା ଫୋନ୍‌ ନେଟ୍‌ୱାର୍କ ଅନ୍ତରାୟ ବୋଲି ଉପଲବ୍ଧି ହୋଇଛି।
ଏହି ପରିପ୍ରେକ୍ଷୀରେ ୱେବନାରର ପ୍ରଥମ ଦିବସରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟ ୪ଟି ଦେଶର ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ପ୍ରଶାସକମାନେ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିବା ସହିତ ଅଭିଜ୍ଞତା ଓ ଉପଲବ୍ଧି ବ୍ୟକ୍ତ କରିଥିଲେ। ଦିବା ୧୦ଟାରୁ ଅପରାହ୍ଣ ୨ଟା ମଧ୍ୟରେ ବୈଷୟିକ ଅଧିବେଶନର ଉଦ୍‌ଘାଟନ ସହିତ ୭ଟି ବୈଷୟିକ ଉପସ୍ଥାପନା କରାଯାଇଥିଲା। ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିର୍ଦେଶିକା ଗୁହା ପୁନମ ତାପସ କୁମାର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ନଭଲଜିତ କାପୁର, ୟୁନିସେଫ୍‌ର ଶିକ୍ଷା ବିଭାଗ ମୁଖ୍ୟ ଡ. ଟେରୀଦୁର୍ନିୟାନ୍‌ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପଦେଷ୍ଟା ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଯୋଗଦେଇ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶେ୍ୱତା ମିଶ୍ର ପରିଚାଳନା କରିଥିଲେ।

Comments are closed.