ୱେବିନାର ମାଧ୍ୟମରେ ପାଳିତ ହେଲା ଜିଲାସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ

ଫୁଲବାଣୀ: ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍‍ ଦିବସକୁ କନ୍ଧମାଳ ଜିଲ୍ଲାରେ ୱେବିନାର ମାଧ୍ୟମରେ ଆଜି ପାଳନ କରାଯାଇଛି। ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. କୋଭିଡ୍‍-୧୯ ସଂକ୍ରମଣ ସମୟରେ ଜିଲ୍ଲା ଗଣମାଧ୍ୟମର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ଏହିଭଳି ସହଯୋଗ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଆଗାମୀ ଫେବୃଆରୀ ମାସ ପର୍ଯ୍ୟନ୍ତ କୋଭିଡ୍‍-୧୯ର ଗାଇଡ୍‍ଲାଇନକୁ ମାନିବାକୁ ଆବଶ୍ୟକ ଓ ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ପଡ଼ିବ। ଏହିଭଳି ଦେଶବ୍ୟାପୀ ବିପଦ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ପ୍ରଶାସନର ସହଯୋଗ ସବୁବେଳେ ରହିବ ମାତ୍ର ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ନିଜେ ମାନିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ତଥା ଆଲୋଚକ ଭାବେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧିମାନେ କିପରି ପୋଲିସ ବିଭାଗର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ଆଗାମୀ ଦିନରେ ମଧ୍ୟ ସେମାନଙ୍କର ସହଯୋଗ କାମନା କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ହର ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଦାୟିତ୍ୱରେ ଥିବା ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଭାକର ମହାରଣା କାର୍ଯ୍ୟକ୍ରମ ସଂପକ୍ରରେ ମତ ଦେଇଥିଳେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ ,ବଟକୃଷ୍ଣ ବିହାରି,ସଦାଶିବ ପାତ୍ର ଓ ଅଶୋକ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ କୋଭିଡ୍‍-୧୯ଭଳି ଦେଶବ୍ୟାପି ବିପଦ ସମୟରେ ଗଣ ମାଧ୍ୟମର ଭୂମିକା ସଂପକ୍ରରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ଅଜିତ୍‍ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଗୁଗୁଲ୍‍ ମିଟରେ ବହୁ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

Comments are closed.