ଦେଢ଼ଲକ୍ଷ ବଟି ନେଇ ୱେବ୍‌ ଚ୍ୟାନେଲ୍‌ର ୫ ସାମ୍ବାଦିକ ସହ ୬ ଗିରଫ

ଭୁବନେଶ୍ବର: ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବଟି ନେଇ ୫ ସାମ୍ବାଦିକଙ୍କ ସମେତ ୬ଜଣ ଗିରଫ ହୋଇଛନ୍ତି। ବଟି ନେବା ଅଭିଯୋଗରେ ୱେବ୍‌ ଚ୍ୟାନେଲ୍‌ରେ କାର୍ଯ୍ୟରତ ୫ ସାମ୍ବାଦିକ ଗିରଫ ହୋଇଥିବାବେଳେ ଜଣେ ଫେରାର ହୋଇଯାଇଛନ୍ତି। ଡକାୟତ ମାମଲା ରୁଜୁ କରି କୋର୍ଟ ଚାଲାଣ କଲା ପୁଲିସ। ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଘିଅ କମ୍ପାନୀରୁ ବଟି ନେଇଥିବା ପୁଲିସ ସୂଚନା ଦେଇଛି।
ସାମ୍ବାଦିକଙ୍କ ନାମରେ ଲାଗିଛି କଳଙ୍କ। ଖବର ପ୍ରସାରଣ କରିଦେବାର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକମାନେ ଦେଢ ଲକ୍ଷ ଟଙ୍କା ବଟି ଆଦାୟ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କମିଶନରେଟ୍‌ ପୁଲିସ ୫ ସାମ୍ବାଦିକଙ୍କ ସମେତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଥିଲା। ସେମାନଙ୍କଠାରୁ ୨ଟି କାର୍, ୧୧ଟି ମୋବାଇଲ୍‌ ଏବଂ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି କମିଶନରେଟ୍‌ ପୁଲିସ ।
ଏନେଇ ଭୁବନେଶ୍ୱର ଡିସିପି ଊମାଶଙ୍କର ଦାଶ କହିଛନ୍ତି ଯେ କମିଶନରେଟ୍‌ ପୁଲିସ ଗିରଫ କରିଥିବ ୬ ଜଣ ଅଭିଯୁକ୍ତ ବିଭିନ୍ନ ୱେବ୍ ଚ୍ୟାନେଲରେ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ୱେବ୍‌ ଚ୍ୟାନେଲ୍‌ରେ ସାମ୍ବାଦିକତା କରୁଥିବାବେଳେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଭୁବନେଶ୍ବରର ଏକ ଘିଅ କମ୍ପାନୀର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ସେମାନଙ୍କୁ ଗିରଫ୍ କରାଯାଇଛି। ଏହାସହ ସେମାନଙ୍କଠାରୁ ୨ଟି ଗାଡି ମଧ୍ୟ ଜବତ ହୋଇଛି। ସେହିପରି ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ ଜାରି ରହିଛି । ଏନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି। ଏହା ପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲ ମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ।
ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ। ଏହା ସହିତ ଅନେକ ଅସାମାଜିକ ବ୍ୟକ୍ତି ଦାଦାବଟି ସଂଗ୍ରହ କରିଥାନ୍ତି। ଯେଉଁମାନେ ଦାଦାବଟି ଦେବା ପାଇଁ ଅରାଜି ହୁଅନ୍ତି ସେମାନଙ୍କୁ ମାରପିଟ୍‌ ସାଙ୍ଗକୁ ମରଣାନ୍ତକ ଆକ୍ରମଣ ଏବଂ ବେଳେବେଳେ ହତ୍ୟା କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି କଟକ ଓ ଭୁବନେଶ୍ବର ସହରରେ ଦାଦାବଟି କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ କମିଶନରେଟ୍‌ ପୁଲିସ ଏକ ଅଭିନବ ଯୋଜନା ହାତକୁ ନେଇଛି। କଟକ ଓ ଭୁବନେଶ୍ବର ସହରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ କମିଶନରେଟ୍ ପୋଲିସ୍ ପକ୍ଷରୁ ଆରମ୍ଭ କରାଯାଇଛି। ଦାଦାବଟି ସଂଗ୍ରହ କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ସମ୍ପର୍କରେ ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ। କମିଶନରେଟ୍‌ ପୁଲିସ ପକ୍ଷରୁ ତତ୍କାଳ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆବଶ୍ୟକସ୍ଥଳେ ସେମାନଙ୍କୁ ରାଜ୍ୟ ବାହାରକୁ ତଡ଼ିପାର ମଧ୍ୟ କରାଯାଇପାରେ ବୋଲି କମିଶନରେଟ୍‌ ପୁଲିସ ଯୋଜନା ପ୍ରସ୍ତୁତ କରିଛି। ତେବେ ପାର୍ବଣ ସମୟରେ କିଛି ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ବଟି ଆଦାୟ କରି ଗିରଫ ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିିଛି।

Comments are closed.