ଗାଁ ବାଳକ ୱେବ୍‌ ଡିଜାଇନର

ସମ୍ବଲପୁର(ପ୍ରଭୁଦତ୍ତ ପୂଜାରୀ) : ଗାଁ ରାସ୍ତାରେ ଥିବା ଏକ ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା। ଦିନକର କଥା, ବାପା ଯାଇଥିଲେ ବଜାରକୁ। ଫେରିବା ବେଳକୁ ନାଳରେ ପାଣି ବଢ଼ି ଯାଇଥାଏ। ବାପା ସାହସ କରି ପାରି ହୋଇଯିବେ ଭାବିଲେ; ହେଲେ ଜଳସ୍ରୋତ ତାଙ୍କୁ ଟାଣି ନେଲା। କୌଣସି ପ୍ରକାରେ ଜୀବନ ବଞ୍ଚାଇ ଘରେ ପହଞ୍ଚିଲେ। ଘରେ ସବୁ କଥା କହିବା ବେଳକୁ ଟିଭିରେ ଖବର ଚାଲିଥାଏ, ମୁଖ୍ୟମନ୍ତ୍ରୀ ଏକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି। ସାତ ବର୍ଷର ପୁଅ ପଚାରିଲା- ବାପା, ମୁଖ୍ୟମନ୍ତ୍ରୀ ମାନେ କ’ଣ? ବାପା କହିଲେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ ମୁଖ୍ୟ। ସେ କିଛି ବି କରିପାରିବେ। ପୁଅ ସାଙ୍ଗେସାଙ୍ଗେ ପଚାରିଲା- ତା’ହେଲେ ସେ କ’ଣ ଆମ ନହୁରାଣୀ ନାଳର ପୋଲ ତିଆରି କରିପାରିବେ? ବାପା ହଁ କହିବାରୁ ତତ୍‌କ୍ଷଣାତ୍‌ ଖାତା ବାହାର କରି ଚିଠି ଲେଖିଲା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗାଁର ନାଳ ଉପରେ ସେତୁଟିଏ ତିଆରି କରିଦେବା ପାଇଁ। କିଛି ସୁଫଳ ନ ମିଳିବାରୁ ରାଜ୍ୟପାଳ ଓ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା। ପିଲାଟିର ଚିଠି ବଳରେ ତିଆରି ହେଲା ନହୁରାଣୀ ନାଳ ଉପରେ ପୋଲ, ଯାହାକି ସମ୍ବଲପୁର ଜିଲାର ସୀମାନ୍ତରେ ଥିବା ଗାଁରୁ ଅନୁଗୋଳ ଜିଲା ସୀମାନ୍ତକୁ ସଂଯୋଗ କଲା। ସେହି ବାଳକଟି ହେଉଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କୁଡ଼ାନାଳୀ ଗାଁର ଆୟୁଷ ରଞ୍ଜନ ରାଉତ। ନିଜ ପ୍ରଚେଷ୍ଟାରେ ଗ୍ରାମବାସୀଙ୍କ ପାଇଁ ପୋଲ ତିଆରି କରାଇ ପାରିଥିବା ବାଳକ ଆୟୁଷ ଆଜି ଅନ୍ୟ ଏକ କାମ ପାଇଁ ପାଲଟିଛନ୍ତି ବିସ୍ମୟ ବାଳକ। ସେ ଏ ପର୍ଯ୍ୟନ୍ତ ୮ଟି ୱେବ୍‌ସାଇଟ ଡିଜାଇନ କରିସାରିଥିବାବେଳେ ଆଗକୁ ନିଜ ଗାଁ କୁଡ଼ାନାଳୀରେ ଆଇବିଏମ୍‌ ପରି ଡାଟା ସେଣ୍ଟର ତିଆରି କରିବାର ସ୍ୱପ୍ନ ଦେଖିଛନ୍ତି। କୁଡ଼ାନାଳୀର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨ ବର୍ଷର ପୁଅ ଆୟୁଷ ସମ୍ପ୍ରତି ଦେବଗଡ଼ ସରସ୍ୱତୀ ଶିଶୁମନ୍ଦିରରେ ସପ୍ତମ ଶ୍ରେଣୀର ଛାତ୍ର। ଆୟୁଷ ବିନା ପ୍ରଶିକ୍ଷଣ ବା ତାଲିମରେ ‘ଫେସବୁକ୍‌’ ଭଳି ଏକ ସାମାଜିକ ଗଣମାଧ୍ୟମ ସାଇଟ ଖୋଲିଛନ୍ତି, ଯାହାକୁ ସେ ନାଁ ଦେଇଛନ୍ତି ‘ରାଉଟର’। ତା ଛଡ଼ା ସେ ହ୍ୱାଟ୍‌ସଆପ ଭଳି ଏକ ଚାଟ୍‌ ଆପ୍‌ ବିକଶିତ କରିଛନ୍ତି, ଯାହାର ନାଁ ରଖିଛନ୍ତି ‘ବିନ୍ଦାସ’। ଏହି ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ କରାଇବାକୁ ସେ ପ୍ରୟାସରତ। ଅଳ୍ପ ଦିନ ଭିତରେ ଆପଣ ନିଜ ପ୍ଲେ ଷ୍ଟୋର୍‌ରୁ ଏହାକୁ ଡାଉନ୍‌ଲୋଡ଼ କରିପାରିବେ ବୋଲି ଆୟୁଷ କହିଛନ୍ତି। ଆୟୁଷଙ୍କ ବାପା ସରୋଜ ରାଉତ ଜଣେ ମୁକ୍ତବୃତ୍ତି ସାମ୍ବାଦିକ। ଆୟୁଷକୁ ଯେତେବେଳେ ୮ ବର୍ଷ ହୋଇଥିଲା, ବାପା କୌଣସି ପ୍ରସଙ୍ଗକୁ ନେଇ ବିବ୍ରତ ଥିବା ସେ ଦେଖିବାକୁ ପାଇଲେ। ବାପାଙ୍କୁ ପଚାରିବାରୁ ୱେବ୍‌ସାଇଟ୍‌ ଡାଉନ୍‌ ଥିବାରୁ କାମ ହୋଇପାରୁନି ବୋଲି ସେ କହିଲେ। ସେତେବେଳେ ଆୟୁଷକୁ ୱେବ୍‌ସାଇଟ୍‌, ଡଟ୍‌ କମ୍‌, ଡଟ୍‌ ଇନ୍‌ ଆଦି ବିଷୟରେ ଜଣା ନ ଥିଲା। ବାପାଙ୍କଠାରୁ ଏ ବିଷୟରେ କିଛି କଥା ଜାଣିବା ପରେ ଆୟୁଷ ୟୁଟ୍ୟୁବ୍‌ରେ ଖୋଜିବା ଆରମ୍ଭ କଲେ- ୱେବ୍‌ସାଇଟ୍‌ କେମିତି ତିଆରି କରିବା (ହାଓ ଟୁ ମେକ୍‌ ୱେବ୍‌ସାଇଟ)। ଦୀର୍ଘ ୩ ବର୍ଷ ଧରି ଗୁଗୁଲ୍‌ ଓ ୟୁଟ୍ୟୁବ୍‌ରୁ ଜ୍ଞାନ ସଂଗ୍ରହ କରିବା ପରେ ୨୦୧୮ରେ ଆଦ୍ୟାଶା ନ୍ୟୁଜ୍‌ମ୍ୟାନ ଡଟ୍‌ ଇନ୍ ନାମରେ ନ୍ୟୁଜ୍‌ ପୋର୍ଟାଲ ୱେବ୍‌ସାଇଟ୍‌ ତିଆରି କରନ୍ତି, ଯାହାକି ବାପାଙ୍କ ସାମ୍ବାଦିକତାକୁ ଅଧିକ ପ୍ରଭାବୀ କରାଏ। ଏହାପରେ ବର୍ଷକ ମଧ୍ୟରେ ସେ ହଲଚଲ ନ୍ୟୁଜ, ଓଡ଼ିଶା ମେଲ ଡଟ୍‌ କମ୍‌ ଆଦି ସାଇଟ୍‌ ବିକଶିତ କରିଛନ୍ତି। ସେ ଖବର ଆଧାରିତ ଏକ ଭିଡ଼ିଓ ପ୍ଲାଟଫର୍ମ ବିକଶିତ କରିବା ଉପରେ କାମ କରୁଛନ୍ତି ଯାହାର ନାଁ ଦେଇଛନ୍ତି ‘ଏଟିଭି ଓଡ଼ିଆ’। ସେ କହନ୍ତି ଭବିଷ୍ୟତରେ ମୁଁ ଜଣେ ସଫ୍ଟୱେର ବିଶେଷଜ୍ଞ ହେବି ଓ ଆଇଏଏସ ହୋଇ ଦେଶର ସେବା କରିିବି। ଦେଶର ବଡ଼ ବଡ଼ ମହାନଗରରେ ଥିବା ଡାଟା ହବ୍‌ ଭଳି ନିଜ ଗାଁରେ ଏକ ବୃହତ୍‌ ଡାଟା ସେଣ୍ଟର ଖୋଲିବା ତାଙ୍କର ସ୍ବପ୍ନ, ଯେଉଁଥିରେ ଗୁଗୁଲ୍‌ରେ କାମ କରିଥିବା ଲୋକ ଆସି ନୂଆ ନୂଆ ଟେକ୍ନୋଲୋଜି ବିକଶିତ କରିବେ।
ନିଜ ଦୁର୍ଗମ ଗାଁ କୁଡ଼ାନାଳୀକୁ ବିଶ୍ୱସ୍ତରରେ ପରିଚିତ କରିବାର ଲକ୍ଷ୍ୟ ରଖିଥିବା ଆୟୁଷ ଗୋଟିକ ପରେ ଗୋଟିଏ ୱେବ୍‌ସାଇଟ୍‌ ବିକଶିତ କରି ତାହାର ଡାଟା ଫିଡ଼୍‌ କରିବା କାମ ଜାରି ରଖିଥିଲେ ହେଁ ପାଠରେ କଦାପି ଅବହେଳା କରନ୍ତି ନାହିଁ। ସକାଳ ୫ଟାରୁ ଉଠି ସେ ପାଠ ପଢ଼ନ୍ତି। ଦିନ ସାରା ସ୍କୁଲ ଓ ଟାସ୍କ କରିବା ପରେ ସନ୍ଧ୍ୟା ସାଢ଼େ ୬ରୁ ସାଢ଼େ ୯ଟା ଯାଏଁ ପଢ଼ନ୍ତି। ତା ପରେ ରାତ୍ରି ଭୋଜନ କରି ରାତି ସାଢ଼େ ୧୨ଟା ଯାଏ ୱେବ୍‌ସାଇଟ କାମ କରନ୍ତି ବୋଲି କହିଛନ୍ତି। ବାପାଙ୍କ ପ୍ରେରଣା ଯୋଗୁଁ ଏଭଳି ଉଲ୍ଲେଖନୀୟ କାମ କରିବା ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି। ଆୟୁଷ ଗତ ସେପ୍ଟେମ୍ବର ମାସରେ ପରିବାର ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ। ରାଜ୍ୟପାଳ ସବୁ ବିଷୟ ଜାଣିବା ପରେ ଆୟୁଷଙ୍କୁ କୁଣ୍ଢେଇ ପକାଇଥିଲେ। ବାର ବର୍ଷର ବିସ୍ମୟ ବାଳକ ଆୟୁଷଙ୍କ ଅଧ୍ୟୟନ, ଗବେଷଣା, ସନ୍ଧାନ, ପ୍ରୟୋଗ ଜାରି ରହିଛି।

Comments are closed.