୭ଂକୁ ଖସିଲା ଦାରିଙ୍ଗବାଡ଼ି ପାରଦ : ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର :  ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଏବେ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି। ପ୍ରାୟ ସବୁ ଜିଲାରେ ରାତିର ସର୍ବନିମ୍ନ ତାପମାତ୍ରା ୪ରୁ ୬ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଉଛି। ଦାରିଙ୍ଗିବାଡ଼ିରେ ପାରଦ ସବୁଠୁ କମ ୭.୫ ଡ଼ିଗ୍ରୀ ସେଲସିୟସକୁ ଖସିଛି। ସେହିପରି ଟିଟିଲାଗଡ଼ରେ ୭.୬ ଡ଼ିଗ୍ରୀରେ ପହଞ୍ଚିଥିବାବେଳେ ଫୁଲବାଣୀରେ ୮.୫, ଅନୁଗୋଳରେ ୮, ସୋନପୁରରେ ୯ ଓ କେନ୍ଦୁଝରଗଡ଼ରେ ୯.୮ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ରାଜ୍ୟର ୬ଟି ସ୍ଥାନରେ ରାତିର ପାରଦ ୧୦ଡ଼ିଗ୍ରୀ ତଳକୁ ଖସିଥିବାବେଳେ ୧୯ଟି ସ୍ଥାନରେ ୧୨ଂ ମଧ୍ୟରେ ରହିଛି। ବାଲେଶ୍ବରରେ ୧୦.୬, କଟକରେ ୧୧ ଏବଂ ଭୁବନେଶ୍ବରରେ ୧୨ ଡ଼ିଗ୍ରୀକୁ ପାରଦ ଖସିଛି। ଆସନ୍ତା ୩ଦିନ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହିତ ୩ଦିନ ପରେ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ଥିବାବେଳେ ୯ତାରିଖରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା

ହୋଇପାରେ। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ୧୦ତାରିଖରେ କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷାର ସମ୍ଭାବନା ରହିଛି। ତେବେ ୧୦ ଓ ୧୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼ ଓ ଅନୁଗୋଳରେ ଘନ କୁହୁଡ଼ି ଅନୁଭୂତ ହେବ। ୧୨ତାରିଖରେ ମଧ୍ୟ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ,ଢ଼େଙ୍କାନାଳ, ବାଲେଶ୍ବର, ଯାଜପୁର, କଟକ, ଭଦ୍ରକ, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ। କୁହୁଡ଼ି ଲାଗି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି ହୋଇଛି।

Comments are closed.