ବର୍ଷା ଆଉ ୨୪ଘଣ୍ଟା : ୧୩ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାବେଳେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି ଯେ ଲଘୁଚାପ ଏବେ ପଶ୍ଚିମ-ଉତ୍ତରପଶ୍ଚିମରେ ମୁହାଁଉଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଉତ୍ତର ଦିଗରେ ଗତି କରି ଉତ୍ତରପ୍ରଦେଶର ଦକ୍ଷିଣକୁ ମୁହାଁଇବାର ସମ୍ଭାବନା ରହିଛି। ଏସବୁ ଅଞ୍ଚଳରେ ଲଘୁଚାପ ୪ରୁ ୫ ଦିନ ରହିବା ପରେ କ୍ରମଶଃ ଦୁର୍ବଳ ହୋଇପଡ଼ିବ।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଲଘୁଚାପ ପ୍ରଭାବରେ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଆଦି ୧୩ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ରେଡ଼ ୱାର୍ନିଂ ଜାରି କରାଯାଇଛି। ଏହାଛଡ଼ା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ଆଦି ୧୧ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ଆସନ୍ତା ୨୮ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା ଓ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହାର ପରବର୍ତ୍ତୀ ୨୪ଘଣ୍ଟାରେ ବୃଷ୍ଟିପାତ ନେଇ କୌଣସି ସତର୍କ ସୂଚନା ନାହିଁ।

ବର୍ଷା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଜିଲାପାଳମାନଙ୍କୁ ‌ନିର୍ଦେଶ ଦେଇଛନ୍ତି। ବର୍ଷା ଛାଡ଼ିଯିବା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୪ଘଣ୍ଟାରେ କଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ‌ବୈତରଣୀ, ବୁଢ଼ା ବଳଙ୍ଗକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଏ ପର୍ଯ୍ୟନ୍ତ ସୂଚନା ମିଳିନାହିଁ। ତେବେ ବନ୍ୟା ଆସିଲେ ଏହାର ମୁକାବିଲା ପାଇଁ ପୁରା ଦମରେ ପ୍ରସ୍ତୁତ ରହିବାକୁ ଜିଲା ପ୍ରଶାସନ ଓ ଜଳସମ୍ପଦ ବିଭାଗକୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.