ଆଜିଠୁ ଲଘୁଚାପ, ପାଞ୍ଚଦିନ ରହିବ ପ୍ରଭାବ

ଭୁବନେଶ୍ବର : ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର ବଙ୍ଗେପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ପୁରୀ ଓ ଅନୁଗୋଳ ଆଦି ୧୩ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ତେବେ ଲଘୁଚାପ ସୃଷ୍ଟି ହେବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ପ୍ରକୋପ ବଢ଼ିବ। ବର୍ଷାର ପ୍ରଭାବ ୫ଦିନ ପର୍ଯ୍ୟନ୍ତ ଲାଗିରହିବ। ଏଥିପାଇଁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୮ତାରିଖ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ୨୫ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ଏବଂ ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ। ୨୬ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ଏବଂ ସୁନ୍ଦରଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ। ୨୭ରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳରୁ ଅତି ପ୍ରବଳ ଏବଂ ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ। ୨୮ରେ ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ନବରଙ୍ଗପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହିତ ଉତ୍ତର ବଙ୍ଗୋପସାଗର ଓ ଏହାର ଉପକୂଳ ଅଞ୍ଚଳରେ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଉତ୍ତର,ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ସାଧାରଣରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି। ୨୪ ତାରିଖ ସକାଳୁ ୨୭ ସକାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଏବଂ ଉପକୂଳ ଓଡ଼ିଶା, ଉତ୍ତର, ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୋଳ ,ଦେବଗଡ଼ ଓ ସମ୍ବଲପୁରରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବ ୨୮ତାରିଖ ପର୍ଯ୍ୟନ୍ତ ରହିବାର ଆକଳନ କରାଯାଇଛ।

ଏହାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଡ଼ିଓ, ତହସିଲଦାରମାନଙ୍କୁ ସାବଧାନ କରାଯାଇଛି। ସେମାନେ ନିଜ ଅଞ୍ଚଳ ବୁଲି ଦେଖିବେ। ସେହିପରି ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନେ ନଦୀବନ୍ଧ ଉପରେ ସତର୍କ ନଜର ରଖିବା ସହିତ ତଥା ଡ଼୍ରେଜେନ ସଫା ରଖିବାକୁ ଚେଷ୍ଟା କରିବାକୁ କୁହାଯାଇଛି। ବୃଷ୍ଟିପାତ ସମୟରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଏବଂ ପାହାଡ଼ିଆ ଅଞ୍ଚଳରେ ଫ୍ଲାସଫ୍ଲଡ଼ର ସମ୍ଭାବନା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକ ସତର୍କ ରହିବା ସହିତ ସବୁ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। କ​‌େ​‌ଣ୍ଟ୍ରାଲରୁମ ରୁମ ୨୪ଘଣ୍ଟିଆ ଖୋଲା ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆସନ୍ତା ୨୬ରେ ଘନୀଭୂତ ହୋଇ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ରହିବ। ୨୭ରେ ଉତ୍ତରପ୍ରଦେଶ ଓ ବିହାର ଉପରେ ରହି ଉତ୍ତର ପଶ୍ଚିମ ଭାରତକୁ ମୁହାଁଇବ। ଆସନ୍ତା ୨୫ରେ ବର୍ଷା ପରିମାଣ ବଢ଼ିବା ସହିତ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ୨୬ ଓ ୨୭ରେ ବର୍ଷା ପ୍ରକୋପ ଜାରି ରହିବା ସହିତ ୨୮ରୁ କମିଯାଇପାରେ। ତେବେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଉତ୍ତର ଓଡ଼ିଶାର ନଦୀଗୁଡ଼ିକରେ ବନ୍ୟା ଆସିବାର ସମ୍ଭାବନା ରହିଛି। ବି​‌ଶେଷ କରି ସୁବର୍ଣ୍ଣରେଖା, ବୈତରଣୀର ଉଭୟ ଉପର ଓ ତଳମୁଣ୍ଡରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ଏହି ନଦୀଗୁଡ଼ିକ ଫୁଲିବାର ସମ୍ଭାବନା ରହିଛି।

Comments are closed.