୧୨ ଟା ୩୦ ଯାଏଁ କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା

ଭୁବନେଶ୍ବର; ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଟ୍ବିନ ସିଟିକୁ ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।  କଟକ ଓ ଭୁବନେଶ୍ବରରେ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୨/୩ ସେମି ପର୍ଯ୍ୟନ୍ତ ବର୍ଷିବ। ଏହା ପ୍ରଭାବରେ ରାସ୍ତା ଅଳ୍ପ ଦୃଶ୍ୟମାନ ହେବ। ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ର ।

ସୂଚନା ଅନୁଯାୟୀ, ତୀବ୍ର ଅବପାତ ଆନ୍ଧ୍ରପ୍ରଦେଶରର କାକିନାଡ଼ା ଅତିକ୍ରମ କରିଛି। ଆଜି ସକାଳ ୬ଟା ୩୦ରୁ ସକାଳ ୭ ଟା ୩୦ ମଧ୍ୟରେ ତୀବ୍ର ଅବପାତ ସ୍ଥଳଭାଗ ଅତିକ୍ରମ କରିଥିବା ଜଣାପଡ଼ିଛି।

ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। । ଦ୍ୱିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ। ଫଳରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Comments are closed.