୧୯ରେ ଆଉ ଏକ ଲଘୁଚାପ, ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ବେଗରେ ପବନ ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଏବଂ ଏହି କାରଣରୁ ମୌସୁମି ପୂର୍ବାପେକ୍ଷା ଅଧିକ ସକ୍ରିୟ ରହିଥିବାରୁ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଛି। ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ମାଲକାନଗିରି, ଅନୁଗୋଳ, ବରଗଡ଼ ଭଳି କିଛି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏପରିସ୍ଥଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କୁହାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗାଙ୍ଗେୟ ପଶ୍ଚିମବଙ୍ଗ, ସଂଲଗ୍ନ ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଦକ୍ଷିଣ ଝାରଖଣ୍ଡ ଓ ଆଖପାଖ ଅଞ୍ଚଳ ଉପରେ ଏହା କେନ୍ଦ୍ରିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଝାରଖଣ୍ଡ ଉପରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ। ତେଣୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଆଜି ମାଲକାନଗିରି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆସନ୍ତା କାଲି ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବା ସହ କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ କିଛି ଜିଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ମଙ୍ଗଳବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ସଂଧ୍ୟା ସୁଦ୍ଧା ବୌଦ୍ଧରେ ୧୪୦ ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୧୨୫ ମିମି, ହୀରାକୁଦରେ ୧୧୫ ମିମି, ମାଲକାନଗିରିରେ ୧୧୪ ମିମି, ସମ୍ବଲପୁରରେ ୧୦୭ ମିମି, ବାରିପଦାରେ ୯୭ ମିମି, ବଲାଙ୍ଗୀରରେ ୮୧ ମିମି, ଟିଟିଲାଗଡ଼ରେ ୪୫ ମିମି, ଫୁଲବାଣୀରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.