୨୪ଘଣ୍ଟାରେ ଲଘୁଚାପ, ୧୧ରୁ ବର୍ଷା; ୧୦ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତ ରୂପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମରେ ମୁହାଁଇବା ସହିତ ଘନୀଭୂତ ହୋଇ ୧୧ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟଦେଇ ଅତିକ୍ରମ କରିବ।

ଗତକାଲି ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଅଞ୍ଚଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ରହିଥିବାରୁ ଏହାର ପ୍ରଭାବରେ ମୌସୁମି ସକ୍ରିୟ ରହିବା ସହ ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବା ଯୋଗୁଁ ମଝିରେ ମଝିରେ ବର୍ଷା ହେଉଛି। ଆଇଏମଡ଼ି ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଲଘୁଚାପ ସୃଷ୍ଟି ହେବା ପରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ବଦଳିଯିବା ସହିତ ଦକ୍ଷିଣ ଓ ଉପକୂଳ ଜିଲାରେ ବର୍ଷା ଆରମ୍ଭ ହୋଇଯିବ। ତେବେ ୧୧ତାରିଖଠାରୁ ବର୍ଷାର ପ୍ରକୋପ ବଢ଼ିବ। ୧୧ତାରିଖରେ ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ମାଲକାନଗିରି, କନ୍ଧମାଳ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ଆସନ୍ତା ୧୨ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୧ ଓ ୧୨ରେ ଲଘୁଚାପ ସମୟରେ ବର୍ଷା ସହିତ ସମୁଦ୍ର ଉପକୂଳରେ ୪୫ରୁ ୫୫କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୧ରୁ ୧୩ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରିଦିଆଯାଇଛି।
ଲଘୁଚାପ ଅବପାତରେ ପରିଣତ ହେବା ସହିତ ବର୍ଷା ପବନର ସମ୍ଭାବନା ରହିଛି। ଜିଲା ପ୍ରଶାସନକୁ ଏଥିନେଇ ସତର୍କ ରଖିବା ସହିତ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଣ୍ଡାମାନ ସାଗର ଓ ମିଅାଁମାର ନିକଟରେ ଏକ ଲଘୁଚାପ ବଳୟ ଆଜି ରାତି ସୁଦ୍ଧା ସୃଷ୍ଟି ହୋଇସାରିଛି। ଏହା ଆସନ୍ତା ୧୦ରେ ଅବପାତ ଓ ୧୧ରେ ତୀବ୍ର ଅବପାତରେ ପରିଣତ ହେବ। ଆସନ୍ତା ୧୨ରେ ଏହା ଆନ୍ଧ୍ର ଉପକୂଳର ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୧ରୁ ୧୩ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବ।

Comments are closed.