୪ରୁ ଲଘୁଚାପ, ୩ରୁ ବର୍ଷିବ

ଆସନ୍ତା ୪ତାରିଖ ସୁଦ୍ଧା ଉତ୍ତର ବଙ୍ଗେପାସାଗରରେ ଏକ ଳଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୩ରୁ ୬ ତାରିଖ ଭିତରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି ଯେ ଏବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଏହାର ପାଶ୍ୱବର୍ତ୍ତୀ ଉତ୍ତର ତାମିଲନାଡ଼ୁ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଆସନ୍ତା ଅଗଷ୍ଟ ୪ତାରିଖରେ ଉତ୍ତର ବେଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ମୌସୁମିକୁ ସକ୍ରିୟ କରାଇବ। ଏହାଦ୍ୱାରା ଅଧିକ ବର୍ଷା ହେବ ଏବଂ ଚାଷ କାର୍ଯ୍ୟରେ ବିଳମ୍ବ ହୋଇଥିଲେ ବି ପରିସ୍ଥିତି ସୁଧରିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କର ପୂର୍ବ ଆକଳନକୁ ଦୋହରାଇ କହିଛନ୍ତି ଯେ ଅଗଷ୍ଟ ୪ରେ ଲଘୁଚାପ ହେଲେ ଏହା ୩୬ଘଣ୍ଟା ଭିତରେ ପଶ୍ଚିମ ଦିଗରେ ସ୍ଥଳଭାଗକୁ ଗତି କରିବ। ଏହା ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ଉପରେ ରହିବ।

ଏହାର ପ୍ରଭାବରେ ରାଜ୍ୟରେ ୩ରୁ ୬ ପର୍ଯ୍ୟନ୍ତ ବର୍ଷା ହେବ। ୫ରେ ସବୁଠୁ ଅଧିକ ବର୍ଷିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଓ ୬ରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ୪ରେ ଅଧିକାଂଶ ଅଞ୍ଚଳରେ ମଧ୍ୟମ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ରାଜ୍ୟରେ ୩ରୁ ୭ତାରିଖ ମଧ୍ୟରେ ପ୍ରାୟ ୧୨୦ମିମି ବର୍ଷା ହୋଇପାରେ। ଏହି ବର୍ଷା ରୁଆ ବେଉଷଣ ପାଇଁ ସହାୟକ ହେବ। ଧିମେଇ ଯାଇଥିବା ଚାଷ ପୁଣି ଚଳଚଞ୍ଚଳ ହେବାର ସମ୍ଭାବନା ରହିଛି। ତେବେ ବର୍ଷା ଭଦ୍ରକ, ବାଲେଶ୍ୱର ଆଦି ଉତ୍ତର ଓଡ଼ିଶାରେ ଅପେକ୍ଷାକୃତ କମ ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ନଦୀ ଫୁଲିବାର ବି ସମ୍ଭାବନା ରହିଛି।

Comments are closed.