୧୩ରୁ ପୁଣି ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ କ୍ରମାଗତ ୪ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି । କେ‌େ‌ତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇ ଛତିଶଗଡ଼ ମୁହାଁ ହୋଇଛି। ଏପରିସ୍ଥିତିରେ ଆସନ୍ତା ୧୩ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଏହାର ପ୍ରଭାବରେ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅବପାତ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୧ ମିମି ତୁଳନାରେ ୨୩୦% ଅଧିକ। ଅନ୍ୟପଟେ ମୌସୁମୀ ନିମ୍ନ ଚାପରେଖା ଆଜି ସୌରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଆରବସାଗର ଉପରେ ଲଘୁଚାପ କେନ୍ଦ୍ରରୁ ବାହାରି ଓଡ଼ିଶାର ଝାରସୁଗୁଡା, ବାଲେଶ୍ୱରରୁ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଜିଲା ଗୁଡିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବିଶେଷ କରି ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ଜମନକିରାରେ ସର୍ବାଧିକ ୧୪୭ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଲଖନପୁର ୧୩୬ମିମି, ସମ୍ବଲପୁର ୧୨୫.୬ ମିମି ଆଦି ୪ସ୍ଥାନରେ ୧୦୦ମିମି ଉପରେ ବର୍ଷା ହୋଇଛି। ଆଜି ଯାଜପୁରରେ ୧୧୦ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, କଟକ, ଚାନ୍ଦବାଲି, କେନ୍ଦୁଝର, ବାଲେଶ୍ବର, ପାରାଦ୍ବୀପ, ଭୁବନେଶ୍ବର, ତାଳଚେର, କୋରାପୁଟ ଏବଂ ସମ୍ବଲପୁର ବର୍ଷା ହୋଇଛି।

ସମ୍ଭାବ୍ୟ ଲଘୁଚାପ ଯୋଗୁଁ ପୁଣି ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୧୩ରେ ଅତି ପ୍ରବଳ ବର୍ଷା ନେଇ ୮ ଜିଲା ଏବଂ ୧୪ରେ ୧୪ ଜିଲାକୁ କମଳା ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ଜିଲାର କିଛି ଅଞ୍ଚଳରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ସେହିପରି ୧୩ରେ ୧୫ ଜିଲା ଏବଂ ୧୪ରେ ୧୬ ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେସବୁ ଜିଲାଗୁଡିକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ତଳିଆ ଅଞ୍ଚଳରେ ପାଣି ଜମିବା ଓ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ। ଲଘୁଚାପ ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀ ଉପର ମୁଣ୍ଡ ଓ ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି। ଦକ୍ଷିଣ ଓଡ଼ିଶାର ସବୁ ନଦୀ ଫୁଲୁଛି। ଏପରି ସ୍ଥିତିରେ ୧୩ରୁ ପୁଣି ଲଗାଣ ବର୍ଷା ପୂର୍ବାନୁମାନ ବନ୍ୟା ଆଶଙ୍କାର ଭୟ ସୃଷ୍ଟି କରିଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମତ୍ସ୍ୟଜୀବୀଙ୍କୁ ୧୨ରୁ ୧୪ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

Comments are closed.