ଏଥର କମ୍ ବର୍ଷା: ପଶୁପାଳକ

ଭୁବନେଶ୍ବର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦେଶ ଓ ରାଜ୍ୟରେ ସ୍ବାଭାବିକ ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି। ହେଲେ ଏସନ ଦେଶରେ ମୌସୁମି ବାୟୁ ସ୍ବାଭାବିକ ବର୍ଷିବାକୁ ଥିବାବେଳେ ରାଜ୍ୟରେ ସ୍ବାଭାବିକରୁ କମ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡି ଯାଇଛନ୍ତି।

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ମୌସୁମି ଜନିତ ବର୍ଷାର ରୂପରେଖ ପାଣିପାଗ ଆକଳନ ଉପରେ ଆଧାରିତ। ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଜଳପତ୍ତନର ତାପମାତ୍ରା ଉପରେ ନିର୍ଭର କରୁଛି। ବିଭିନ୍ନ ନମୁନାର ଆକଳନ କହୁଛି, ମେ ମାସର ପ୍ରଥମ ଭାଗରେ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ବାଭାବିକ ୦.୯ ଡିଗ୍ରୀ ସେଲସିୟସରୁ କମ ରହିବ; କିନ୍ତୁ ସେପ୍ଟେମ୍ବର ବେଳକୁ ସମ୍ଭବତଃ ସମୁଦ୍ର ଜଳପତ୍ତନର ତାପମାତ୍ରା କମି ୦.୫ ଡିଗ୍ରୀ ସେଲସିୟସକୁ ଖସି ଆସିବ। ଭାରତ ମହାସାଗରର ପଶ୍ଚିମ ଓ ପୂର୍ବଭାଗ ସମୁଦ୍ର ଜଳପତ୍ତନର ତାପମାତ୍ରାର ତାରତମ୍ୟ ମେ ମାସ ଆରମ୍ଭରେ ୦.୪ ସେଲସିୟସ ରହିଥିଲା। ଏହା କ୍ରମଶଃ ବୃଦ୍ଧି ପାଇ ଜୁଲାଇରେ ୧ ଡିଗ୍ରୀ ସେଲସିୟସ ଏବଂ ସେପ୍ଟେମ୍ବରରେ ୧.୫ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ଆକଳନ କରାଯାଇଛି। ଯେତେବେଳେ ଏହା ନିୟୁଟ୍ରାଲ ଅବସ୍ଥାରେ ରହିବ ଏବଂ ବିଯୁକ୍ତାତ୍ମକ ଅବସ୍ଥାରେ ଭାରତ ସାଗରରେ ପଶ୍ଚିମା ପବନ ବହିବ ସେତେବେଳେ ବଙ୍ଗୋପସାଗରରେ ମୌସୁମି ଦୁର୍ବଳ ରହିବାର ସମ୍ଭାବନା ରହିଛି।

ବିଭିନ୍ନ ନମୁନା ଉପରେ ଆଧାରିତ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର ଆକଳନକୁ ବିଶ୍ଳେଷଣ କରିବାରୁ ଜଣାପଡୁଛି ଯେ, ଚଳିତ ବର୍ଷ ରାଜ୍ୟରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମି ସ୍ବାଭାବିକରୁ କମ ବର୍ଷିବାର ସମ୍ଭାବନା ୪୦ ପ୍ରତିଶତ ରହିଛି। ଜୁଲାଇ ଓ ଅଗଷ୍ଟରେ ପ୍ରାୟତଃ ବର୍ଷା ପରିମାଣ ସ୍ବାଭାବିକରୁ କମ ରହିବ ବୋଲି ନମୁନାଗୁଡିକର ଆକଳନ କହୁଛି। ସେହିପରି ଚଳିତ ବର୍ଷ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିଜନିତ ବର୍ଷା ସମ୍ଭାବନା କମ। କିନ୍ତୁ ସେପ୍ଟେମ୍ବର ମଧ୍ୟଭାଗରୁ ଏବଂ ଅକ୍ଟୋବରରେ ସ୍ବାଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଧିକ ରହିଥିବା ସେ କହିଛନ୍ତି।

Comments are closed.