ପଶ୍ଚିମ ଜଳୁଛି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି । ୪୦ ଡିଗ୍ରୀ ତଳକୁ ଖସୁନି ଦିନ ତାପମାତ୍ରା । ଏଣେ ଉପକୂଳ ଓଡ଼ିଶାରେ ବିଶେଷ ଖରା ଅନୁଭୂତ ହେଉ ନ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି । ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ୩୫/୩୭ ଡିଗ୍ରୀ ଭିତରେ ରହୁଛି। ଉପକୂଳ ପରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗକେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ଦ୍ବାରା ରବିବାର ୩ଟି ସହରରେ ପାରଦ ୪୩ ଡିଗ୍ରୀ ଟପିଛି । ୪୩.୩ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ବଲାଙ୍ଗୀର ଓ ସୁନ୍ଦରଗଡରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଅନୁଗୋଳ ଓ ହୀରାକୁଦରେ ୪୦.୧, ଝାରସୁଗୁଡା ୪୧.୬, ସମ୍ବଲପୁର ୪୨.୨, ତାଳଚେର ୪୦, ଭବାନୀପାଟଣା ୪୧.୫, ଟିଟିଲାଗଡ ୪୨.୨, ମାଲକାନଗିରି ୪୧, ନୂଆପଡା ୪୧.୫, ଭୁବନେଶ୍ବର ୩୫.୮ ଏବଂ କଟକରେ ୩୫.୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପପୁଞ୍ଜ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ଅଗ୍ରସର ହୋଇପାରେ। ଅନ୍ୟପଟେ ବିହାର, ଦକ୍ଷିଣ ତାମିଲନାଡୁ, ଉତ୍ତର ଛତିଶଗଡ, ବିଦର୍ଭ, ତେଲଙ୍ଗାନା ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ନିମ୍ନଚାପରେଖା ସକ୍ରିୟ ରହିଛି। ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କଟକ ଜିଲାରେ କାଳବୈଶାଖୀ ପ୍ରଭାବରେ ଘଡଘଡି ଓ ଝଡବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା ଏବଂ ସୁନ୍ଦରଗଡ ଜିଲାର କିଛି ସ୍ଥାନରେ ବଜ୍ରପାତକୁ ଦୃଷ୍ଟିରେ ରଖି ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।

Comments are closed.