ଆହୁରି ୨୪ ଘଣ୍ଟାଯାଏ ଭିଜିବ ଓଡିଶା, ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଲାଗିରହିଥିବା ବର୍ଷା ଆହୁରି ୨୪ ଘଣ୍ଟା ଯାଏ ଲାଗି ରହିବ। ମଙ୍ଗଳବାର ସକାଳୁ ରାଜ୍ୟର ଅଧିକାଂଶ ଜିଲାରେ କୋହଲା ପାଗ ସହ ଝଡବର୍ଷା ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ମଧ୍ୟ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୨୬ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ମୟୂରଭଞ୍ଜ, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ାର କିଛି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଦୁଇ ଦିନ ଏମିତି ପାଗ ରହିବ। ଗୁରୁବାରଠାରୁ ପାଗରେ ପରିବର୍ତ୍ତନ ଆସିବ। ପାଗ ଶୁଖିଲା ରହିବ କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ଘନ କୁହୁଡ଼ି ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Comments are closed.