ଆଇଆଇଟି ବୈଜ୍ଞାନିକଙ୍କ ଉଦ୍ଭାବନ, ଉପଗ୍ରହ ସୂଚନା ପୂର୍ବରୁ ଜାଣି ହେବ ଘୂର୍ଣ୍ଣିବାତ୍ୟାର ରୂପ

ନୂଆଦିଲ୍ଲୀ: ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟା ସଂକ୍ରାନ୍ତରେ ପାଣିପାଗ ବୈଜ୍ଞାନିକମାନେ ଉପଗ୍ରହରୁୁ ମିଳୁଥିବା ତଥ୍ୟ ଆଧାରରେ ସୂଚନା ପ୍ରଦାନ କରି ଆସୁଥିଲେ। ତେବେ ଖଡ଼ଗପୁର ଆଇଆଇଟିର ବୈଜ୍ଞାନିକମାନେ ଏପରି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯାହା ଉପଗ୍ରହ ସୂଚନା ଦେବା ପୂର୍ବରୁ ଘୂର୍ଣ୍ଣି ବାତ୍ୟା ସଂକ୍ରାନ୍ତରେ ଆଗୁଆ ଓ ସଠିକ୍‌ ସୂଚନା ଦେଇ ପାରିବ। ଏହାଦ୍ବାରା ଜନସାଧାରଣ ଘୂର୍ଣ୍ଣି ବାତ୍ୟାର ଯଥେଷ୍ଟ ପୂର୍ବରୁ ସତର୍କ ହୋଇ ପାରିବେ ବୋଲି ସୋମବାର କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ଘୂର୍ଣ୍ଣି ବାତ୍ୟାର ଯଥେଷ୍ଟ ପୂର୍ବରୁ ପ୍ରଥମେ ସମୁଦ୍ରର ପାଣି ଗରମ ହୋଇଥାଏ। ପରେ ଢେଉର ଉଚ୍ଚତା ବୃଦ୍ଧି ପାଇଥାଏ। ପରବର୍ତ୍ତୀ ସମୟରେ ଏହା ଘୂର୍ଣ୍ଣିବାତ୍ୟାର ରୂପ ନେଇଥାଏ। ସମୁୁଦ୍ର ଉପରେ ଘୂର୍ଣ୍ଣି ବାତ୍ୟା ସୃଷ୍ଟି ହେଲେ ଉପଗ୍ରହ ଏହାକୁ ଠାବ କରିବା ପରେ ପାଣିପାଗ ବୈଜ୍ଞାନିକମାନେ ଏ ସଂକ୍ରାନ୍ତରେ ସୂଚନା ଦେଇଥା’ନ୍ତି। ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଯନ୍ତ୍ରଟି ଘୂର୍ଣ୍ଣି ବାତ୍ୟା ପୂର୍ବରୁ; ଅର୍ଥାତ୍‌ ସମୁଦ୍ର ଗର୍ଭର ପାଣି ଗରମ ହେବା ଆରମ୍ଭ କରିବା କ୍ଷଣି ଏ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବ। ସମୁଦ୍ର ଗର୍ଭସ୍ଥ ପାଣି ଗରମ ହୋଇ ଘୂର୍ଣ୍ଣି ବାତ୍ୟାର ରୂପ ନେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିଥାଏ। ଏହି ଘୂର୍ଣ୍ଣି ବାତ୍ୟା ସୃଷ୍ଟି ହେବା ପରେ ଉପଗ୍ରହ ଏହାର ଫଟୋ ଉତ୍ତୋଳନ କରି ପଠାଇଥାଏ। ଏହାପରେ ବୈଜ୍ଞାନିକମାନେ ଜନସାଧାରଣଙ୍କୁ ସତର୍କ କରାଇଥା’ନ୍ତି। ଘୂର୍ଣ୍ଣି ବାତ୍ୟା ଉପକୂଳ ଛୁଇଁବାର ୧୨ ରୁ ୧୫ ଦିନ ପୂର୍ବରୁ ଉପଗ୍ରହ ତଥ୍ୟକୁ ଆଧାର କରି ପାଣିପାଗ ବୈଜ୍ଞାନିକମାନେ ଆମକୁ ସତର୍କ କରାଇଥା’ନ୍ତି। ତେବେ ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା ଯନ୍ତ୍ରଟି ସମୁଦ୍ର ମଧ୍ୟରେ ଗରମ ବାତାବରଣ ସୃଷ୍ଟି ହେବା କ୍ଷଣି ଘୂର୍ଣ୍ଣି ବାତ୍ୟା ସଂକ୍ରାନ୍ତରେ ସତର୍କ ସୂଚନା ଯୋଗାଇ ଦେବ। ଅର୍ଥାତ୍‌ ଉପକୂଳ ଛୁଇଁବାର ପ୍ରାୟ ୨୦ରୁ ୨୫ ଦିନ ପୂର୍ବରୁ ଏହି ଯନ୍ତ୍ରଟି ଆମକୁ ଘୂର୍ଣ୍ଣି ବାତ୍ୟା ସଂକ୍ରାନ୍ତରେ ଆଗୁଆ ସୂଚନା ପ୍ରଦାନ କରି ପାରିବ। ଖଡ଼ଗପୁୁର ଆଇଆଇଟିର ବୈଜ୍ଞାନିକ ଜିଆ ଆଲବର୍ଟ, ବିଷ୍ଣୁ ପ୍ରିୟା ସାହୁ ଓ ପ୍ରସାନ କେ. ଭାସ୍କରନ୍‌ଙ୍କ ମିଳିତ ଉଦ୍ୟମରେ ଏହି ଯନ୍ତ୍ରକୁ ବିକଶିତ କରାଯାଇଛି।

Comments are closed.