ବଜ୍ରପାତ ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ

-୧୫ରୁ ବଢ଼ିବ ତାପମାତ୍ରା,-୧୮ରୁ କାଳବୈଶାଖୀ ସମ୍ଭାବନା ଅଧିକ

-ବୌଦ୍ଧରେ ତାପମାତ୍ରା ଛୁଇଁଲା ୩୯,-ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୫

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ବିଶେଷ କରି ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ତିନିଦିନ ଧରି ରାଜ୍ୟର ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲାଗୁଡିକରେ ବଜ୍ରପାତ ସହିତ ବର୍ଷା ହୋଇପାରେ।
ଶୁକ୍ରବାର କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ। ଶନିବାର ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜଳ ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ ଏବଂ ନବରଙ୍ଗପୁର। ରବିବାର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି ଏବଂ ଗଞ୍ଜାମ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେବ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି; କିନ୍ତୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଏହାର କାରଣ ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢିଥିବାରୁ ଦିନ ତାପମାତ୍ରା କମିଛି ଏବଂ ରାତି ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ବୌଦ୍ଧରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ଫଳରେ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୭ ସହରର ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଆଗାମୀ ଦୁଇଦିନ ଯାଏଁ ସର୍ବାଧିକ ତାପମାତ୍ରାର ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୭ରୁ ୨୬ ଡିଗ୍ରୀ ମଧ୍ୟରେ ରହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଏହି ସପ୍ତାହରେ ଉତ୍ତର ଭାରତ ସହିତ ଓଡ଼ିଶାରେ ତାପମାତ୍ରା କମିଛି। ବାୟୁର ଦିଗରେ ପରିବର୍ତ୍ତନ ଆସିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ ତାରିଖରୁ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସର୍ବାଧିକ ତାପମାତ୍ରା ବଢିବ ନାହିଁ। ୧୬ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିବ। ୧୨ ଏବଂ ୧୩ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ତେବେ ୧୮ରୁ କାଳବୈଶାଖୀ ବଢିବାର ସମ୍ଭାବନା ରହିଛି।

Comments are closed.