ବଙ୍ଗୋପସାଗରରେ ଦୁଇ ଘୂର୍ଣ୍ଣିବଳୟ, ୬ରୁ ଝଡ଼ ସହ ପ୍ରବଳ ବର୍ଷା

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୪.୫ କି.ମିରୁ ୫.୮ କି.ମି ଉଚ୍ଚତା ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମିରୁ ୪.୫ କି.ମି ଉଚ୍ଚତା ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପୁନଃ ଆସନ୍ତା ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାକ୍‌ ସୂଚନା ଦିଆଯାଇଛି। ୧୬ଟି ଜିଲାରେ ବର୍ଷା ପବନ ଓ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଏହି ସବୁ ଜିଲା ପାଇଁ ହଳଦିଆ ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଜାରି କରିଛି। ଘୂର୍ଣ୍ଣିଝଡ଼ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲାର ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ଦ୍ବାରା ଆଗାମୀ ୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାଗୁଡିକରେ ଭଲ ବର୍ଷା ହେବ। ଚଳିତ ମାସ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ୪ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ପୂର୍ବଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୫ରେ ଲଘୁଚାପରେ ପରିଣତ ହେବ। ୬ରେ ଉପକୂଳରେ ପ୍ରବଳ ବର୍ଷା କରି ଛତିଶଗଡ ଦେଇ ବିଦର୍ଭ ଆଡକୁ ମୁହାଁଇବ। ଏହାଫଳରେ ୫ ତାରିଖ ସନ୍ଧ୍ୟାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବର୍ଷା ଆରମ୍ଭ ହେବ। ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବ। ପୁନଃ ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.