ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ; ନବୀନ ସବୁଠୁ ଧନୀ, ତୁଷାରକାନ୍ତି ରାଜ୍ୟର ଗରିବ ମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁଠୁ ଧନୀ ମନ୍ତ୍ରୀ। ସେହିପରି କ୍ରୀଡ଼ା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠାରୁ ଗରିବ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ମିଳିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ମୁଖ୍ୟମନ୍ତ୍ରୀ ପୂର୍ବପରି ରାଜ୍ୟର ସବୁଠୁ ଧନୀ ମନ୍ତ୍ରୀ ଅଛନ୍ତି। ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ୪୯.୨୪ କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୬୩.୬୪ କୋଟି ଟଙ୍କାରେ ପହଞ୍ଚିଛି। ସମ୍ପତ୍ତି ମଧ୍ୟରେ ନବୀନଙ୍କର ୨ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଥିବା ଦର୍ଶାଯାଇଛି। ୧୯୮୦ ମସିହାର ଏକ ଆମ୍ବାସାଡର ରହିଛି। ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କାକୁ ସେ ଏଯାଏ ପରିଶୋଧ କରି ନ ଥିବା କୁହାଯାଇଛି।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା କୁହାଯାଇଛି। ସମ୍ପତ୍ତି ମଧ୍ୟରେ ଭୁବନେଶ୍ଵରରେ ଏକ ଜାଗା, ୫ ଟଙ୍କା ଟଙ୍କାର ଏକ କାର ଥିବା ଦର୍ଶାଯାଇଛି। ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ନିକଟରେ ମୋଟ ୩୨ ଲକ୍ଷ ଟଙ୍କା ନଗଦ ଥିବା ବେଳେ ୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ଏବଂ ୨ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ରହିଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ୪୨ ଲକ୍ଷ ଟଙ୍କା ଦର୍ଶାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଟୁକୁନିଙ୍କର ଭୁବନେଶ୍ଵରରେ ୨ଟି ଆପାର୍ଟମେଣ୍ଟ, ୪ଟି କାର୍‌, ଟିଟିଲାଗଡ଼ରେ ୨ ମହଲା କୋଠା, ୬ ଏକର ଜମି ଏବଂ ୨୫୦ ଗ୍ରାମ ସୁନା ଅଳଙ୍କାର ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଓ ଝିଅଙ୍କ ନାଁରେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି ବୋଲି ଦର୍ଶାଯାଇଛି।

Comments are closed.