ଶାରଜାହା, ଦୁବାଇ ଓ ଆବୁଧାବୀରେ ହେବ ଆଇପିଏଲର ସମସ୍ତ ମ୍ୟାଚ୍

ୟୁଏଇରେ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ଦେଲେ ବିଧିବଦ୍ଧ ମଞ୍ଜୁରୀ

ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା ସୂଚନା ଅନୁସାରେ ଆଇପିଏଲ୍ ୟୁଏଇର ୩ଟି ଷ୍ଟାଡ଼ିଅମରେ ହେବ ଏବଂ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ । ଶାରଜାହା, ଦୁବାଇ ଓ ଆବୁଧାବୀରେ ୩ଟି ଷ୍ଟାଡ଼ିଅମରେ ସମସ୍ତ ଖେଳ ହେବ ବୋଲି ସେ କହିଛନ୍ତି ।

ଗତ ସପ୍ତାହରେ ସରକାର ବିସିସିଆଇକୁ ୟୁଏଇରେ ଖେଳ ଆୟୋଜନ ନିମନ୍ତେ ସୈଦ୍ଧାନ୍ତିକ ମଞ୍ଜୁରୀ ଦେଇଥିଲେ । ତେବେ ଏ ସମ୍ପର୍କରେ ଲିଖିତ ମଞ୍ଜୁରୀ ଆଜି ମିଳିଛି ବୋଲି ବ୍ରିଜେଶ୍ ପଟେଲ ପିଟିଆଇକୁ ସୂଚନା ଦେଇଛନ୍ତି । ଭାରତର କୌଣସି କ୍ରୀଡ଼ା ସଙ୍ଗଠନ ବିଦେଶରେ ଖେଳ ଆୟୋଜନ କରିଥାଏ ସେଥିପାଇଁ ଗୃହ, ବିଦେଶ ଓ କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ନେବା ଅପରିହାର୍ଯ୍ୟ । ବୋର୍ଡ଼ର ଜଣେ ଉଚ୍ଚ ଅଧିକାରୀଙ୍କ ସୂଚନା ଅନୁସାରେ ସରକାରଙ୍କ ମଞ୍ଜୁରୀ ମିଳିବା ଖବର ଆମେ ଏମିରେଟ୍ସ କ୍ରିକେଟ୍ ବୋର୍ଡ଼କୁ ସୂଚନା ଦେଇଛୁ ଏବଂ ଟିମ୍ ଗୁଡ଼ିକୁ ଏ ସମ୍ପର୍କରେ ଖବର ଜଣାଇ ଦିଆଯାଇଛି । ଅଧିକାଂଶ ଦଳ ୨୦ ଅଗଷ୍ଟ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବେ ଏବଂ ଏହା ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଆରଟି-ପିସିଆର ଟେଷ୍ଟ କରିବାକୁ ପଡ଼ିବ । ଚେନ୍ନଇ ସୁପରକିଙ୍ଗ ଆସନ୍ତା ୨୨ ତାରିଖରେ ୟୁଏଇ ଯାତ୍ରା କରିବ । ଚୀନ ମୋବାଇଲ୍ କମ୍ପାନୀ ଭିଭୋକୁ ପ୍ରାୟୋଜକରୁ ବାଦ ଦେବା ପରେ ଏବେ ଅନେକ କମ୍ପାନୀ ଆଇପିଏଲ୍ ପ୍ରାୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାମଦେବଙ୍କ କମ୍ପାନୀ ପତଞ୍ଜଳି ସହ ରିଲାଏନ୍ସ ଜିଓ, କୋକାକୋଲା, ବାୟଜୁ, ଆମାଜନ ଆଦି କମ୍ପାନୀ ଏହି ଦୌଡ଼ରେ ଆଗରେ ଅଛନ୍ତି ।

Comments are closed.