ସରକାରଙ୍କ ନିଷ୍ପତ୍ତି ମାନିବୁ: କୋହଲି

0

ବିଶାଖାପାଟଣା : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହେବା ପଛରେ ପାକିସ୍ତାନର ହାତ ଥିବା ଅଭିଯୋଗ ହେଉଛି। ଆଗାମୀ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ ଏହି ମ୍ୟାଚ୍‌ ଭାରତ ବର୍ଜନ କରିବା ଉଚିତ୍‌ ବୋଲି କେତେକ ମହଲରେ ଦାବି ହେଉଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଖେଳିବ କି ନାହିଁ ସେ ସଂପର୍କରେ ଭାରତ ସରକାର ଯେଉଁ ନିଷ୍ପତ୍ତି ନେବେ ତାହାକୁ ଆମେ ମାନିବୁ। ଦେଶବାସୀ ଯାହା ଚାହିଁବେ ତାହା ହେବ। ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାର ପ୍ରତି କୋହଲି ସମବେଦନା ଜଣାଇବା ସହ ଏହି ଘଟଣାରେ ଟିମ୍‌ ଇଣ୍ଡିଆ ମର୍ମାହତ ବୋଲି କହିଥିଲେ।
ସୂଚନାଥାଉକି କୋହଲିଙ୍କ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଭାରତ-ପାକିସ୍ତାନ ବିଶ୍ବକପ୍‌ ସଂପର୍କରେ ସମାନ ମତ ରଖିଥିଲେ। ଶାସ୍ତ୍ରୀ କହିଥିଲେ ଯେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଭାରତ ବର୍ଜନ କରିବ କି ନାହିଁ ସେ ସଂପର୍କରେ ବିସିସିଆଇ ଓ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଭାରତୀୟ ଦଳ ମାନିବ। ଶୁକବ୍ରାର କ୍ରିକେଟ୍‌ ପ୍ରଶାସକ କମିଟି ଓ ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବା ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କ୍ରିକେଟ୍ ପ୍ରଶାସକ କମିଟି ଅଧ୍ୟକ୍ଷ ବିନୋଦ ରାୟ ସୂଚନା ଦେଇଥିଲେ। ଭାରତ-ପାକିସ୍ତାନ ବିଶ୍ବକପ୍‌ ମ୍ୟାଚ୍‌ ନେଇ ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଏକମତ ପ୍ରକାଶ ପାଉନାହିଁ। ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ବିଶ୍ବକପ୍‌ ମ୍ୟାଚ୍‌ ବର୍ଜନ କରିବା ଭାରତ ପକ୍ଷରେ ଅନୁଚିତ ବୋଲି ମତ ଦେଉଥିବା ବେଳେ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂହ ପାକିସ୍ତାନ ସହ କ୍ରୀଡ଼ା ସଂପର୍କ ଛିନ୍ନ କରିବାକୁ ମତ ଦେଇଛନ୍ତି।

Leave A Reply