ଆମେ ଏବେ କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛୁ: ପିଜିଆଇଏମଇଆର ନିର୍ଦ୍ଦେଶକ

ଚଣ୍ଡିଗଡ: ଭାରତ ସଂପ୍ରତି କରୋନାର ତୃତୀୟ ଲହର ଆରମ୍ଭ ସ୍ଥିତିରେ ରହିଛି। ଦେଶର ସଂଖ୍ୟାଗରିଷ୍ଠ ପିଲାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି, ଯାହା ପ୍ରଦର୍ଶିତ କରୁଛି ଯେ ସେମାନେ ତୃତୀୟ ଲହରରେ ବିଶେଷ ପ୍ରଭାବିତ ହେବେନାହିଁ ବୋଲି ଚଣ୍ଡିଗଡସ୍ଥିତ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ପିଜିଆଇଏମଇଆର)ର ନିର୍ଦ୍ଦେଶକ ଡା. ଜଗତ ରାମ କହିଛନ୍ତି। ସେ କହିଛନ୍ତି ଯେ ପିଜିଆଇଏମଇଆର ପକ୍ଷରୁ ଏକ ସେରୋ ସର୍ଭେ କରାଯାଇଥିଲା। ୨୭୦୦ ପିଲାଙ୍କ ମଧ୍ୟରୁ ୭୧ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଏଥିରୁ ଲକ୍ଷ୍ୟ କରାଯାଇଛି। ଏଥିରୁ ପିଲାମାନେ ଅଧିକ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ହେବା ଆଶଙ୍କା କରାଯାଉନାହିଁ। ଦେଶରେ ପ୍ରାୟ ୬୯ରୁ ୭୩ ପ୍ରତିଶତ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ହାରାହାରି ଏହା ୭୧ ପ୍ରତିଶତ ବୋଲି ଜଣାଯାଇଛି। ଏପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ଉପଲବ୍ଧ ନଥିବା ସମସ୍ତେ ଜାଣନ୍ତି। ତେଣୁ କୋଭିଡ-୧୯ ସଂକ୍ରମଣ ସମୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ମନେକରାଯାଉଛି। ଡା. ଜଗତ ରାମ କହିଥିଲେ, ତୃତୀୟ ଲହର ଶିଖର ଛୁଇଁବା ସମୟ ହୁଏତ ବିଳମ୍ବିତ ହୋଇପାରେ। ସେଥିପାଇଁ ଦେଶବାସୀ କୋଭିଡ ନିୟମାବଳୀକୁ କଡାକଡି ପାଳନ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ ପ୍ରତିଷେଧକ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି। ଦେଶରେ ସଂପ୍ରତି କୋଭାକ୍ସିନ, କୋଭିଶିଲ୍ଡ ଏବଂ ସ୍ପୁଟନିକ ଭି ଟିକା ଦିଆଯାଉଛି। ଇତିମଧ୍ୟରେ ୭୫ କୋଟି ପାନ ଟିକା ଦିଆଯାଇସାରିଲାଣି। ଏହା ଆଶ୍ୱାସନାର ବିଷୟ ବୋଲି ଡା. ଜଗତ ରାମ କହିଛନ୍ତି।

Comments are closed.