‘ପ୍ରତ୍ୟେକ କିଶୋରୀ ସୁରକ୍ଷିତ ଓ ସୁଖପୂର୍ଣ୍ଣ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ’

ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କିଶୋରୀମାନଙ୍କ ପାଇଁ ଜୀବନ କୌଶଳ ସମ୍ବନ୍ଧିତ ସ୍ୱତନ୍ତ୍ର ପ୍ୟାକେଜ ‘ଅଦ୍ୱିକା’ର ଲୋକାର୍ପଣ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆଜି ପୂର୍ବାହ୍ନରେ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାରରେ ରାଜ୍ୟର କିଶୋରୀମାନଙ୍କ ନିମନ୍ତେ ଜୀବନ କୌଶଳ ସମ୍ବନ୍ଧିତ ସ୍ୱତନ୍ତ୍ର ପ୍ୟାକେଜ ‘ଅଦ୍ୱିକା’ର ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ମୋ ସ୍ୱର, ଆମର ସମାନ ଭବିଷ୍ୟତ’ । ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଏହି ପ୍ୟାକେଜ ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାଜ୍ୟର ୧୦ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଏବଂ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଏହା କାର୍ଯ୍ୟକାରୀ କରାଯିବ। ଏହି େୱବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ‘ଅଦ୍ୱିକା’ର ଅର୍ଥ ଅଦ୍ୱିତୀୟ। ଆମ ଝିଅମାନଙ୍କ ଭିତରେ ଭରପୂର ପ୍ରତିଭା ଓ ସାମର୍ଥ୍ୟ ରହିଛି। ସେମାନଙ୍କୁ ଅଦ୍ୱିତୀୟ କରି ଗଢ଼ିତୋଳିବାରେ ଏହା ଏକ ଅଭିନବ ପ୍ରୟାସ । ନିଜ ସମସ୍ୟାକୁ ବୁଝିପାରିଲେ ନିଜ ଅଧିକାର ପାଇଁ ସେମାନେ ଲଢ଼ି ଶିଖିବେ ଏବଂ ସମାଜରେ ଦୃଢ଼ ଭାବେ ଠିଆ ହୋଇପାରିବେ। ପ୍ରତ୍ୟେକ ଝିଅଙ୍କ ସୁରକ୍ଷିତ, ସୁଖପୂର୍ଣ୍ଣ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମ ଲୋକାର୍ପଣ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ରାଜ୍ୟର କିଶୋରୀମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବ ପୁନଃସଂକଳ୍ପର ଅଂଶବିଶେଷ। ଦୈନନ୍ଦିନ ଜୀବନରେ କିଶୋରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ସାମ୍ନା କରିବା ସହ ସେମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଅଧିକ ସଶକ୍ତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ବିଦ୍ୟାଳୟ ଛାଡ଼ିଥିବା କିଶୋରୀ ଯେଉଁମାନେ ସେମାନଙ୍କ ନିୟମିତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥାନ୍ତି ଏହା ସେମାନଙ୍କ ନିମନ୍ତେ ବିଶେଷ ଭାବେ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମରେ ଲାଭ କରିଥିବା ଜୀବନ କୌଶଳ ଶିକ୍ଷା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଦେବାରେ ବିଶେଷ ସହାୟକ ହେବ । ଏତଦ୍‌ବ୍ୟତୀତ କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସେମାନେ ଜାଣିବାର ସୁଯୋଗ ପାଇପାରିବେ । ଏହି ଅବସରରେ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କିଶୋରୀମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯିବ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ପୁଷ୍ଟିସାଧନ, ସୁରକ୍ଷା ବ୍ୟବସ୍ଥାକୁ ନିରୀକ୍ଷଣ କରିବା ନିମନ୍ତେ କିଶୋରୀ କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ।
‘ଅଦ୍ୱିକା’ ଅଧୀନରେ କିଶୋରୀ ବୟସରେ ବାଳିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଯୌନ ଏବଂ ପ୍ରଜନନ ସମ୍ବନ୍ଧିତ ଅବସ୍ଥା, ପୁଷ୍ଟିସାଧନ, ବାଳିକାମାନଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ, ସେମାନଙ୍କ ଅଧିକାର ଏବଂ ବିଭିନ୍ନ ସୁବିଧା ପାଇବା ନିମନ୍ତେ ଯୋଗ୍ୟତା, ଲିଙ୍ଗଭିତ୍ତିକ ହିଂସା, ଆର୍ଥିକ ସାକ୍ଷରତା, ବିବାହ ଏବଂ ସଂପର୍କ ଆଦି ବିଭିନ୍ନ ପ୍ରସଙ୍ଗକୁ ପର୍ଯ୍ୟବେଶିତ କରି ବର୍ଷର ୧୨ ମାସ ନିମନ୍ତେ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି।
‘ଅଦ୍ୱିକା’ ପ୍ୟାକେଜ୍‌ରେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଏକ ପକେଟ୍‌ ପୁସ୍ତିକା, ଏକ କିଶୋରୀ କ୍ୟାଲେଣ୍ଡର, କିଛି ଭିଡ଼ିଓ, ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଏବଂ କିଶୋରୀ ଚର୍ଚ୍ଚା ରହିଛି । ପ୍ରତ୍ୟେକ ଶନିବାର ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା କିଶୋରୀମାନେ ‘ଅଦ୍ୱିକା’ ଅଧୀନରେ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ଜରିଆରେ ଏହିସବୁ ପ୍ରସଙ୍ଗ ସଂପର୍କରେ ଜାଣିବେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ କହିଥିଲେ ଯେ ଓଡ଼ିଶାର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ତରରେ ନେତୃତ୍ୱ ନେଉଥିବା ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କିଶୋରୀମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଏକ ଅନୁକୂଳ ବାତାବରଣ ନିର୍ମାଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। କିଶୋରୀମାନଙ୍କୁ ପରାମର୍ଶ ଦେବା, ସ୍କୁଲ ଛାଡ଼ିଥିବା ଝିଅମାନଙ୍କ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିବା, ବାଲ୍ୟବିବାହ ରୋକିବା, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ରକ୍ଷା ଏବଂ ସୁରକ୍ଷା ପ୍ରଦାନ ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅର୍ଥପୂର୍ଣ୍ଣ ଭାବେ ନିୟୋଜିତ କରାଯାଇପାରିବ। ‘ଅଦ୍ୱିକା’ର ସଫଳତା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇପାରିବ ।
କିଶୋରୀମାନଙ୍କ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରି ଭାରତ ପ୍ରତିନିଧି ମିସ୍‌ ଆର୍ଜେଣ୍ଟିନା ମାଟାଭେଲ୍‌ ପିସିନ୍‌ କହିଥିଲେ, ବାଳିକାମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଗଲେ ସେମାନେ ପରିବର୍ତ୍ତନର ସୂତ୍ରଧର ସାଜିପାରିବେ। ପରିବାର ଏବଂ ସମାଜ ତରଫରୁ ସେମାନଙ୍କୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି । ୟୁନିସେଫ୍‌ର ପ୍ରତିନିଧି ଡ. ୟାସ୍‌ମିନ୍‌ ଅଲ୍ଲି ହକ୍‌ ଝିଅମାନେ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରୁଛନ୍ତି ଏବଂ ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ସହ ଆର୍ଥିକ ସ୍ୱଚ୍ଛଳତା
ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏ ତରଫରୁ ବିଭାଗକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ଉଭୟ ଭାରତ ପ୍ରତିନିଧିମାନେ ଘୋଷଣା କରିଥିଲେ । ବାଲ୍ୟବିବାହ ନିରୋଧ-୨୦୧୯ ବାର୍ଷିକ ରିପୋର୍ଟ ଏବଂ ଘରୋଇ ହିଂସା ଉପରେ ଏକ କ୍ଷୁଦ୍ର ଚିତ୍ର ଲୋକାର୍ପିତ ହେବା ସହ ବିଭାଗ ତରଫରୁ ସାମାଜିକ ଗଣମାଧ୍ୟମରେ ‘ଟିକି ମାଉସୀ’ ଜରିଆରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଥିଲା। ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ଆଇସିଡିଏସ୍‌ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍‌ କହିଥିଲେ, କିଶୋରୀ ଅବସ୍ଥା ଏକ ସମ୍ବେଦନଶୀଳ ସମୟ । ଏହି ସମୟରେ ଝିଅମାନଙ୍କ ଉଭୟ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟୁଥିବାରୁ ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବା ନିମନ୍ତେ ସ୍ୱତନ୍ତ୍ର ଆଭିମୁଖ୍ୟର ଆବଶ୍ୟକତା ଅଛି। ବିଭାଗ ତରଫରୁ କିଶୋରୀମାନଙ୍କ ସମୃଦ୍ଧି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଶ୍ରୀ ଅଗ୍ରୱାଲ୍‌ ସୂଚନା ଦେଇଥିଲେ। ଏହି େୱବିନାରରେ କୋରାପୁଟ ଜିଲ୍ଲାର ଚଞ୍ଚଳା ପୂଜାରୀ ଏବଂ ଢେଙ୍କାନାଳ ଜିଲ୍ଲାର ଶୁଭଲକ୍ଷ୍ମୀ ସେଠୀ ନିଜର ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଥିବା ଏବଂ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଥିବା ସଂପର୍କରେ ନିଜର ଅଭିଜ୍ଞତା କହିଥିଲେ । ବିଭାଗୀୟ ଉପଶାସନ ସଚିବ ବିଥିକା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ୟୁନିସେଫ୍‌ର ରାଜ୍ୟ ପ୍ରତିନିଧି ମୋନିକା ନିଲେସନ୍‌, ୟୁଏନ୍‌ଏଫ୍‌ପିଏର ଡ. ଦୀପା ପ୍ରସାଦ ଏବଂ ଟିମ୍‌ ଏହି େୱବିନାର ଆୟୋଜନ ସହ ‘ଅଦ୍ୱିକା’ ପାଇଁ ବିଭିନ୍ନ ପ୍ରଚାର ଉପକରଣ ପ୍ରସ୍ତୁତିରେ ସହାୟତା କରିଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଡିଏସ୍‌ଡବ୍ଲୁ୍ୟଓ, ଡିସିପିଓ, ସିଡିପିଓ, ୱାନ୍‌ଷ୍ଟପ୍‌ ସେଣ୍ଟରର କର୍ମଚାରୀ, ପରିବାର ପରାମର୍ଶ କେନ୍ଦ୍ର, ଜିଲ୍ଲା ପରାମର୍ଶଦାତା, ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରାୟ ୬୬୦ ଜଣ ଅନ୍‌ଲାଇନ୍‌ରେ ଲଗ୍‌ଇନ୍‌ କରିଥିଲେ ଏବଂ ପ୍ରାୟ ୧୦୦୦ ଜଣ ଏହି େୱବିନାର ଯୋଗଦେଇଥିଲେ ।

Comments are closed.