କ୍ରିକେଟ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ୍ : ଚଳିତ ବିଶ୍ବକପ୍‌ରେ ତା’ର ୫ମ ମ୍ୟାଚ୍‌ରେ ପ୍ରଥମ ବିଜୟର ସ୍ବାଦ ଚାଖିପାରିଛି ଦକ୍ଷିଣ ଆଫ୍ରିକା। ଏହି ବିଶ୍ବକପ୍‌ର ଅନ୍ୟତମ ଟାଇଟଲ ଦାବିଦାର ହେବା ସତ୍ତ୍ବେ ପ୍ରଥମ ୩ଟିଯାକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା ଏବଂ ଏହାର ୪ର୍ଥ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ତେଣୁ ଶନିବାର ଏହାର ୫ମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଲାଗି ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲେ କିମ୍ବା ଏହା ବାତିଲ ହୋଇଥିଲେ; ଏହାର ସେମିଫାଇନାଲ ଖେଳିବା ଆଶା ମଉଳି ଯାଇଥାଆନ୍ତା। ତେବେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶନିବାର ଏହି ମ୍ୟାଚ୍‌ରେ ୯ ୱିକେଟରେ ଆଫ୍‌ଗାନିସ୍ତାନକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଆଫ୍‌ଗାନିସ୍ତାନ ଇନିଂସ ମଧ୍ୟରେ ୨ ଥର ବର୍ଷା ହେବାରୁ ପ୍ରାୟ ଘଣ୍ଟାଏ ଖେଳ ବନ୍ଦ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୪୮ ଓଭରର କରା ଯାଇଥିଲା। ଦକ୍ଷିଣ ଆଫ୍ରିକା ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ୩୪.୧ ଓଭରରେ ଆଫ୍‌ଗାନିସ୍ତାନ ୧୨୫ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ କ୍ବିଣ୍ଟନ ଡି କକ୍‌ଙ୍କ ଅର୍ଦ୍ଧଶତକ ହାସଲ କରିବାରୁ ୨୮.୪ ଓଭରରେ ୧ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ୫ମ ମ୍ୟାଚ୍‌ରେ ପ୍ରଥମ ବିଜୟ ପରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହ ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ୪ର୍ଥ ମ୍ୟାଚ୍‌ରେ କ୍ରମାଗତ ୪ର୍ଥ ପରାଜୟ ଭୋଗିଛି ଆଫ୍‌ଗାନିସ୍ତାନ।
ଦକ୍ଷିଣ ଆଫ୍ରିକାର ଦୁଇ ପ୍ରତିଷ୍ଠିତ ଓପ୍‌ନର ହାସିମ୍ ଆମ୍‌ଲା ଓ କ୍ବିଣ୍ଟନ ଡି କକ୍‌ ଆରମ୍ଭରୁ ଧୀରେସୁସ୍ଥେ ବ୍ୟାଟିଂ କରିଥିବା ବେଳେ ପରେ ଡି କକ୍ ଷ୍ଟ୍ରୋକ୍‌ଖେଳିବା ଆରମ୍ଭ କରିଥିଲେ। ଓପ୍‌ନିଂ ଯୋଡ଼ି ୨୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୧୦୪ ରନ୍‌ର ଭାଗିଦାରୀ କରିଥିଲେ। କ୍ବିଣ୍ଟନ ଡି କକ୍‌ ୭୨ ବଲ୍‌ରୁ ୮ଟି ଚୌକା ସହ ୬୮ ରନ୍‌କରି ଏକମାତ୍ର ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। ପରେ ଆମ୍‌ଲା ଓ ଆନ୍ଦି‌େ‌ଲ ଫେଲୁକ୍ବାୟୋ ଦଳକୁ ଜିତାଇଥିଲେ। ଫେଲୁକ୍ବାୟୋ ୧୭ ବଲ୍‌ରୁ ୧୭ ରନ୍‌କରି ଅପରାଜିତ ଥିଲେ। ଆମ୍‌ଲା ୮୩ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌କରି ଅପରାଜିତ ରହିଥିଲେ। ଇମ୍ରାନ୍ ତାହିର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ ନେବା ପରେ ଆଫ୍‌ଗାନିସ୍ତାନର ଓପ୍‌ନିଂ ଯୋଡ଼ି ୩୯ ରନ୍ କରିଥିଲେ। ହଜ୍ରତୁଲ୍ଲା ଜାଜାଇ ୨୩ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ଅନ୍ୟ ଓପ୍‌ନର ନୁର୍ ଅଲୀ ଜାଦ୍ରାନ୍ ୫୮ ବଲ୍‌ରୁ ୪ଟି ଚୌକା ସହ ୩୨ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ଆଫ୍‌ଗାନିସ୍ତାନ ବିପର୍ଯ୍ୟୟ ଭୋଗି ୨୧ ରନ୍‌ରେ ୬ଟି ୱିକେଟ ହରାଇଥିଲା। ଆଫ୍‌ଗାନିସ୍ତାନ ମଧ୍ୟକ୍ରମରେ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ୭୭ ରନ୍‌ରେ ୭ଟି ୱିକେଟ ପଡ଼ିଯିବା ପରେ ରସିଦ୍ ଖାଁ ଓ ଇକ୍ରାମ୍ ଆଲିଖିଲ ୮ମ ୱିକେଟ ପାଇଁ ୩୪ ରନ୍ ଯୋଡ଼ିଥିଲେ। ଇକ୍ରାମ୍ ୫ ରନ୍ କରିଥିଲେ। ରସିଦ୍ ଖାଁ ୨୫ ବଲ୍‌ରୁ ୬ଟି ଚୌକା ସହ ୩୫ ରନ୍ କରିଥିଲେ। ଇମ୍ରାନ୍ ତାହିର ୪ଟି, କ୍ରିସ୍ ମରିସ୍ ୩ଟି ଓ ଆନ୍ଦିଲେ ଫେଲୁକ୍ବାୟୋ ୨ଟି ୱିକେଟ ନେଇଥିଲେ।

Comments are closed.