ଫିଞ୍ଚ୍‌ଙ୍କ ଶତକ ; ଶ୍ରୀଲଙ୍କାକୁ ହରାଇ ଅଷ୍ଟ୍ରେଲିଆ ଶୀର୍ଷରେ

ଲଣ୍ଡନ୍ : ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଚମତ୍କାର ବ୍ୟାଟିଂ ଫର୍ମ ସହ ମିଚେଲ ଷ୍ଟାର୍କ ତାଙ୍କ ଘାତକ ବୋଲିଂ ପ୍ରଦର୍ଶନ ବଜାୟ ରଖିଛନ୍ତି। ଫଳରେ ଶନିବାର ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆ ୮୭ ରନ୍‌ରେ ବିଜୟୀ ହୋଇଛି। ଫିଞ୍ଚ୍‌ଙ୍କ ଶତକ ଓ ଷ୍ଟିଭେନ୍ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୭ ୱିକେଟରେ ୩୩୪ ରନ୍ କରିଥିଲା। ଶେଷ ୨୨ ଓଭରରୁ ୨ ଶହରୁ ଅଧିକ ରନ୍ ସ୍କୋର୍‌କରିବା ଫଳରେ ଅଷ୍ଟ୍ରେଲିଆର ଏହି ବଡ଼ ସ୍କୋର୍ ସମ୍ଭବ ହୋଇଥିଲା। ୩୩୫ ରନ୍ ଲକ୍ଷ୍ୟରେ ଶ୍ରୀଲଙ୍କା ଶତକୀୟ ଓପ୍‌ନିଂ ଭାଗିଦାରୀ କରିଥିଲେ ହେଁ ପରେ ନିୟମିତ ୱିକେଟ ହରାଇ ୪୫.୫ ଓଭରରେ ୨୪୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ୫ମ ମ୍ୟାଚ୍‌ରେ ୨ୟ ପରାଜୟ ପରେ ୪ ପଏଣ୍ଟ ସହ ଶ୍ରୀଲଙ୍କା ୫ମରେ ରହିଛି।
ଲଢ଼ୁଆ ବ୍ୟାଟିଂକରି ଶ୍ରୀଲଙ୍କା ୩୩୫ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଅଧିନାୟକ ଦିମୁତ କରୁଣାରତ୍ନେ ଜଗିରଖି ଖେଳିଥିବା ବେଳେ କୁଶଳ ପରେରା ଆକ୍ରମଣ କରିଥିଲେ। ଫଳରେ ୧୬ଶ ଓଭରରେ ଶ୍ରୀଲଙ୍କାର ଓପ୍‌ନର ୧୧୫ ରନ୍ କରିଥିଲେ। ବାମହାତି କୁଶଳ ପରେରା ୩୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୨ ରନ୍‌କରି ଆଉଟ ହୋଇଥିଲେ। ପରେ ଲାହିରୁ ଥିରିମାନେ ୨୬ ବଲ୍‌ରୁ ୧୬ ରନ୍‌କରି ବିଦାୟ ନେଇଥିଲେ। ଚମତ୍କାର ବ୍ୟାଟିଂ କରିଥିବା ଦିମୁଥ୍ କରୁଣାରତ୍ନେ ମାତ୍ର ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। କରୁଣାରତ୍ନେ ୧୦୮ ବଲ୍‌ରୁ ୯ଟି ଚୌକା ସହ ୯୭ ରନ୍‌କରି ବିଦାୟ ନେଇଥିଲେ। ତାଙ୍କ ଆଉଟ ହୋଇଯିବା ସହ ଶ୍ରୀଲଙ୍କା ଜଲ୍‌ଦି ଜଲ୍‌ଦି ୱିକେଟ ହରାଇଥିଲା। କୁଶଳ ମେଣ୍ଡିସ୍ ୨ଟି ଛକା ସହ ୩୦ ରନ୍ କରିଥିଲେ। ୫୨ ରନ୍‌ରେ ଶ୍ରୀଲଙ୍କା ଶେଷ ୮ଟି ୱିକେଟ ହରାଇଥିଲା। ମିଚେଲ ଷ୍ଟାର୍କ ୪ଟି ଓ କେନ୍ ରିଚାର୍ଡସନ୍ ୩ଟି ୱିକେଟ ପାଇଥିଲେ। ଆରୋନ୍ ଫିଞ୍ଚ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ମେଘୁଆ ପାଗକୁ ଦେଖି ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ଓପ୍‌ନିଂ ଯୋଡ଼ି ୧୭ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୮୦ ରନ୍‌ର ଭାଗିଦାରୀ କରିଥିଲେ। ଆରୋନ୍ ଫିଞ୍ଚ୍ ଆରମ୍ଭରୁ ଷ୍ଟ୍ରୋକ୍ ଖେଳିଥିବା ବେଳେ ଡେଭିଡ୍ ୱାର୍ଣ୍ଣର ଧିମା ବ୍ୟାଟିଂକରି ୪୮ ବଲ୍‌ରୁ ୨୪ ରନ୍‌କରି ବିଦାୟ ନେଇଥିଲେ। ପରେ ଉସ୍‌ମାନ୍ ଖାୱାଜା ୧୦ ରନ୍‌କରି ବିଦାୟ ନେଇଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ କ୍ରିଜ୍‌କୁ ଆସିବା ମାତ୍ରେ ରନ୍‌ଗତି ବଢ଼ିଥିଲା। ଏକଦା ୨୮ ଓଭରରେ ମାତ୍ର ୧୩୨ ରନ୍ କରିଥିବା ଅଷ୍ଟ୍ରେଲିଆ ଶେଷ ୨୨ ଓଭରରୁ ୨୦୨ ରନ୍ ନେଇ ପାରିଥିଲା। ଫିଞ୍ଚ୍ ଓ ସ୍ମିଥ୍ କିଛି ଦର୍ଶନୀୟ ଷ୍ଟ୍ରୋକ୍ ଖେଳିଥିଲେ ଏବଂ ୨୦ ଓଭର କ୍ରିଜ୍‌ରେ ରହି ୩ୟ ୱିକେଟ ପାଇଁ ୧୭୩ ରନ୍ ଯୋଗ କରିଥିଲେ। ଫଳରେ ଅଷ୍ଟ୍ରେଲିଅା ବଡ଼ ସ୍କୋର୍ କରିଥିଲା। ଫିଞ୍ଚ୍ ୧୩୨ ବଲ୍‌ରୁ ୫ଟି ଛକା ଓ ୧୫ଟି ଚୌକା ସହ ୧୫୩ ରନ୍‌କରି ଆଉଟ ହୋଇଥିଲେ। ଚଳିତ ବିଶ୍ବକପ୍‌ରେ ୨ଟି ଅର୍ଦ୍ଧଶତକ ମାରି ସାରିଥିବା ଫିଞ୍ଚ୍‌ଙ୍କର ଏହା ୧୪ଶ ଦିନିକିଆ ଶତକ। ପରେପରେ ୫୯ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ଷ୍ଟିଭେନ୍ ସ୍ମିଥ୍ ୭୩ ରନ୍‌କରି ବିଦାୟ ନେଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ମ୍ୟାକ୍ସୱେଲ ୨୫ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୬ ରନ୍‌କରି ଅପରାଜିତ ଥିଲେ। ଇସୁରୁ ଉଦାନା ଓ ଧନଞ୍ଜୟ ଡି ସିଲ୍‌ଭା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.