କୋହଲିଙ୍କ ନେତୃତ୍ବର ଅଗ୍ନିପରୀକ୍ଷା ହେବ ବିଶ୍ବକପ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ନେତୃତ୍ବ ନେଇ ବିରାଟ କୋହଲିଙ୍କ ନିୟମିତ ସକାରାତ୍ମକ ଫଳାଫଳ ତାଙ୍କୁ ମହାନ୍ ଅଧିନାୟକଙ୍କ ତାଲିକାରେ ସାମିଲ କରିଛି । ତେବେ ବିଶ୍ବକପ୍ କୋହଲିଙ୍କ ନେତୃତ୍ବର ଅଗ୍ନିପରୀକ୍ଷା ହେବ ଏଥିରେ ସଫଳତା ତାଙ୍କୁ କିମ୍ବଦନ୍ତୀର ଆଖ୍ୟା ପ୍ରଦାନ କରିବ।
ପ୍ରଥମ ଭାରତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିଥିବା ବିରାଟ କୋହଲି ବିଶ୍ବକପ୍‌ରେ ଏପରି ଏକ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି; ଯାହାର କିଛି ଚିନ୍ତା ଏବେ ମଧ୍ୟ ଦୂର ହୋଇନାହିଁ। ଏହାସବୁ ହେଲା- ୪ନଂ ସ୍ଥାନରେ କିଏ ବ୍ୟାଟିଂ କରିବେ? ବିଶ୍ବକପ୍ ଖେଳିବାକୁ କେଦାର ଯାଦବ କେତେ ଯୋଗ୍ୟ? ଚୂଡ଼ାନ୍ତ ଏକାଦଶରେ ୩ୟ ପେସ୍ ବୋଲର ନା ଅତିରିକ୍ତି ଅଲ୍‌ରାଉଣ୍ଡର ଖେଳିବେ। କୁଲଦୀପ ନା ଚହଲ ନା ଉଭୟ? ତେବେ ଏହା ସତ ଯେ କୋହଲିଙ୍କ ଦଳରେ ମ୍ୟାଚ୍ ବିଜେତାଙ୍କ ଅଭାବ ନାହିଁ; ଯାହା ବିଶ୍ବକପ୍ ପରି ବଡ଼ ଟୁର୍ଣ୍ଣାମେଣ୍ଟ ଲାଗି ନିହାତି ଆବଶ୍ୟକ। ବିରାଟ କୋହଲିଙ୍କ କ୍ରିକେଟ ଜୀବନରେ ଏହି ବିଶ୍ବକପ୍‌ର ବହୁତ ଗୁରୁତ୍ବ ରହିବ; ଅଧିନାୟକ ଭାବେ ଏବଂ ଦଳର ମୁଖ୍ୟ ବ୍ୟାଟ୍‌ସମ୍ୟାନ ଭାବେ। ଭାରତର ବିଶ୍ବକପ୍ ବିଜୟ କେବଳ କୋହଲିଙ୍କୁ କିମ୍ବଦନ୍ତୀର ମାନ୍ୟତା ଦେବନାହିଁ; ତାଙ୍କ ରଣନୀତି ପ୍ରତି ପ୍ରଶ୍ନବାଚୀ ଉଠାଉଥିବା କ୍ରିକେଟ ପଣ୍ଡିତଙ୍କ ପ୍ରତି କଡ଼ା ଜବାବ ହେବ। ତେବେ ଏହା ସତ ଯେ ବିଶ୍ବକପ୍‌ରେ ୭ ସପ୍ତାହ ଧରି ବ୍ୟାଟ୍‌ସମ୍ୟାନ୍ ଭାବେ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ; ଯେଉଁ ଟୁର୍ଣ୍ଣାମେଣ୍ଟ ମଝିରେ ସେ ୧୧ ହଜାର ଦିନିକିଆ ରନ୍ ଅତିକ୍ରମ କରିବେ ଏବଂ ତାଙ୍କ ୪୧ଟି ଦିନିକିଆ ଶତକ ସଂଖ୍ୟାରେ ଆଉ କିଛି ଯୋଗକରିବେ।
ତେବେ ଦଳକୁ ନେଇ ଅଧିନାୟକ। ସାଥୀ ଖେଳାଳିଙ୍କ ପ୍ରଦର୍ଶନ କୋହଲିଙ୍କ ନେତୃତ୍ବକୁ ପ୍ରଭାବିତ କରିବ। ବିଶ୍ବକପ୍ ବେଳେ ଇଂଲଣ୍ଡର ପିଚ୍ ବ୍ୟାଟିଂ ସହାୟକ ହେବ। ତେଣୁ କୋହଲିଙ୍କ ସହ ଉପଅଧିନାୟକ ରୋହିତ ଶର୍ମାଙ୍କଠାରୁ ଭାରତ ନିଶ୍ଚୟ ଭଲ ପ୍ରଦର୍ଶନର ଆଶା ରଖିଥିବ। ଦିନିକିଆରେ ୩ଟି ଦ୍ବିଶତକ ମାରିବାର କୃତିତ୍ବ ଅର୍ଜନ କରିଛନ୍ତି ରୋହିତ। ତାଙ୍କ ସହ ରହିଛନ୍ତି ଆଇସିସି ଟୁର୍ଣ୍ଣାମେଣ୍ଟର ରାଜା ଶିଖର ଧାୱନ। ୨୦୧୩ ଚମ୍ପିଆନ୍‌ସ ଟ୍ରଫି, ୨୦୧୫ ବିଶ୍ବକପ୍ ଓ ୨୦୧୭ ଚମ୍ପିଆନ୍‌ସ ଟ୍ରଫିରେ ଧାୱନ ୧୮ଟି ଇନିଂସ ଖେଳି ମୋଟ ୧୧୧୩ ରନ୍ କରିଛନ୍ତି। ଉପରୋକ୍ତ ୨ଟି ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୨୦୧୩ ଓ ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଇଂଲଣ୍ଡରେ ଖେଳା ଯାଇଥିଲେ; ଯେଉଁଠାରେ ଆସନ୍ତା ବିଶ୍ବକପ୍ ଆୟୋଜନ ହେବାକୁ ଯାଉଛି। ସଫଳ ଆଇପିଏଲ୍‌ ପରେ ବିଶ୍ବକପ୍‌ରେ ସଫଳତା ବଜାୟ ରଖିବାକୁ ଲକ୍ଷ୍ୟରଖିଛନ୍ତି ଏହି ବାମହାତି।
ତେବେ ଉପରୋକ୍ତ ୩ ବ୍ୟାଟ୍‌ସମ୍ୟାନଙ୍କ ସ୍ଥାନ ପରେ ଭାରତର ସମସ୍ୟା ଆରମ୍ଭହେବ। ୪ନଂ ସ୍ଥାନକୁ ନେଇ ଆଲୋଚନା ଚାଲିଛି। ଅମ୍ବତି ରାୟୁଡୁ ଓ ଋଷଭ ପନ୍ତ୍‌ଙ୍କୁ ବିଶ୍ବକପ୍ ଦଳରେ ସ୍ଥାନ ନ ମିଳିବାରୁ ଏହି ଆଲୋଚନା ବହୁତ ବଢ଼ିଯାଇଛି। ଦଳରେ ସ୍ଥାନ ପାଇଥିବା ଦିନେଶ କାର୍ତ୍ତିକ ତାଙ୍କ ୧୪ ବର୍ଷର ଆନ୍ତର୍ଜାତିକ କ୍ରିକେଟ ଜୀବନରେ ସେପରି ଆଖିଦୃଶିଆ କିଛି କରିନାହାନ୍ତି। ବିଜୟ ଶଙ୍କରଙ୍କ ସେପରି ଆନ୍ତର୍ଜାତିକ ଅଭିଜ୍ଞତା ନାହିଁ। ଏହି ସ୍ଥାନ ପାଇଁ ୩ୟ ବିକଳ୍ପ ହେଲେ କେ.ଏଲ୍‌. ରାହୁଲ। ମହେନ୍ଦ୍ର ସିଂହ ଧୋନି ତାଙ୍କର ଅନ୍ତିମ ବିଶ୍ବକପ୍ ଖେଳିବାକୁ ଯାଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ସହ ତାଙ୍କର ଭାବାବେଗ ରହିବ। ତେବେ ତାଙ୍କର ୭୦ ଷ୍ଟ୍ରାଇକ୍‌ରେଟ୍‌ ଏବଂ ୩୫ରୁ ୫୦ ଓଭର ମଧ୍ୟରେ ଦ୍ରୁତଗତିରେ ସ୍କୋର୍‌ କରିବାରେ ତାଙ୍କ ବିଫଳତା ପ୍ରତିପକ୍ଷ ଦଳଙ୍କୁ ଉତ୍ସାହିତ କରିବ। ଆଇପିଏଲ୍‌ରେ ଯୁବ ଭାରତୀୟ ବୋଲରଙ୍କ ବିପକ୍ଷରେ ଧୋନି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ କାଗିସୋ ରାବାଡ଼ା, ପ୍ୟାଟ୍ କମିନ୍‌ସ ଓ ମିଚେଲ ଷ୍ଟାର୍କଙ୍କ ବିପକ୍ଷରେ ଏପରି କରିବା ଧୋନିଙ୍କ ପାଇଁ କଷ୍ଟକର ହେବ। ୬ନଂରେ କେଦାର ଯାଦବ ଖେଳିପାରନ୍ତି। ତେବେ ବିଫଳ ଆଇପିଏଲ୍‌ ତାଙ୍କୁ ଚାପରେ ରଖିପାରେ। ଅଲ୍‌ରାଉଣ୍ଡର ଭାବେ ଭାରତର ଟ୍ରମ୍ପ୍ କାର୍ଡ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଶେଷ ଓଭରରେ ଛକା ମାରିବା ଦକ୍ଷତା ଯୋଗୁଁ ବିଶ୍ବକପ୍‌ରେ ପାଣ୍ଡ୍ୟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ନିୟମିତ ଭଲ ପ୍ରଦର୍ଶନ କରିଥିଲେ ହେଁ ଗତ କିଛି ସିରିଜ୍‌ରେ ଉଭୟଙ୍କ ବିଫଳତା ଦଳକୁ ଚିନ୍ତାରେ ରଖିବ। ପେସ୍ ବୋଲିଂ ବିଭାଗରେ ଭାରତ ବେଶ୍ ଶକ୍ତିଶାଳୀ ଅଛି। ଯଶପ୍ରୀତ ବୁମ୍‌ରା ଗତ କିଛିବର୍ଷ ହେଲା ଭାରତର ମ୍ୟାଚ୍ ବିଜେତା ହୋଇ ପାରିଛନ୍ତି। ବଲ୍‌କୁ ସ୍ବିଙ୍ଗ୍ କରିବା ଦକ୍ଷତା ଯୋଗୁଁ ମହମ୍ମଦ ସାମି ପ୍ରତିପକ୍ଷଙ୍କ ଲାଗି ମାରାତ୍ମକ ହୋଇପାରନ୍ତି।

Comments are closed.