ପୁରୁଷ ବିଶ୍ୱକପ ହକି : ଅଷ୍ଟ୍ରେଲିଆ ୨-୧ରେ ବିଜୟୀ

0

ଭୁବନେଶ୍ୱର : ପୂର୍ବଥରର ଚମ୍ପିଆନ ଅଷ୍ଟ୍ରେଲିଆ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ବିଶ୍ୱକପ ହକି ପ୍ରତିଯାଗିତାରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ପୁଲ ‘ବି’ର ଏହି ମୁକାବିଲାରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି। ବିଶ୍ୱ ମାନ୍ୟତା ତାଲିକାର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଆୟରଲାଣ୍ଡକୁ ଅଧିକ ସଂଖ୍ୟକ ଗୋଲ ବ୍ୟବଧାନରେ ପରାସ୍ତ କରିବ ବୋଲି ଆଶା କରାଯାଉଥିଲା। ପରାଜୟ ସତ୍ତ୍ବେ ଆୟରଲାଣ୍ଡ ଦଳ ସୁସଂଗଠିତ ଶୈଳୀରେ ଖେଳି ଅଷ୍ଟ୍ରେଲିଆର ପ୍ରାଧାନ୍ୟକୁ କ୍ଷୁଣ୍ଣ କରିପାରିଛି। ଏହି ବିଜୟ ଫଳରେ ଅଷ୍ଟ୍ରେଲିଆକୁ ୩ ପଏଣ୍ଟ ମିଳିଥିବାବେଳେ ଆୟରଲାଣ୍ଡ କୌଣସି ପଏଣ୍ଟ ମିଳିନାହିଁ।
ଅଷ୍ଟ୍ରେଲିଆ ଦଳ ଆଶାନୁଯାୟୀ ପ୍ରାରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଆୟରଲାଣ୍ଡ ଡି ଏରିଆରେ ଚାପ ସୃଷ୍ଟି କରିଥିଲା। ପ୍ରଥମ କ୍ୱାର୍ଟରର ୯ ମିନିଟରେ ଅଷ୍ଟ୍ରେଲିଆ ଖେଳାଳି ତିମୋଥି ବ୍ରାଣ୍ଡ୍‍ଙ୍କ ଶକ୍ତିଶାଳୀ ସଟ୍‍କୁ ଆୟରଲାଣ୍ଡ ଗୋଲରକ୍ଷକ ଡେଭିଡ ହାର୍ଟ ଅଟକାଇଥିଲେ। ୧୦ ମିନିଟରେ ଅଷ୍ଟ୍ରେଲିଆକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ବ୍ଲାକ୍‍ ଗୋଭର୍ସଙ୍କ ସଟ୍‍ ଆୟରଲାଣ୍ଡ ଡିଫେଣ୍ଡରଙ୍କ ଗୋଡରେ ବାଜିବା ଫଳରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା। ଗୋଭର୍ସ ଏଥର କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଦ୍ୱାରା ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଥିଲା। ତେବେ ଅଷ୍ଟ୍ରେଲିଆ ଦଳର ଏହି ଖୁସି ବେଶି ସମୟ ତିଷ୍ଠିପାରିନଥିଲା। ଦୁଇ ମିନିଟ ବ୍ୟବଧାନରେ ଅର୍ଥାତ ୧୩ ମିନିଟରେ ୟୁଜିନି ମାଗିଙ୍କଠାରୁ ପାସ୍‍ ପାଇ ଆୟରଲାଣ୍ଡ ଖେଳାଳି ସେନ୍‍ ଓଡୋନୋଗ୍‍ହ୍ୟୁ ଗୋଲ ପରିଶୋଧ କରିବା ସହ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୮ ମିନିଟରେ ଗୋଭର୍ସଙ୍କ ସଟ୍‍କୁ ପୁଣି ଡେଭିଡ୍‍ ହାର୍ଟ ଅଟକାଇବା ଫଳରେ ଅଷ୍ଟ୍ରେଲିଆ ନିଶ୍ଚିତ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା। ୨୦ ମିନିଟରେ ଆୟରଲାଣ୍ଡକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଅଷ୍ଟ୍ରେଲିଆ ଡିଫେଣ୍ଡରଙ୍କ ତତ୍ପରତା ଯୋଗୁଁ ଏହି ସୁଯୋଗ ବେକାର ଯାଇଥିଲା। ୨୩ ମିନିଟରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଫାଉଲ ମାରିଥିବା କାରଣରୁ ଅମ୍ପାୟାର ଆୟରଲାଣ୍ଡର ମାଥ୍ୟୁ ନେଲସନଙ୍କୁ ସବୁଜ କାର୍ଡ ପ୍ରଦର୍ଶନ କରି ପଡିଆରୁ ପାଞ୍ଚ ମିନିଟ ପାଇଁ ବିଦା କରିଥିଲେ। ୨୫ ମିନିଟରେ ଅଷ୍ଟ୍ରେଲିଆକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ପେନାଲଟି କର୍ଣ୍ଣର ବିଶେଷଜ୍ଞ ଜେରେମି ହେୱାର୍ଡଙ୍କ ସଟ୍‍ ଅଳ୍ପକେ ଆୟରଲାଣ୍ଡ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ୧-୧ ରହିଥିଲା।
ମଧ୍ୟାନ୍ତର ପରେ ତୃତୀୟ କ୍ୱାର୍ଟରର ୩୩ ମିନିଟରେ ଅଷ୍ଟ୍ରେଲିଆକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ବ୍ଲାକ୍‍ ଗୋଭର୍ସଙ୍କଠାରୁ ପାଇଥିବା ପାସ୍‍କୁ ତିମୋଥି ବ୍ରାଣ୍ଡ୍‍ ଗୋଲରେ ପରିବର୍ତ୍ତନ କରିବା ଫଳରେ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ରହିଥିଲା। ୩୫ ମିନିଟରେ ଅଷ୍ଟ୍ରେଲିଆକୁ ୪ର୍ଥ ପେନାଲଟି କର୍ଣ୍ଣର ମିଳିଥିବାବେଳେ ହେୱାର୍ଡଙ୍କ ସଟ୍‍କୁ ଆୟରଲାଣ୍ଡ ରକ୍ଷଣଭାଗ ଖେଳାଳି ଅଟକାଇବାରେ ସଫଳ ହୋଇଥିଲେ। ୪୦ ମିନିଟରେ ଗୋଲ ପରିଶୋଧ କରିବାକୁ ଆୟରଲାଣ୍ଡକୁ ସୁଯୋଗ ମିଳିଥିଲା। ତେବେ ଓଡୋନୋଗ୍‍ହ୍ୟୁ ଏହାକୁ ଗୋଲରେ ପରିବର୍ତ୍ତନ କରିପାରିନଥିଲେ। ଏହି କ୍ୱାର୍ଟରର ଶେଷ ପାଞ୍ଚ ମିନିଟରେ ଅଷ୍ଟ୍ରେଲିଆ ଫରୱାର୍ଡବାହିନୀ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ଗୋଲ ଦେଇପାରିନଥିଲେ। ଚତୁର୍ଥ କ୍ୱାର୍ଟରର ୫୦ ମିନିଟରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଏହି କ୍ୱାର୍ଟରର ଶେଷ ୧୦ ମିନିଟ ଅଷ୍ଟ୍ରେଲିଆ ଖେଳାଳି ରକ୍ଷଣାତ୍ମକ ରଣନୀତି ଅବଲମ୍ବନ କରିଥିଲେ। ଫଳରେ କୌଣସି ପକ୍ଷ ଗୋଲ ଦେବାର ସୁଯୋଗ ପାଇନଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ବିଜୟୀ ହୋଇଥିଲା।

Leave A Reply