ହକି ବିଶ୍ୱକପ୍ ; ଟିକଟ ବିକ୍ରିରେ ବେଲଜିୟମ, ଜର୍ମାନୀ, ଅଷ୍ଟ୍ରେଲିଆକୁ ପଛରେ ପକାଇଛି ପାକିସ୍ତାନ

0

ଭୁବନେଶ୍ୱର : ଓଡ଼ିଶାରେ ସୃଷ୍ଟି ହୋଇଛି ହକି ଫିବର। ବିଶ୍ୱକପ ନେଇ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ। ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ଲାଗି ଓଡ଼ିଶା ହକିପ୍ରେମୀଙ୍କ ପ୍ରଥମ ପସନ୍ଦ ଭାରତ ରହିଥିବାବେଳେ ପାକିସ୍ତାନ ଦ୍ୱିତୀୟ ପସନ୍ଦର ଦଳ ରହିଛି। ହକି ବିଶ୍ୱକପରେ ସର୍ବାଧିକ ୪ଥର ଟାଇଟଲ ହାସଲ କରିଥିବା ପାକିସ୍ତାନ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଏବେ ବି ନିଶ୍ଚିତ ନ ଥିବାବେଳେ ହକିପ୍ରେମୀମାନେ ପାକିସ୍ତାନକୁ ଦ୍ୱିତୀୟ ପସନ୍ଦର ଦଳ ଭାବେ ଗ୍ରହଣ କରିଛନ୍ତି। ଭାରତ ଖେଳିବାକୁ ଥିବା ସମସ୍ତ ଲିଗ୍‍ ମ୍ୟାଚର ଟିକଟ କାଉଣ୍ଟରରେ ବିକ୍ରି ଆରମ୍ଭ ହେବାର ମାତ୍ର ଏକ ଘଣ୍ଟା ମଧ୍ୟରେ ସମସ୍ତ ଟିକଟ ବିକ୍ରି ହୋଇଯାଇଥିଲା। ଫଳରେ ଅନେକ ହକିପ୍ରେମୀ ଭାରତ ଖେଳିବାକୁ ଥିବା ଟିକଟ ପାଇନଥିବା ଦର୍ଶକମାନେ ପାକିସ୍ତାନ ମ୍ୟାଚ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଭାରତର ଲିଗ୍‍ ମ୍ୟାଚ ସମେତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଟିକଟ ପରେ ପାକିସ୍ତାନ ଖେଳିବାକୁ ଥିବା ଲିଗ୍‍ ମ୍ୟାଚର ୭୦ ପ୍ରତିଶତ ଟିକଟ ବିକ୍ରି ଶେଷ ହୋଇଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ, ଜର୍ମାନୀ, ବେଲଜିୟମ, ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‍ସ ଭଳି ଦଳ ରହିଥିବାବେଳେ ପାକିସ୍ତାନ ପ୍ରତି ଦର୍ଶକଙ୍କ ଆଗ୍ରହ ଆଗରେ ରହିଛି। ଯାହା ଟିକଟ ବିକ୍ରିରୁ ପ୍ରମାଣିତ ହୋଇଛି। ଟିକଟ ପାଇଁ ଆସିଥିବା ଛତ୍ରପୁରର ଜଣେ ହକିପ୍ରେମୀ ପ୍ରଶାନ୍ତ ମହାରଣା କହିଛନ୍ତି ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚ ଟିକଟ ନ ପାଇ ମୁଁ ବହୁତ ନିରାଶ। ଭାରତ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଥିବାବେଳେ ପାକିସ୍ତାନ ମ୍ୟାଚ ଦେଖିବା ଲାଗି ଟିକଟ କ୍ରୟ କରିଛି। ସୂଚନାଯୋଗ୍ୟ ଋଣବୋଝରେ ବୁଡ଼ି ରହିଥିବାରୁ ପାକିସ୍ତାନ ହକି ଦଳ ଭୁବନେଶ୍ୱର ବିଶ୍ୱକପରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୪ ଚମ୍ପିଆନ୍‍ସ ଟ୍ରଫି ସେମିଫାଇନାଲରେ ଭାରତକୁ ପରାସ୍ତ କରିବା ପରେ ପାକିସ୍ତାନର ଔଦ୍ଧତ୍ୟ ବିଶ୍ୱରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଭାରତୀୟ ହକିପ୍ରେମୀଙ୍କୁ ଖୁବ୍‍ ବାଧିଥିଲା। ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବା ଲାଗି ହକିପ୍ରେମୀ ଅପେକ୍ଷା କରିଥିବାବେଳେ ପାକିସ୍ତାନର ଅଂଶଗ୍ରହଣ ନେଇ ଆଶଙ୍କା ଜାରି ରହିଛି।

Leave A Reply